ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ବ୍ୟାଙ୍କ ଚେକ୍ ସାହାଯ୍ୟରେ ଟଙ୍କା ଦେଣନେଣ କରୁଛନ୍ତି କି? ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନୂଆ ନିୟମ ବିଷୟରେ ଜାଣିରଖନ୍ତୁ। ନଚେତ୍ ଆପଣଙ୍କୁ ଟଙ୍କା ଦେଣନେଣ କରିବାରେ ଅସୁବିଧା ଭୋଗିବାକୁ ପଡ଼ିପାରେ।

ବ୍ୟାଙ୍କ ଠକେଇ ରୋକିବାକୁ ଯାଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ‘ପଜିଟିଭ୍ ପେ ସିଷ୍ଟମ’ ନାମରେ ଏକ ନୂଆ ବ୍ୟବସ୍ଥା ଲାଗୁ କରିଛି। ଏହାଦ୍ୱାରା ଚେକ୍ ସାହାଯ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବାକୁ ହେଲେ ବ୍ୟାଙ୍କକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ। ନଚେତ୍ ଆପଣ ଚେକ୍ ସାହାଯ୍ୟରେ ଟଙ୍କା ପ୍ରଦାନ କରିପାରିବେ ନାହିଁ।କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଟଙ୍କା ପ୍ରଦାନ କରିବା ପାଇଁ ଚେକ୍ ଦେବା ପରେ, ଏହି ଚେକର ସମସ୍ତ ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡ଼ିବ। ଚେକର ନମ୍ବର, ତାରିଖ, ହିତାଧିକାରୀଙ୍କ ନାମ ଓ ଦେୟର ପରିମାଣ ବିଷୟରେ ସମସ୍ତ ତଥ୍ୟ ବ୍ୟାଙ୍କକୁ ପଠାଇବାକୁ ପଡ଼ିବ।

ଏହାପରେ ଯେତେବେଳେ ସେହି ବ୍ୟକ୍ତିଜଣକ ବ୍ୟାଙ୍କରୁ ଟଙ୍କା ପାଇବା ପାଇଁ ଚେକ୍ ପ୍ରଦାନ କରିବେ, ସେ ସମୟରେ ବ୍ୟାଙ୍କ୍ ଦୁଇଟି ଯାକ ତଥ୍ୟକୁ ମିଳାଇବ। ଯଦି ଦୁଇଟି ଯାକ ତଥ୍ୟ ସମାନ ଥିବ ତେବେ ବ୍ୟାଙ୍କ ତାଙ୍କୁ ଟଙ୍କା ପ୍ରଦାନ କରିବ। ୫୦ ହଜାରରୁ ତଳକୁ ଟଙ୍କା ଉଠାଇବା ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ୨୦୨୧ ମସିହା ଜାନୁଆରି ପହିଲାରୁ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି।

 

Comment