ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ସଂକ୍ରମିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ହିଁ ଫାଭିପିରାଭିର ଔଷଧ ଖାଇପାରିବେ। ସଂକ୍ରମଣ ହେବାର ପ୍ରାଥମିକ ଅବସ୍ଥାରେ ରୋଗୀକୁ ଏହି ଔଷଧ ଦେଲେ ତାର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ। ସୋମବାର ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ପ୍ରେସମିଟରେ ସୂଚନା ଦେଇ କଟକ ଏସସିବି ମେଡିକାଲ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଏହା କହିଛନ୍ତି। ତେବେ ଏହି ଔଷଧକୁ କେଉଁମାନେ ସେବନ କରିପାରିବେ ସେ ନେଇ ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା।

  • ହୋମ ଆଇସୋଲେସନରେ ରହୁଥିବା ରୋଗୀମାନଙ୍କୁ ଏହି ଔଷଧ ଦିଆଯାଉଛି।
  • ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଭିପିରାଭିର ରୋଗୀକୁ ଦେଲେ ଶରୀରରେ ଭୂତାଣୁର ସଂଖ୍ୟା ହ୍ରାସ ପାଇବା ସହ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଏ।
  • ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯିବ ନାହିଁ। କେବଳ ଲକ୍ଷଣ ଥିବା ରୋଗୀ ଏହାକୁ ସେବନ କରିପାରିବେ।
  • କରୋନାରେ ଆକ୍ରାନ୍ତ ହୋଇଥିବା ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଏହି ଔଷଧ ଦିଆଯାଇପାରିବ ନାହିଁ।
  • ରୋଗ ଚିହ୍ନଟ ହେବାର ପ୍ରଥମ ଦିନରୁ ହିଁ ଏହାକୁ ସେବନ କରାଯାଇ ପାରିବ।
  • ଫାଭିପିରାଭିର ଖାଇବା ପରେ ଯଦି କୌଣସି ପାର୍ଶ୍ଵପ୍ରତିକ୍ରିୟା ଯେପରି – ପତଳା ଝାଡ଼ା, ପେଟ କାଟିବା ଆଦି ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅନ୍ୟପଟେ ଫାଭିପିରାଭିର ଔଷଧକୁ କେତେ ମାତ୍ରା ଏବଂ କିପରି ସେବନ କରିବେ ସେ ନେଇ ଡାକ୍ତର ସମ୍ପଦ ମଧ୍ୟ ସୋମବାର ପ୍ରେସମିଟରେ ସୂଚନା ଦେଇଛନ୍ତି।

  • ରୋଗ ଚିହ୍ନଟ ହେବାର ପ୍ରଥମ ଦିନର ସକାଳ ବେଳା ୯ଟି ଏବଂ ରାତି ବେଳା ୯ଟି ଫାଭିପିରାଭିର ବଟିକା ଖାଇବେ।
  • ଦ୍ଵିତୀୟ ଦିନରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳ ବେଳା ଏବଂ ରାତି ବେଳା ୪ଟି ଲେଖାଏଁ ବଟିକା ଖାଇପାରିବେ।
  • ଫାଭିପିରାଭିର ବଟିକା ଖାଇଲେ ମଦ୍ୟପାନ କରାଯାଇପାରିବ ନାହିଁ।
  • ଫାଭିପିରାଭିର ବଟିକା ଖାଉଥିବା ରୋଗୀ ପୂର୍ବରୁ ଖାଉଥିବା ଔଷଧ ମଧ୍ୟ ସେବନ କରିପାରିବେ।

Comment