କମଳାକାନ୍ତ ପତି

ବିଜେପି ମନରେ ଆଶଙ୍କା। ବିହାରରେ ଦଳିତ ଭୋଟ୍‌ ବ୍ୟାଙ୍କ୍‌କୁ ପ୍ରଭାବିତ କରିବ କି ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳିତ ଯୁବତୀ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା? ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ଫାଇଦା ଉଠାଇବାକୁ ଚାହୁଁଥିବା ବିଜେପି ଏବେ ହାଥରସ୍‌କୁ ନେଇ ଚିନ୍ତାରେ।

ବିଜେପି ଉପରେ କ୍ଷୁବ୍ଧ ଦଳିତ ସମାଜ

ଯୋଗୀ ଆଦିତ୍ୟନାଥଙ୍କ ଶାସନାଧୀନ ରାଜ୍ୟରେ ଘଟିଲା ଜଣେ ଦଳିତ ଯୁବତୀଙ୍କ ଉପରେ ଅତ୍ୟାଚାରର ଘଟଣା। ଗଣବଳାତ୍କାରର ଶିକାର ହାଥରସ୍‌ର ଏହି ଯୁବତୀ ଜଣକ ଦୀର୍ଘ ୧୫ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିଲେ। ବିଡମ୍ବନାର କଥା ହେଉଛି ଉତ୍ତରପ୍ରଦେଶ ପୋଲିସ୍ ଯୁବତୀଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରିବା ପରିବର୍ତ୍ତେ ରାତାରାତି ଡିଜେଲ୍ ଢାଳି ସତ୍କାର କରିଦେଲା। ଏପରିକି ଅନ୍ତ୍ୟେଷ୍ଟିସ୍ଥଳକୁ ପରିବାରର ସଦସ୍ୟମାନଙ୍କୁ ଯିବା ପାଇଁ ମଧ୍ୟ ଦେଲା ନାହିଁ ପୋଲିସ। ଘଟଣାକୁ ନେଇ ସାରା ଦେଶରେ ଏବେ ରାଜନୀତି ତୀବ୍ର ହୋଇଛି।

କେବଳ ବିରୋଧୀ ରାଜନୈତିକ ଦଳଗୁଡ଼ିକ ନୁହନ୍ତି, ମୃତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି ରାଜରାସ୍ତାକୁ ଓହ୍ଲାଇ ଆସିଛି ଦଳିତ ବାଲ୍ମିକୀ ସମାଜ। ଯୋଗୀ ସରକାର ବିରୋଧରେ କ୍ଷୋଭ କ୍ରମେ ତୀବ୍ର ହେଉଛି। ଏହାକୁ ନେଇ ବିଜେପିର ଆଶଙ୍କା ହାଥରସ୍ ଘଟଣାର ପ୍ରଭାବ ପଡ଼ିବ ନାହିଁ ତ ବିହାରର ଦଳିତ ଭୋଟ୍‌ ବ୍ୟାଙ୍କ୍ ଉପରେ! କାରଣ ବିରୋଧୀଙ୍କ ହାତରେ ଏବେ ନୂଆ ଅସ୍ତ୍ର ହାଥରସ୍! ଜାତି ନିର୍ବିଶେଷରେ ଦଳିତ, ପଛୁଆବର୍ଗ, ଜନଜାତି ସମେତ ସବୁ ବର୍ଗର ହିନ୍ଦୁଙ୍କୁ ଗୋଟିଏ ଛାତ ତଳକୁ ଆଣିବାର ଯେଉଁ କୌଶଳ ବିଜେପି ଶୀର୍ଷ ନେତୃତ୍ୱ ଗ୍ରହଣ କରିଛନ୍ତି, ସେଥିରେ ହାଥରସ୍ କାଣ୍ଡ ଫାଟ ଧରାଇ ଦେଇଛି ବୋଲି ମନେ କରୁଛି ରାଜନୈତିକ ମହଲ। ଏହି ବିଭାଜନ ସକାଶେ ବିଜେପି ପକ୍ଷରୁ ଅପ୍ରକାଶ୍ୟ ଭାବେ ଠାକୁର ସମ୍ପ୍ରଦାୟ ଉକ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଡ଼କୁ ଆଙ୍ଗୁଳି ଉଠୁଛି।

କେବଳ ବିହାରରେ ୧୮ ପ୍ରତିଶତ ଦଳିତ

ଚଳିତ ମାସ ୨୮ ତାରିଖରୁ ବିହାର ବିଧାନସଭା ପାଇଁ ଭୋଟ୍ ହେବାକୁ ଯାଉଛି। ଏହି ରାଜ୍ୟରେ ମୁଖ୍ୟତଃ ଜାତି ଭିତ୍ତିରେ ରହିଛି ଭୋଟ୍‌ ବ୍ୟାଙ୍କ୍। ଯାଦବ, ଦଳିତ, ଠାକୁର, ମୁସଲିମ୍, ଉଚ୍ଚବର୍ଗ ଆଦି ସବୁବର୍ଗର ଭୋଟ୍ ବ୍ୟାଙ୍କ୍ ବସ୍ତୁତଃ ପୃଥକ। ଏଥର ନିର୍ବାଚନ ପାଇଁ ବିଜେପି ହାତକୁ ଆସିଛି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଘଟଣା ଭଳି ପ୍ରସଙ୍ଗ। ସୁଶାନ୍ତ ବିହାରର ଭୂମିପୁତ୍ର ହୋଇଥିବାରୁ ତାଙ୍କ ପରିବାରକୁ ନ୍ୟାୟ ଦେବା ସକାଶେ ବିଜେପି ଏବଂ ତା’ର ମେଣ୍ଟ ଉକ୍ତ ଦଳ ଜେଡିୟୁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗୀଙ୍କ ରାଜ୍ୟରେ ଘଟିଯାଇଥିବା ହାଥରସ୍ ଯୁବତୀ ଗଣ ବଳାତ୍କାର ଓ ମୃତ୍ୟୁ ଘଟଣା ବିରୋଧୀଙ୍କ ହାତରେ ବିଜେପି ବିରୋଧୀ ଅସ୍ତ୍ର ଧରାଇ ଦେଇଛି।

ବିଜେପି ଶାସିତ ଉତ୍ତରପ୍ରଦେଶରେ ଦଳିତ ଓ ମହିଳା ସୁରକ୍ଷିତ ନୁହଁନ୍ତି। ସଦ୍ୟ ଘଟିଥିବା ହାଥରସ୍ ଘଟଣା ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି)ର ତାଜା ରିପୋର୍ଟ ତାହା ପ୍ରମାଣିତ କରୁଛି। ଏଭଳି ସ୍ଥିତିରେ ବିହାରକୁ କିଭଳି ସୁଶାସନ ଦେଇପାରିବ ବିଜେପି -ଜେଡିୟୁ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)। ଏହା ଏଥର ନିର୍ବାଚନରେ କଂଗ୍ରେସ ଆରଜେଡି ମହାମେଣ୍ଟର ମୁଖ୍ୟ ସ୍ଳୋଗାନ ହେବ ବୋଲି ଆକଳନ କରୁଛି ରାଜନୈତିକ ମହଲ। ଏମିତିରେ ଦେଖିଲେ ବିହାରରେ ୧୮ ପ୍ରତିଶତ ଦଳିତ ଭୋଟ୍ ରହିଛି। ଯୋଗୀ ସରକାର ଉପରେ ଦଳିତଙ୍କ କ୍ଷୋଭ ବିହାରକୁ ସମ୍ପ୍ରସାରିତ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁ ନାହିଁ।

ବିଜେପିକୁ ମଧ୍ୟ ଘାରିଲାଣି ସମାନ ଆଶଙ୍କା

ବିଜେପି ନେତମାନଙ୍କ ମଧ୍ୟରେ ସମାନ ଆଶଙ୍କା ସୃଷ୍ଟି ହେଲାଣି। ସେମାନଙ୍କ ମତରେ ହାଥରସ୍ ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ ପୋଲିସ ଓ ପ୍ରଶାସନ ହିଁ ବିରୋଧୀଙ୍କ ହାତରେ ନୂଆ ଅସ୍ତ୍ର ଟେକି ଦେଇଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶରେ କାର୍ଯ୍ୟ କରିଛନ୍ତି। ବିହାରରେ ଦଳିତ ଭୋଟରଙ୍କ ସଂଖ୍ୟା (୧୮ ପ୍ରତିଶତ)କୁ ମୁଣ୍ଡରେ ରଖି ନୂଆ କରି ବିଜେପିର ତଫସିଲ୍ ମୋର୍ଚ୍ଚା ମୁଖ୍ୟ ହୋଇଥିବା ଲାଲ୍ ସିଂହ ନିଜେ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଏହି ଦୁଶ୍ଚିନ୍ତା ବ୍ୟକ୍ତ କରିଛନ୍ତି। ହାଥରସ୍‌ର ମୃତ ପୀଡ଼ିତାଙ୍କୁ ରାତି ଅଧିଆ ଡିଜେଲ୍‌ ଢାଳି ସତ୍କାର କରିଦେବା ଘଟଣା ଦଳିତ ସମାଜକୁ ଭୁଲ୍ ବାର୍ତ୍ତା ଦେଇଛି ବୋଲି ଲାଲ୍ ସିଂହଙ୍କ ମତ। ବିଜେପି ନେତାଙ୍କର ଏହି କ୍ଷୋଭ ମଧ୍ୟ ଶୁଣିବାକୁ ମିଳିଛି ଉମା ଭାରତୀଙ୍କ ନିକଟରୁ। ଉତ୍ତରପ୍ରଦେଶ ପୋଲିସ୍ ଯାହା  କଲା ତାହା କେବଳ ଯୋଗୀ ସରକାରକୁ ନିକିତି କରିନାହିଁ, ସାରାଦେଶରେ ବିଜେପିକୁ ସମାଲୋଚିତ କରୁଛି ବୋଲି କହିଛନ୍ତି ଉମାଭାରତୀ।

ରାହୁଲ୍ପ୍ରିୟଙ୍କା ସକ୍ରିୟ, ମାୟାବତୀଅଖିଳେଶ ନିଷ୍କ୍ରିୟ

ଉତ୍ତରପ୍ରଦେଶରେ ହାଥରସ୍ ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯେଉଁଭଳି ଯୋଗୀ ସରକାରକୁ ଆକ୍ରମଣ କରୁଛନ୍ତି, ସେଭଳି ସକ୍ରିୟତା ଦଳିତ ନେତ୍ରୀ ବୋଲାଉଥିବା ମାୟାବତୀ ଏବଂ ଏସ୍‌ପି ନେତା ଅଖିଳେଶ ଯାଦବଙ୍କଠାରେ ଦେଖିବାକୁ ମିଳୁନାହିଁ। ୟୁପି ପୋଲିସ୍‌ର ବିରୋଧ ସତ୍ତ୍ଵେ ନିଗୃହୀତ ହୋଇଥିବା ରାହୁଲ୍ ଓ ପ୍ରିୟଙ୍କା ହଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବାର ସତ୍‌ସାହସ ଜୁଟାଇ ପାରିଲେ। ମାୟାବତୀ ଏବଂ ଅଖିଳେଶଙ୍କୁ କିନ୍ତୁ ପୀଡ଼ିତାଙ୍କ ଗ୍ରାମ ନିକଟରେ ଦେଖିବାକୁ ମିଳିଲା ନାହିଁ। ମାୟାବତୀ କେବଳ ଥଣ୍ଡା ଘରେ ବସି ଯୋଗୀ ସରକାର ବିରୋଧୀ ଏକ ମନ୍ତବ୍ୟ ଦେଇ କାମ ସାରିଦେଇଛନ୍ତି। ଏସ୍‌ପିର ଯେଉଁ ନେତାମାନେ ଧାରଣାରେ ବସିଥିଲେ ସେମାନଙ୍କ ଗୁରୁତ୍ଵ ଦଳରେ ନଗଣ୍ୟ। ପ୍ରଶ୍ନ ଉଠୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନାଲି ଆଖି ମାୟାବତୀ ଓ ଅଖିଳେଶଙ୍କୁ ଏଭଳି ସଙ୍କୁଚିତ କରିଦେଇଛି କି?

୨୦୨୨ ପର୍ଯ୍ୟନ୍ତ ମନେ ରହିବ ହାଥରସ୍ ଘଟଣା!

ରାଜନୈତିକ ମହଲରେ ପ୍ରଶ୍ନ – ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ କ’ଣ ମନେରହିବ ହାଥରସ୍ ଘଟଣା? ଭାରତୀୟ ଭୋଟରଙ୍କ ସ୍ମରଣଶକ୍ତି ସେତେ ବେଶୀ ଶକ୍ତିଶାଳୀ ନୁହେଁ, ସୁତରାଂ ହାଥରସ୍ ଘଟଣା ସେହି ନିର୍ବାଚନରେ ଏକ ପ୍ରସଙ୍ଗ ହୋଇପାରିବ କି ନାହିଁ ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍। କିନ୍ତୁ ବିଜେପି ପ୍ରତି ଦଳିତ ସମ୍ପ୍ରଦାୟର ଘୃଣାକୁ କାର୍ଯ୍ୟରେ ଲଗାଇବା ସକାଶେ ସକ୍ରିୟ ହୋଇ ଉଠିଛନ୍ତି ରାହୁଲ ଓ ପ୍ରିୟଙ୍କା।

ଦେଖିବାକୁ ଗଲେ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରେ ଉତ୍ତରପ୍ରଦେଶରେ ଦଳିତଙ୍କ ଉପରେ କେବଳ ନିର୍ଯାତନା ବଢ଼ିନାହିଁ, ସେମାନେ ପ୍ରଶାସନିକ ଓ ସାମାଜିକସ୍ତରରେ ମଧ୍ୟ ଦୈନନ୍ଦିନ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହି ରାଜ୍ୟରେ ଅଧିକ ସୁଯୋଗ ମିଳୁଛି ଉଚ୍ଚବର୍ଗ ଓ ଠାକୁରମାନଙ୍କୁ। ସୁତରାଂ ଯୋଗୀଙ୍କ ଶାସନ କାଳରେ ଏହି ଯେଉଁ ସାମାଜିକ ବୈଷମ୍ୟ ସୃଷ୍ଟି ହୋଇଛି, ତାହା ଉତ୍ତରପ୍ରଦେଶକୁ ଏକ ଅପରାଧପ୍ରବଣ ରାଜ୍ୟରେ ପରିଣତ କରିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ।

ଉଚ୍ଚବର୍ଗ ବି ସନ୍ତୁଷ୍ଟ ନୁହଁନ୍ତି

କେବଳ ଦଳିତ ନୁହଁନ୍ତି, ଠାକୁର ସମ୍ପ୍ରଦାୟଭୁକ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଉଚ୍ଚବର୍ଗ ବ୍ରାହ୍ମଣମାନେ ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି। ଅଭିଯୋଗ ଉଠିଛି ଯେ, ଯୋଗୀ ରାଜ୍ୟରେ ହେଉଥିବା ଏନକାଉଣ୍ଟର ଉଚ୍ଚବର୍ଗର ବ୍ୟକ୍ତିଙ୍କ ପ୍ରାଣ ନେଉଛି। ଏଥିପାଇଁ ସ୍ଥାନୀୟ ବିଜେପି ବିଧାୟକ ଓ ନେତାମାନେ ପରୋକ୍ଷରେ ଯୋଗୀ ସରକାରକୁ ସମାଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର କଂଗ୍ରେସ ନେତାମାନେ ତ ଯୋଗୀଙ୍କର ଠାକୁର ପରିଚୟକୁ ସାମ୍ନାକୁ ଆଣିଲେଣି। ସେମାନେ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କର ମୂଳନାମ ଅଜୟ ସିଂହ ବିସ୍ତୁ ଡାକିବାକୁ ଦ୍ଵିଧା କରୁନାହାନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment