କମଳାକାନ୍ତ ପତି

ପ୍ରାୟ ଚାରି ଦଶନ୍ଧିର ରାଜନୈତିକ କ୍ୟାରିୟର ମଧ୍ୟରେ ବିହାରୀ ନେତା ରାମ ବିଳାଶ ପାଶ୍ୱାନ ଯେଉଁ ସ୍ୱପ୍ନ ପୂରଣ କରିପାରିନାହାନ୍ତି, ତାହାକୁ ବାସ୍ତବ ରୂପ ଦେବା ସକାଶେ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି ପୁତ୍ର ଚିରାଗ ପାଶ୍ୱାନ। ବିଭିନ୍ନ ମହଲର ପ୍ରଶ୍ନ ଏହି ପ୍ରଚେଷ୍ଟାରେ କ’ଣ ସଫଳ ହୋଇପାରିବେ ଚିରାଗ?

ରାଜ୍ୟ ରାଜନୀତିରେ ଅସଫଳ ପାଶ୍ୱାନ!

୧୯୬୦ ଦଶକରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନ ବେଳେ ବିହାରର ଯେଉଁ ଛାତ୍ର ନେତାମାନେ ଚର୍ଚ୍ଚାକୁ ଆସିଥିଲେ, ସେମାନେ ଥିଲେ ଲାଲୁ ପ୍ରସାଦ ଯାଦବ, ନୀତିଶ କୁମାର, ସୁଶୀଲ ମୋଦୀ, ରାମ ବିଳାସ ପାଶ୍ୱାନ ଏବଂ ସଞ୍ଜୟ ଯାଦବ। ଏମାନେ ସମସ୍ତେ ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟର ଛାତ୍ର। ସେବେଠାରୁ ଏହି ଛାତ୍ରନେତାମାନେ ସମାଜବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ମୈଦାନରେ ପଦାର୍ପଣ କରିଥିଲେ। କାଳକ୍ରମେ ଏହି ଛାତ୍ର ନେତାମାନେ ଜନତା ଦଳ, ଜନତା ପାର୍ଟିର ପରିଧି ଡେଇଁ ଭିନ୍ନ ଭିନ୍ନ ରାଜନୈତିକ ଦଳ ଗଢ଼ିଛନ୍ତି। ଆଦର୍ଶଗତି ଦୃଷ୍ଟିରୁ ସମାଜବାଦୀ ଆଭିମୁଖ୍ୟକୁ ଜଳାଞ୍ଜଳି ଦେଇନାହାନ୍ତି।

ଲାଲୁପ୍ରସାଦ ଯାଦବ ଜନତା ପାର୍ଟିରୁ ପୃଥକ ହୋଇ ଗଢ଼ିଥିଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)।  ଏହି ଦଳକୁ ସଫଳ କରାଇ ସେ ବେଶ୍‌ କିଛି ମିଆଦ ଧରିଲେ ବିହାର ଶାସନ ମଙ୍ଗ। ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଗଠନ କରି ନୀତିଶ୍‌ କୁମାର ଗତ ତିନି ମିଆଦ ଧରି ବିହାର ଶାସନ କ୍ଷମତାକୁ ନିଜ ହାତରେ ରଖିଛନ୍ତି। ଏଥିପାଇଁ ଅବଶ୍ୟ ତାଙ୍କୁ ବିଜେପିର ସହାୟତା ନେବାକୁ ପଡ଼ିଛି। ସୁଶୀଲ ମୋଦୀ ବିଜେପିରେ ରହି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲାଲୁଙ୍କ ଅନିଚ୍ଛା କାରଣରୁ ସଞ୍ଜୟ ଯାଦବ ରାଜ୍ୟ ରାଜନୀତିରେ ନିଷ୍ପ୍ରଭ। କିନ୍ତୁ ପାର୍ଲାମେଣ୍ଟର ସର୍ବକନିଷ୍ଠ ଲୋକସଭା ସଦସ୍ୟ ହୋଇପାରିଥିବା ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟ ରାଜନୀତିରୁ ବାହାର କରି ଫିଙ୍ଗି ଦେବାରେ ଯାହାଙ୍କର ଚୂଡ଼ାନ୍ତ କାର୍ଯ୍ୟ କରିଥିଲା, ସେ ହେଉଛନ୍ତି ନୀତିଶ କୁମାର। ସମ୍ଭବତଃ ନୀତିଶଙ୍କ ପାଇଁ ପାଶ୍ୱାନଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଅଧୁରା ରହିଗଲା।

ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଗ୍ରହୀ ଚିରାଗ

ଚିରାଗଙ୍କ ଆଶା ବିହାରରେ ମୁଖ୍ୟମନ୍ତ୍ରୀ ଆସନରେ ବସି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ। ସେଥିପାଇଁ ସେ ରଙ୍ଗିନ ଦୁନିଆକୁ ଅଲବିଦା କରି ରୁପେଲି ପରଦାରୁ ସିଧା ଓହ୍ଲାଇ ଆସିଛନ୍ତି ରାଜନୈତିକ ମଇଦାନକୁ। ଅସୁସ୍ଥ ରାମ ବିଳାସ ପୁତ୍ରର ରାଜନୈତିକ ଉଚ୍ଚାକାଂକ୍ଷା ଦେଖି ତାଙ୍କୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାଷ୍ଟ୍ରୀୟ ସଭାପତି ମଧ୍ୟ କରିଦେଇଛନ୍ତି। ଚିରାଗଙ୍କ ଉଚ୍ଚାଭିଳାଷ ତାଙ୍କୁ ଏଥର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବାର ସିଦ୍ଧାନ୍ତ ନେବାକୁ ବାଧ୍ୟ କରିଛି।

ତାଙ୍କର କିନ୍ତୁ ବିଜେପି ସହ କୌଣସି ମତାନ୍ତର କିମ୍ବା ମତଭେଦ ନାହିଁ। ବିହାର ଭୋଟ୍‌ରେ ଏଲ୍‌ଜେପିର କୌଣସି ପ୍ରାର୍ଥୀ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆସନରୁ ଲଢ଼ିବେ ନାହିଁ। ଏଲଜେପି ପ୍ରାର୍ଥୀମାନେ କେବଳ ଜେଡିୟୁ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବାଦ୍ ବିରୋଧୀ ମହାମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ ଏଲ୍‌ଜେପିର ମଧ୍ୟ ଲଢ଼େଇ ହେବ।

କାହିଁକି ଜେଡିୟୁ ସହ ଏଲ୍‌ଜେପିର ବିବାଦ

କେନ୍ଦ୍ରୀୟସ୍ତରରେ ଏଲ୍‌ଜେପି ଏନ୍‌ଡିଏ ସହ ସାମିଲ ହୋଇ ରହିଛି। ଏନ୍‌ଡିଏର ନେତୃତ୍ୱ ନେଉଥିବା ବିଜେପି ସହ ଏଲ୍‌ଜେପିର କୌଣସି ମତଭେଦ ନାହିଁ। ରାମବିଳାସ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଅଛନ୍ତି। ତେବେ ବିହାରରେ ଏନ୍‌ଡିଏରୁ କାହିଁକି ପୃଥକ ହୋଇଗଲା ଏଲ୍‌ଜେପି। ବାସ୍ତବ କଥା ହେଉଛି ଏନ୍‌ଡିଏରେ ରହିଥିବା ଜେଡିୟୁର ନେତା ନୀତିଶ କୁମାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି ଚିରାଗ। ଜେଡିୟୁ ସହ ଏଲ୍‌ଜେପିର ମତଭେଦ ଆଜିର ଘଟଣା ନୁହେଁ। ଦୀର୍ଘ ୧୫ ବର୍ଷ ଧରି ଏହି ଦୁଇ ଦଳ ମଧ୍ୟରେ ବିଶେଷ କରି ନୀତିଶ ଓ ରାମବିଳାସଙ୍କ ମଧ୍ୟରେ ମତାନ୍ତର ଲାଗି ରହିଛି। ଯେଉଁ ବ୍ୟକ୍ତିଙ୍କ ପ୍ରତାରଣା କାରଣରୁ ବାପାଙ୍କର ରାଜ୍ୟ ରାଜନୀତିରେ ପତିଆରା କ୍ଷୁଣ୍ଣ ହୋଇଛି, ତାହାକୁ ପୁତ୍ର ହିସାବରେ ଚିରାଗ ମାନିନେଇ ପାରିବେ କିପରି?

ପୁରୁଣା ବିବାଦର ପ୍ରତିଶୋଧ ନେଉଛନ୍ତି ଚିରାଗ

ତତ୍‌କାଳୀନ ଅଟଳ ବିହାରୀ ବାଜପାୟୀଙ୍କ ସରକାରରୁ ଇସ୍ତଫା ଦେବା ପରେ ରାମବିଳାସ ପାଶ୍ୱାନ ୨୦୦୫ରେ ଗଢ଼ିଥିଲେ ଲୋକ ଜନଶକ୍ତି ପାର୍ଟି। ସେହି ବର୍ଷ ନୀତିଶ କୁମାରଙ୍କ ଜେଡିୟୁ, ବିଜେପି ସହ ମିଶି ବିହାରରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଲାଲୁ ପ୍ରସାଦଙ୍କ ଆରଜେଡି ବିରୋଧରେ ଜେଡିୟୁ-ବିଜେପି ମେଣ୍ଟ ଭୋଟ୍ ଲଢ଼ିଥିଲେ ମଧ୍ୟ ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିଲା। ସେହି ନିର୍ବାଚନ ଏକାକୀ ଲଢ଼ିଥିଲା ପାଶ୍ୱାନଙ୍କ ଏଲ୍‌ଜେପି। ଦଳକୁ ମିଳିଥିଲା ମାତ୍ର ୨୯ ଆସନ।

ସରକାର ଗଢ଼ିବା ସକାଶେ ସମର୍ଥନ ପାଇଁ ନୀତିଶ କୁମାର ପାଶ୍ୱାନଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଏଲ୍‌ଜେପିରେ ବିଭାଜନ ଘଟାଇ ୨୩ ବିଧାୟକଙ୍କୁ ଟାଣିନେବା ସକାଶେ ଉଦ୍ୟମ କରିଥିଲେ। ମାତ୍ର ଏଥିରେ ସଫଳ ନ ହେବାରୁ ତ୍ରିଶଙ୍କୁ ବିଧାନସଭା ଅବସ୍ଥା ଦୂର ସକାଶେ ପୁନର୍ବାର ନିର୍ବାଚନ କରିବାକୁ ପଡ଼ିଥିଲା। ସେହି ନିର୍ବାଚନରେ ଜେଡିୟୁ-ବିଜେପି ମେଣ୍ଟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିଲା। ସେତେବେଳେ ଏଲ୍‌ଜେପିକୁ ମିଳିଥିଲା ମାତ୍ର ୧୦ଟି ଆସନ। ନୀତିଶଙ୍କ ସହ ପାଶ୍ୱାନଙ୍କର ସେବେଠାରୁ ବିବାଦ।

ମହାଦଳିତ କ୍ୟାଟାଗୋରୀରୁ ବାଦ୍ ପଡ଼ିଥିଲା ପାଶ୍ୱାନ ଜାତି

ପାଶ୍ୱାନଙ୍କଠାରୁ ନିରାଶ ହେବା ପରେ କ୍ଷୁବ୍‌ଧ ନୀତିଶ୍ ସେଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ। ଯେଉଁ ଦଳିତ ସମାଜ ପାଇଁ ତାଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା, ସେହିମାନଙ୍କ ସକାଶେ ସୃଷ୍ଟି କଲେ ମହାଦଳିତ କ୍ୟାଟେଗୋରୀ। ବିଡ଼ମ୍ବନାର କଥା ହେଉଛି ଏହି କ୍ୟାଟେଗୋରୀରେ ପାଶ୍ୱାନ ଜାତିକୁ ସାମିଲ କଲେ ନାହିଁ ନୀତିଶ। ବିହାରରେ ପାଶ୍ୱାନ ଜାତିର ଲୋକସଂଖ୍ୟା ୫ ପ୍ରତିଶତ। ସେମାନଙ୍କୁ ନୀତିଶ ସରକାର ମହାଦଳିତ କ୍ୟାଟେଗୋରୀରୁ ବାହାରେ ରଖିବା ଘଟଣା ରାମବିଳାସଙ୍କୁ କ୍ଷୁବ୍‌ଧ କରିଥିଲା। ଏପରିକି ୨୦୧୬ରେ ନୀତିଶ୍ ଯେତେବେଳେ ଆରଜେଡି ମହାମେଣ୍ଟରୁ ବାହାରି ଆସି ବିଜେପି ସହ ହାତ ମିଳାଇ ସରକାର ଗଢ଼ିଲେ, ସେତେବେଳେ ଏଲ୍‌ଜେପିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ କଲେ ନାହିଁ। ତେଣୁ ଏଲଜେପି ଜେଡିୟୁ ମଧ୍ୟରେ ଝଗଡ଼ା ତୀବ୍ରତର ହୋଇଥିଲା।

ରାମ ବିଳାସଙ୍କ ଫର୍ମୁଲା ଫେଲ୍ ମାରିଥିଲା

କେବଳ ମଝି ପାଞ୍ଚ ବର୍ଷ (୨୦୦୯ରୁ ୧୪)କୁ ବାଦ୍ ଦେଲେ ୧୯୯୬ରୁ କେନ୍ଦ୍ରରେ ବିଭିନ୍ନ ସରକାରରେ ମନ୍ତ୍ରୀ ରହି ଆସିଥିବା ରାମବିଳାସ ନିର୍ବାଚନରେ ଲାଲୁପ୍ରସାଦଙ୍କ ଦଳ ସହ ହାତ ମିଳାଇ ଦଳିତ -ମୁସଲିମ୍ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ମଧ୍ୟ ସଫଳ ହେଲା ନାହିଁ। ଏବେ ଚିରାଗ ନିଜସ୍ୱ ପ୍ରଚେଷ୍ଟାରେ ବିହାରରେ ଏଲ୍‌ଜେପିକୁ ପ୍ରତିଷ୍ଠିତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିରେ ସେ କେତେଦୂର ସଫଳ ହେବେ ଭିନ୍ନ କଥା, କିନ୍ତୁ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ନିଷ୍ପତ୍ତି ନେଇ ଆଗକୁ ନିଜର ମୈଦାନ ଖୋଲା ରଖିବାର ପ୍ରୟାସ କରିଛନ୍ତି। ବିହାରବାସୀ ନୀତିଶଙ୍କ ଜେଡିୟୁଠାରୁ ମୁହଁ ଫେରାଇ ଯଦି ଯୁବନେତା ଚିରାଗଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ତେବେ ତାଙ୍କର ସ୍ୱପ୍ନ ବାସ୍ତବତାର ଆଲୋକ ଦେଖିପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment