ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶେଷ। ଏବେ ବିହାର ବିଧାନସଭା ନିର୍ବାଚନର ଦୁଇ ତୃତୀୟାଂଶ ଆସନର ଚିତ୍ର ସ୍ପଷ୍ଟ ହୋଇଯିବ। ଏହା ହିଁ ନିର୍ଣ୍ଣୟ କରିବ ଯେ ବିହାର ଶାସନର ମଙ୍ଗ କିଏ ଧରିବ। ନୀତିଶ ନା ତେଜସ୍ୱୀ?

ନିର୍ଣ୍ଣାୟକ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଫଳ

ନୀତିଶ କୁମାର ବିହାରରେ ପୁଣି କ୍ଷମତାସୀନ ହେବେ ନା ବିଧାନସଭା ନିର୍ବାଚନ ପରେ ରାଜ୍ୟର ସବୁଠୁ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇବେ ତେଜସ୍ୱୀ ଯାଦବ। ଏହି ପ୍ରଶ୍ନର ଉତ୍ତର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପରେ ସ୍ପଷ୍ଟ ହୋଇଯିବ।

ଗତ ଅକ୍ଟୋବର ୨୮ରେ ବିହାରର ୧୬ଟି ଜିଲାର ୭୧ଟି ବିଧାନସଭା ଆସନରେ ଭୋଟ୍ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୭ ଜିଲାର ୯୪ଟି ଆସନ ପାଇଁ ଭୋଟ୍ ପଡ଼ିଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୫ ବା ଦୁଇ ତୃତୀୟାଂଶ ଆସନରେ ଭୋଟ୍ ପଡ଼ିସାରିଛି। ନଭେମ୍ବର ୭ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟ୍‌ କେବଳ ଶାସକ ଦଳ ଓ ବିରୋଧୀଙ୍କ ଭିତରେ ଥିବା ମାର୍ଜିନ ବା ବ୍ୟବଧାନକୁ ସାବ୍ୟସ୍ତ କରିବ।

ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ କରିଛନ୍ତି ତେଜସ୍ୱୀ

ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ବିପକ୍ଷରେ ଲଗାତର ଶାଣିତ ସ୍ୱର ଚଳାଇ ଆସୁଥିବା ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ବହୁ ଗୁରୁତ୍ୱ ରଖୁଛି। ତେଜସ୍ୱୀଙ୍କ ରାଲିଗୁଡ଼ିକରେ ଅଧିକ ଜନସମାବେଶ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଭଲ ଭାବେ ପ୍ରଦର୍ଶିତ ଓ ପ୍ରଚାରିତ ହେବା ପାଇଁ ତାଙ୍କ ରାଲିଗୁଡ଼ିକ ପାଇଁ ଆର୍‌ଜେଡି ସୁଚିନ୍ତିତ ଭାବେ ଛୋଟ ଛୋଟ ପଡ଼ିଆ ବାଛିଛି।

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଭୋଟ୍‌ ପଡୁଥିବା ୯୪ଟି ଆସନରୁ ଆର୍‌ଜେଡି ୫୬ଟିରେ ନିର୍ବାଚନ ଲଢୁଛି। ଏହି ଆସନ ମଧ୍ୟରୁ ୨୭ଟି ଆସନରେ ଆର୍‌ଜେଡି ସହ ବିଜେପିର ସିଧାସଳଖ ଲଢ଼େଇ ହେଉଛି। ସେହିପରି ୨୪ଟି ଆସନରେ ଜେଡିୟୁ ସହ ଏବଂ ଅବଶିଷ୍ଟ ୫ଟି ଆସନରେ ଏନ୍‌ଡିଏ ବିକାଶଶୀଲ ଇନ୍‌ସାନ୍‌ ପାର୍ଟି ସହ ଆର୍‌ଜେଡିର ଲଢ଼େଇ ଦେଖିବାକୁ ମିଳିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନ ଓ ଜେଡିୟୁ ୪୩ଟି ଆସନରେ ଲଢୁଛନ୍ତି। ସେହିପରି କଂଗ୍ରେସ ୨୪ଟି ଆସନରେ ବିପକ୍ଷ ପ୍ରାର୍ଥୀଙ୍କୁ ମୁକାବିଲ କରୁଛି।

ଗତ ଥର ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନରୁ ଆର୍‌ଜେଡି ୪୨ଟିରେ ନିର୍ବାଚନ ଲଢ଼ି ୩୩ଟି ଆସନ ହାତେଇଥିଲା। ତେବେ ୨୦୧୫ ଓ ୨୦୨୦ର ଚିତ୍ର ସମ୍ପୂର୍ଣ୍ଣ ଅଲଗା। ୫ ବର୍ଷ ତଳେ ଆର୍‌ଜେଡି-କଂଗ୍ରେସ ମହାମେଣ୍ଟ ସହ ଥାଇ ନୀତିଶ କୁମାରଙ୍କ ଜେଡିୟୁ କ୍ଷମତାସୀନ ହୋଇଥିଲା।

ଦ୍ୱିତୀୟ ପର୍ଯ୍ୟାୟର ୯୪ ଆସନରୁ ହିଁ ଆସିବ ମଙ୍ଗୁଆଳଙ୍କ ସଙ୍କେତ

ଜେଡିୟୁ ଗତ ଥର ଏହି ୯୪ ଆସନରୁ ୪୧ଟିରେ ପ୍ରାର୍ଥୀ ଦେଇ ୩୦ଟିରେ ବିଜୟ ହାସଲ କରିଥିଲା। ସେହିପରି ୬୩ରୁ ବିଜେପି ୨୦, କଂଗ୍ରେସ ୧୧ଟିରେ ଲଢ଼ି ୭ଟି ଆସନ ପାଇଥିଲା। ଏଥର ଏକାକୀ ନିର୍ବାଚନ ଲଢୁଥିବା ଏଲ୍‌ଜେପି ୨୧ରୁ ମାତ୍ର ୨ଟି ଆସନ ଦଖଲ କରିଥିଲା।

ଏହି ୯୪ଟି ଆସନରୁ ୭୦ଟି ଆସନ ହାତେଇ ଆର୍‌ଜେଡି-ଜେଡିୟୁ-କଂଗ୍ରେସ ମହାମେଣ୍ଟ ୨୦୧୫ରେ କ୍ଷମତାକୁ ଆସିଥଲା। ଅନ୍ୟପକ୍ଷରେ ଏହି ପର୍ଯ୍ୟାୟରେ ହିଁ ଆର୍‌ଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଓ ତାଙ୍କ ଭାଇ ତେଜପ୍ରତାପଙ୍କ ଆଜି ଭୋଟ୍‌ ପଡ଼ିଛି। ତେଜସ୍ୱୀ ବୈଶାଲୀ ଜିଲାର ରାଘପୁର ଓ ତେଜପ୍ରତାପ ସମସ୍ତିପୁର ଜିଲାର ହସନପୁର ଆସନରୁ ନିର୍ବାଚନ ଲଢୁଛନ୍ତି। ରାଘପୁରରେ ତେଜସ୍ୱୀଙ୍କ ବିପକ୍ଷରେ ଅଛନ୍ତି ବିଜେପିର ସତିଶ କୁମାର। ୨୦୧୦ରେ ସତିଶ ତେଜସ୍ୱୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀଙ୍କୁ ହରାଇଥିଲେ। ୨୦୧୫ରେ ସତିଶଙ୍କୁ ହରାଇଥିଲେ ତେଜସ୍ୱୀ। ତେଣୁ ଏହି ସବୁ ଦୃଷ୍ଟିରୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌କୁ ବିହାର ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ବୋଲି ଗଣୁଛନ୍ତି ରାଜନୀତି ସମୀକ୍ଷକ ମହଲ।

Comment