ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶହରା ପର୍ବ ପାଳନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ପରିମାଣର ସମୟ ପୁରି ଯାଇଥିବା ବିୟର ଜବତ କରାଯାଇଛି। ବ୍ରହ୍ମପୁର ସହରର ବିଭିନ୍ନ ମଦ ଦୋକାନରୁ ଏହା ଜବତ ହୋଇଛି। ସ୍ଥାନୀୟ ଲୋକେ କାଳ ପୁରି ଯାଇଥିବା ବିୟର ବିକ୍ରି ହେଉଥିବା ଅଭିଯୋଗ ଆଣିବା ପରେ ଏହି ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ। ଏହି ଚଢ଼ାଉରେ ଅବକାରୀ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ।

ଏକ୍ସପାଇରରି ତାରିଖ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ଦୋକାନରେ ବିୟର  ବିକ୍ରି ଚାଲିଥିଲା। ଏହି ବିୟର ବୋତଲ ଗୁଡ଼ିକ ପ୍ରାୟ ୮/୯ ମାସ ତଳୁ ଅଲୋଡ଼ା ହୋଇ ସାରିଥିଲା। ଅଧିକାଂଶ ବୋତଲରୁ ତାରିଖ ଲେବୁଲ ଉଠାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ ଗ୍ରାହକ। କିଛି ଦୋକାନରେ ଖାଲି ଲେବୁଲକୁ ଅଧିକାରୀ ମାନେ ଜବତ କରିଛନ୍ତି।

ଉପଖଣ୍ଡ ବିପର୍ଯ୍ୟୟ ପରିଚାଳନା ମାଜିଷ୍ଟ୍ରେଟ ଶ୍ୱେତ କୁମାର ଦାସ  ନିଜେ ଜଣେ ଗ୍ରାହକ ହିସାବରେ ବିୟର କିଣିବା ପାଇଁ ଯାଇଥିଲେ ଓ ସେଠି ଏହି ଜାଲି ଘଟଣା ଦେଖିବାକୁ ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଯେଉଁ ବିୟର ବୋତଲର ସମୟ ଶେଷ ହୋଇ ଯାଇଥିଲା ତାହାକୁ ତିନି ମାସ ମଧ୍ୟରେ ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା କିନ୍ତୁ ଏହି ବିୟର ବ୍ୟବହାରଯୋଗ୍ୟ କି ନୁହେଁ ତାହା ତଦାରଖ କରିବା ପରେ ଯାଇ ସେଗୁଡ଼ିକ ବିକ୍ରି ହୋଇ ପାରିବ ବୋଲି ସରକାରୀ ନିର୍ଦ୍ଦେଶରେ କୁହାଯାଇଥିଲା। ହେଲେ ସେହି ନିର୍ଦ୍ଦେଶକୁ କେହି ମାନୁନଥିଲେ।

Comment