ଓଡ଼ିଶାଲାଇଭ୍ ବ୍ୟୁରୋ

ସେ ନିଜେ ଲୋକଙ୍କୁ କୋଭିଡ୍ ମହାମାରୀ ମୁହଁରୁ ବଞ୍ଚାଉଥିଲେ। ଆମ୍ବୁଲାନ୍ସରେ ବସାଇ କରୋନା ରୋଗୀମାନଙ୍କୁ ଆଇସୋଲେସନ ସେଣ୍ଟର ଆଉ ହସ୍ପିଟାଲ ନେଇଯାଉଥିଲେ। ହେଲେ ମହାମାରୀ ଭୂତାଣୁ ଏବେ ତାଙ୍କ ନିଜ ଜୀବନ ନେଇଯାଇଛି।

ଦିଲ୍ଲୀର ଆମ୍ବୁଲାନ୍ସ ଡ୍ରାଇଭର ଆରିଫ୍ ଖାନଙ୍କର ଶନିବାର କୋଭିଡରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶୋକ ପ୍ରକାଶ କରିବା ସହିତ କୋଭିଡ୍ ଯୁଦ୍ଧରେ ତାଙ୍କର କର୍ତ୍ତବ୍ୟକୁ ସମ୍ମାନ ଜଣାଇଛନ୍ତି।

ଦିଲ୍ଲୀର ଅରିଫ୍ ଖାନ୍ ଗତ ୨୫ ବର୍ଷ ହେଲା ସହିଦ ଭଗତ ସିଂହ ସେବା ଦଳ ସହ ଜଡ଼ିତ ଥିଲେ। ମହାମାରୀ ଆସିବା ପରେ ମାର୍ଚ୍ଚ ୨୧ ତାରିଖରୁ ସେ ଆମ୍ବୁଲାନ୍ସରେ କରୋନା ରୋଗୀମାନଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ। ହେଲେ ଶନିବାର ସେ ନିଜେ କରୋନାରେ ପ୍ରାଣ ହରାଇଛନ୍ତି।

ସେ ଏହି ସମୟ ମଧ୍ୟରେ ପ୍ରାୟ ୨୦୦ ରୋଗୀଙ୍କୁ ଆମ୍ବୁଲାନ୍ସରେ ମାଗଣାରେ ନେବା ଆଣିବା କରିବା ସହ ପ୍ରାୟ ୧୦୦ ଜଣଙ୍କର ଶବସତ୍କାର କରିଛନ୍ତି ବୋଲି ସୂଚନା ମିଳିଛି। କୋଭିଡ୍ ଯୁଦ୍ଧରେ ତାଙ୍କର ଏହି ବଳୀଦାନ ସମସ୍ତଙ୍କ ପାଇଁ ଆଦର୍ଶ ହେବ ବୋଲି ସହିଦ ଭଗତ ସିଂହ ସେବା ଦଳର ଅଧ୍ୟକ୍ଷ ଜିତେନ୍ଦ୍ର ସିଂହ କହିଛନ୍ତି।

ଆରିଫ୍ ଖାନ୍ ଗତ ଅକ୍ଟୋବର ୩ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର କୋଭିଡ୍ ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଶନିବାର ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Comment