ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ପାଇଁ କଟକଣା କାହିଁରେ କେତେ। ରୋଗୀଙ୍କ ନିକଟକୁ ଯିବା ମଧ୍ୟ ମନା। ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଉ ନର୍ସମାନେ ପିପିଇ କିଟସ୍ ପିନ୍ଧିବା ବାଧ୍ୟତାମୂଳକ। ଏତେସବୁ କଡା କଟକଣା ଥାଇ ବି କେନ୍ଦ୍ରପଡ଼ା ଜିଲ୍ଲାରେ ଏକ ବିଦ୍ୟାଳୟରେ ଚାଲୁଥିବା କୋଭିଡ କେୟାର ସେଣ୍ଟର ମଧ୍ୟକୁ ଶିକ୍ଷକମାନଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ମନ୍ମଥନାଥ ହାଇସ୍କୁଲରେ ଚାଲିଛି କୋଭିଡ କେୟାର ସେଣ୍ଟର। ଯେଉଁମାନେ ଏବେ କୋଭିଡ ପଜିଟିଭ ରୋଗୀ ବାହାରୁଛନ୍ତି ଓ ସେମାନଙ୍କ ନିଜଘରେ ସଙ୍ଗରୋଧରେ ରହିବାର ବ୍ୟବସ୍ଥା ନାହିଁ, ଜିଲ୍ଲା ପ୍ରଶାସନ ସେମାନଙ୍କୁ ଆଣି ଏହି କୋଭିଡ କେୟାର ସେଣ୍ଟରରେ ସଙ୍ଗରୋଧରେ ରହିବାର ବ୍ୟବସ୍ଥା କରିଛନ୍ତି। ତେବେ କୋଭିଡ ବିପଦ ଥାଇ କିପରି ଏହି ସ୍କୁଲ ମଧ୍ୟକୁ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରବେଶ କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟ ସରକାର ପୂଜା ଛୁଟିପରେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସ୍କାର ପରିଛନ୍ନ କରିବା ଓ ସ୍କୁଲକୁ ଶିକ୍ଷକମାନେ ଆସିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁସବୁ ବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର ଚାଲିଛି ସେସବୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବାରୁ କୋଭିଡ କେୟାର ସେଣ୍ଟର ଥିବା ପଟ୍ଟାମୁଣ୍ଡାଇ ଏମ୍ ଏନ୍ ହାଇସ୍କୁଲରେ ଆଜି ଶିକ୍ଷକମାନେ ପହଞ୍ଚି ଅନଲାଇନରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାର ବ୍ୟବସ୍ଥା କରିଥିଲେ।

ଏସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ଶିକ୍ଷାଅଧିକାରୀ ସଞ୍ଜିବ ସିଂହଙ୍କୁ କୈଫତ୍ ତଲବ କରିଛନ୍ତି। ତେବେ ଏହି ବିଦ୍ୟାଳୟର କୋଭିଡ କେୟାର ସେଣ୍ଟର ଥିବା ପର୍ଯ୍ୟନ୍ତ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆଉ ପ୍ରବେଶ ନକରାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ପଟ୍ଟାମୁଣ୍ଡାଇ ସହରର ସରକାରୀ ବାଳିକା ବିଦ୍ୟାଳୟ ସହିତ, ଏମ୍ ଏନ୍ ହାଇସ୍କୁଲର ଶିକ୍ଷକମାନଙ୍କୁ ଯୋଡି ଦିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲକୁ କୋଭିଡ ସେଣ୍ଟର କରାଯାଇଛି। କିନ୍ତୁ ସରକାର କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆସିବାକୁ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବେହେରା କିପରି ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଏହି କୋଭିଡ ସେଣ୍ଟରର ଏବେ ୧୨ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସ୍କୁଲକୁ ସାନିଟାଇଜ କରାଯାଇନଥିବା ବେଳେ ରୋଗୀମାନଙ୍କର ଲୁଗା ପଟା ମଧ୍ୟ ସ୍କୁଲ ପରିସରରେ ଶୁଖୁଛି। ପ୍ରଧାନ ଶିକ୍ଷକ ବେହେରା ଛୁଟିରେ ଥିବା ବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଦାଶଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୧୯ ଜଣରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚି କେତୋଟି କୋଠରୀରେ ଶିକ୍ଷା ଦାନ କରାଯିବ ଏବଂ କେଉଁ ଶିକ୍ଷକ କେଉଁ ଶ୍ରେଣୀରେ ପାଠ ପଢାଇବେ ତାହା ନିର୍ଧାରଣ କରାଯାଉଛି। ଏଥିନେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କୋଭିଡ ସେଣ୍ଟରକୁ ସାଇନିଟାଇଜ କରାଯାଇ ନଥିବା ନେଇ ନାନା ମତ ପ୍ରକାଶ ପାଇଛି।ତେବେ ଗତ ୧୦ତାରିଖ ଶନିବାର ସ୍ଥାନୀୟ କଷଣଅଣ୍ଟା ପଞ୍ଚାୟତ ହାଇସ୍କୁଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡକାଇ ବୈଠକ କରି ସେମାନଙ୍କ ଉପସ୍ଥିତ ତାଲିକା ମାଗିଥିଲେ। କିନ୍ତୁ ତାହା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଦେଇ ପାରି ନଥିଲେ। ଏଣୁ ସୋମବାର ଭିତରେ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।

Comment