ଓଡ଼ିଶାଲାଇଭ୍ ବ୍ୟୁରୋ

ବୟସ ଆଗରେ ଆଜି ପୁଣି ହାରିଛି ମହାମାରୀ। ଦୃଢ଼ ମନୋବଳ ଆଉ ଉପଯୁକ୍ତ ଚିକିତ୍ସା ପାଇ କରୋନା ଯୁଦ୍ଧରେ ବାଜିମାତ୍ କରିଛନ୍ତି ୮୬ ବର୍ଷୀୟା ବୃଦ୍ଧା।

ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ସେହିକ୍ରମରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ବୁଧବାର ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସକୁ ପରାସ୍ତ କରିଛନ୍ତି।

ଢେଙ୍କାନାଳର ୮୬ ବର୍ଷୀୟା ନିରୁପମା ମହାପାତ୍ର କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା। ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ  ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଢେଙ୍କାନାଳରୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ରେ ଏହି ବୟସ୍କା ମହିଳାଙ୍କର ଉତ୍ତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ। ସମ୍ କୋଭିଡ ଟିମ୍‌ର ସଫଳ ଚିକିତ୍ସା ଫଳରେ ଶ୍ରୀମତି ମହାପାତ୍ର ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଯାଇଛନ୍ତି।ଏହି ପରିପ୍ରେକ୍ଷୀରେ ମା’ଙ୍କ ସୁସ୍ଥ ହେବାପରେ ସମ୍ କୋଭିଡ ହସ୍ପିଟାଲ୍ ଟିମ୍‌କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପୁଅ ଇତିକାନ୍ତ ମହାପାତ୍ର।

Comment