ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ୧୩୦ କୋଟି ଦେଶବାସୀଙ୍କ ପାଖରେ କରୋନା ଟିକା ପହଞ୍ଚାଇବା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। କରୋନା ଟିକା ପାଇବା ପାଇଁ ଭାରତରେ କୌଣସି ପ୍ରକାର ଆର୍ଥିକ ଅସୁବିଧା ନାହିଁ। ବୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି।

ଭାରତ ସରକାର ପ୍ରତି ବ୍ୟକ୍ତିକୁ କରୋନା ଟିକା ଦେବା ପାଇଁ ୩୮୫ ଟଙ୍କା ଖର୍ଚ୍ଚ କରିବେ। ଏହି କ୍ରମରେ ୧୩୦ କୋଟି ଦେଶବାସୀଙ୍କ ପାଖରେ କରୋନା ଟିକା ପହଞ୍ଚାଇବାକୁ କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ କୋଭିଡ ଟିକାର ଦୁଇଟି ଇଞ୍ଜେକସନ୍ ଦେବାକୁ ପାଖାପାଖି ୩୦୦ ଟଙ୍କା ଖର୍ଚ୍ଚ ହେବ। ବାକି ୮୫ ଟଙ୍କା ଟିକା ସଂରକ୍ଷଣ, ପରିବହନ ଆଦି ପାଇଁ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।ଗତକାଲି ବିହାରରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ମାଗଣା କୋଭିଡ୍ ଟିକା କଥା ଉଲ୍ଲେଖ କରାଯାଇଥିଲା। ଏହାପରେ ଏହି କଥାକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏହାପରେ ତାମିଲନାଡୁ ସରକାର ମଧ୍ୟ ତାଙ୍କ ରାଜ୍ୟରେ କୋଭିଡ୍ ଟିକାକୁ ମାଗଣାରେ ଦିଆଯିବ ବୋଲି ଘୋଷଣା କରିଥିଲେ।

ଭାରତରେ ଏବେ ସୁଦ୍ଧା ୭୭ ଲକ୍ଷରୁ ଅଧିକ କରୋନା ପଜିଟିଭ୍ କେସ୍ ସାମନାକୁ ଆସିସାରିଲାଣି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କୌଣସି କୋଭିଡ୍ ଟିକାକୁ ବ୍ୟବହାର କରିବାକୁ ଭାରତ ସରକାର ଅନୁମତି ଦେଇନାହାନ୍ତି। ତେଣୁ ଯେତେବେଳେ ବି କୋଭିଡ୍ ଟିକା ଭାରତକୁ ଆସିବା ତୁରନ୍ତ ଏହାକୁ ଲୋକମାନଙ୍କୁ ଦିଆଯିବ ବୋଲି କୁହାଯାଇଛି।

Comment