କମଳାକାନ୍ତ ପତି

ବଜାରକୁ କରୋନା ପ୍ରତିଷେଧକ ଅଣାଯିବାର ତତ୍ପରତା ମଧ୍ୟରେ ଅନଲକ୍ -୫ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅକ୍ଟୋବରରେ କାର୍ଯ୍ୟକ୍ଷମ ହୋଇଥିବା ଅନଲକ୍ -୪ର କୋହଳ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲେ ମଧ୍ୟ ଅନଲକ୍ -୫ କରୋନାକୁ ବିଦାୟ ଦେବାର ଆଶା ସଞ୍ଚାର କଲାଣି।

ଅଧିକ କୋହଳ ହେଲାନି କଟକଣା

ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ସେପ୍ଟେମ୍ବର ଶେଷ ବେଳକୁ ଜାରି ଅନଲକ୍ -୪ ପର୍ଯ୍ୟନ୍ତ ଦୀର୍ଘ ୬ ମାସ କରୋନାର କାୟା ବିସ୍ତାର ଦେଖିଲେ ଭାରତବାସୀ। ଅକ୍ଟୋବର ମଧ୍ୟଭାଗ ବେଳକୁ କରୋନାର ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହି ଅତିମାରୀ ପ୍ରକୋପରୁ ମୁକୁଳି ନାହାନ୍ତି ଲୋକେ। ତେବେ ଆର୍ଥିକ ଓ ସାମାଜିକ କାର୍ଯ୍ୟକଳାପ ତ୍ୱରାନ୍ୱିତ କରି ଦେଶର ଅବକ୍ଷୟୀ ଅର୍ଥନୀତିକୁ ଅଗ୍ରଗତିର ରାସ୍ତାକୁ ଆଣିବା ସକାଶେ ସରକାର ଅନଲକ୍ ଜରିଆରେ କଟକଣା କିଛିଟା କୋହଳ କରିଛନ୍ତି। ସେହି କୋହଳ ବ୍ୟବସ୍ଥା ସମାନ ରୂପରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଅବ୍ୟାହତ ରହିବ। କରୋନା ପ୍ରକୋପ ଦ୍ରୁତ ହ୍ରାସ ଘଟୁ ନ ଥିବା କାରଣରୁ ସରକାର ଅନଲକ୍ -୫ରେ ଅଧିକ କୋହଳ ଦେବାକୁ ଉଚିତ ମନେ କରିନାହାନ୍ତି।

ଟ୍ରେନ୍, ବିଦେଶ ଉଡ଼ାଣ, ଶିକ୍ଷାନୁଷ୍ଠାନ, ଏପରିକି ଓଡ଼ିଶା ଭଳି ରାଜ୍ୟରେ ଧାର୍ମିକ ପ୍ରତିଷ୍ଠାନ, ଉତ୍ସବାନୁଷ୍ଠାନ ଉପରେ ରହିଥିବା କଟକଣା କୋହଳ ହୋଇନାହିଁ। ମାସ୍କ, ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା ଭଳି କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଅବ୍ୟାହତ ରଖାଯାଇଛି। ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଶୀତ ଋତୁ ଆସୁଥିବାରୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ମଧ୍ୟ ରହୁଛି। ତେଣୁ ଗତ ୮ ମାସର ସଂଯମତା ଆଉ କିଛି ମାସ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ହ୍ରାସ ପାଉଛି ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା

ଅକ୍ଟୋବର ମଧ୍ୟଭାଗରୁ କ୍ରମଶଃ ହ୍ରାସ ପାଉଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। କରୋନା ସଂକ୍ରାନ୍ତ ଜାତୀୟ ଟାସ୍କ ଫୋର୍ସ ଚେୟାରମ୍ୟାନ୍ ତଥା ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଦେଇଥିବା ସୂଚନା ମୁତାବକ ଅତିମାରୀର ଲେଖଚିତ୍ର (ଗ୍ରାଫ୍) ଦେଶର ଦୁଇ-ତିନିଗୋଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସବୁ ରାଜ୍ୟରେ ନିମ୍ନମୁଖୀ ହେଲାଣି। ଦେଶର ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇ ଚାଲିଛି। ଉତ୍ତର ଗୋଲାର୍ଦ୍ଧର ଅଧିକାଂଶ ଦେଶରେ ସଂକ୍ରମଣ ବଢୁଥିଲେ ମଧ୍ୟ ଭାରତରେ ବିପରୀତମୁଖୀ ଅବସ୍ଥା କିଛିଟା ଆଶ୍ୱସ୍ତି ଦେଇଛି। ବିଭିନ୍ନ ପ୍ରକାରର କଣ୍ଟେନମେଣ୍ଟ କୌଶଳ ଓ ନିୟମିତ ତଦାରଖ ବ୍ୟବସ୍ଥା ଗ୍ରହଣ କରାଯିବା ଫଳରେ ଭାରତକୁ ଏହି ସଫଳତା ମିଳିଛି ବୋଲି ପଲ୍ କହିଛନ୍ତି। ପ୍ରଶ୍ନ ଉଠୁଛି ସରକାର ଅନଲକ୍ -୫ ଘୋଷଣା କରିଥିଲେ ମଧ୍ୟ କଟକଣାରେ ଆଉ କିଛି କୋହଳ ବ୍ୟବସ୍ଥା ଗ୍ରହଣ କଲେ ନାହିଁ କାହିଁକି?

ଶୀତ ଋତୁକୁ ନଜରରେ ରଖି ଅଧିକ ସଂକ୍ରମଣର ଆଶଙ୍କା କରୁଛନ୍ତି କି କେନ୍ଦ୍ର ସରକାର? ସରକାରୀ ପରିସଂଖ୍ୟାନରେ ଯଦି କରୋନା ଗ୍ରାଫ୍ ନିମ୍ନମୁଖୀ ହେଉଛି, ତେବେ କଟକଣା ପୂର୍ବବତ୍ ବଳବତ୍ତର ରଖିବାର ଆବଶ୍ୟକତା କ’ଣ ପଡ଼ିଲା? ସରକାରୀ ପରିସଂଖ୍ୟାନ ଅନୁସାରେ ଦେଶରେ ୨୭ ଅକ୍ଟୋବର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨। ତନ୍ମଧ୍ୟରୁ ସୁସ୍ଥ ହୋଇଛନ୍ତି ୭୨ ଲକ୍ଷ ୫୯ ହଜାର ୫୦୯। ଫଳରେ ଏହିଦିନ ସୁଦ୍ଧା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୦ ହଜାର ୮୦୩। ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦ ଜଣ। ଏହି ପରିସଂଖ୍ୟାନକୁ ଦେଖିଲ ୟୁରୋପ ଏବଂ ଆମେରିକା ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍ ରହିଛି।

ପ୍ରଦୂଷିତ ବାୟୁ, ଶୀତ ଋତୁ ନେଇ ଆଶଙ୍କା

କରୋନା ସଂକ୍ରମଣ ହାର ହ୍ରାସ ଓ ପୂର୍ବାପେକ୍ଷା ମୃତ୍ୟୁ ସଂଖ୍ୟା କମ୍ ହେଉଥିବାରୁ ସାମାନ୍ୟ ଆଶ୍ୱସ୍ତିରେ ଥିବା ସରକାର କିନ୍ତୁ ଚିକିତ୍ସାବିଜ୍ଞାନୀ ଏବଂ ଗବେଷକଙ୍କ ଆଶଙ୍କାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେଣୁ ଅନଲକ୍-୫ରେ ପୂର୍ବ କଟକଣା ଅଧିକ କୋହଳ କରିବାକୁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଇଣ୍ଡିଆନ୍ କାଉନସିଲର୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆଇ)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ମତ ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି ଯେ, ଆମେରିକା ଏବଂ ୟୁରୋପର ବିଭିନ୍ନ ଗବେଷଣାରୁ ଦେଖାଯାଇଛି ଯେ, ଦୀର୍ଘଦିନ ଧରି ବାୟୁ ପ୍ରଦୂଷଣର ଶିକାର ହେଲେ କରୋନା ମୃତ୍ୟୁ ହାର ବଢ଼ିପାରେ।

କେବଳ ରାଜଧାନୀ ଦିଲ୍ଲୀ କାହିଁକି, ଭାରତର ଅନ୍ୟ ବଡ଼ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ବୃଦ୍ଧି ପାଉଛି। ଏଥିସହିତ ଆସିଥିବା ଶୀତ ଋତୁରେ ପ୍ରଦୂଷଣ ମାତ୍ରା ବଢ଼ିବାର ସମ୍ଭାବନା ଅଧିକ। ତେଣୁ ଆସନ୍ନ ଶୀତ ଋତୁରେ ବାୟୁ ପ୍ରଦୂଷଣ ବଢ଼ିବା ସହ କରୋନା ମୃତ୍ୟୁ ହାର ବଢ଼ିବାର ଆଶଙ୍କା ସୃଷ୍ଟି ହେଉଛି। ଚିକିତ୍ସା ବିଜ୍ଞାନୀ ଓ ଚିକିତ୍ସକମାନେ ଏହି ସମ୍ଭାବନାକୁ ଅସ୍ୱୀକାର କରିପାରୁନାହାନ୍ତି।

ଅନ୍ତର୍ଜାତୀୟ ଉଡ଼ାଣ ନିଷେଧ ବଳବତ୍ତର

ଅନଲକ୍-୫ରେ ମଧ୍ୟ ଅନ୍ତର୍ଜାତୀୟ ଉଡ଼ାଣକୁ ମିଳିଲାନି ମଞ୍ଜୁରୀ। ସୁତରାଂ ବିଦେଶକୁ ବିମାନ ଚଳାଚଳ ଉପରେ ନିଷେଧାଦେଶ  ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ମାଲବାହୀ (କାର୍ଗୋ ବିମାନ) ଏବଂ କେତୋଟି ସ୍ୱତନ୍ତ୍ର ଉଡ଼ାଣ ପୂର୍ବଭଳି ଚାଲୁ ରହିବ। ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (ଡିଜିସିଏ) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଉଡ଼ାଣ ନିଷେଧ ସମ୍ପର୍କିତ ବିଜ୍ଞପ୍ତି ଏହା ପୂର୍ବରୁ ଶେଷଥର ପାଇଁ ଗତ ଜୁନ୍ ୨୬ରେ ଜାରି କରାଯାଇଥିଲା। ସେତେବେଳେ ଏହି ନିଷେଧାଦେଶ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଥିଲା।

କରୋନା କାରଣରୁ ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ଅବଶ୍ୟ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇବା ସକାଶେ ସରକାର କୋଭିଡ୍ କଟକଣା ମଧ୍ୟରେ “ବନ୍ଦେ ଭାରତ’’ ମିଶନରେ ସ୍ୱତନ୍ତ୍ର ବିମାନ ଚଳାଇଥିଲେ। ଆଶା କରାଯାଉଥିଲା ଯେ, ଅକ୍ଟୋବର ୩୧ ପରେ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ମିଳିବ। ମାତ୍ର କେନ୍ଦ୍ର ସରକାର ଅନଲକ୍-୫ କଟକଣା ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଘୋଷଣା କରିଥିବାରୁ ଡିଜିସିଏ ମଧ୍ୟ ସେହି ପଥ ଅନୁସରଣ କରିଛି।

ଟିକାକୁ ନେଇ କଟୁନି ଆଶଙ୍କା

ଭାରତ ସମେତ ବିଭିନ୍ନ ଦେଶରେ କରୋନା ପ୍ରତିଷେଧକ ଟିକା ନେଇ ଉତ୍ସୁକତା ବଢ଼ିଲାଣି।  କରୋନା ସଂକ୍ରମଣ ଅପେକ୍ଷାକୃତ ଭାବେ ହ୍ରାସ ପାଉଥିବା ବେଳେ ବଜାରକୁ ଟିକା ଆସିଗଲେ ଏହି ମହାମାରୀ ଭୂତାଣୁକୁ ରୋକିବା ସହଜ ହୋଇଯିବ ବୋଲି ଆଶା କରାଯାଉଛି। ଭାରତରେ କରୋନା ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟ ପରୀକ୍ଷଣରୁ ସୁଫଳ ମିଳିଲେ ଫାର୍ମା କମ୍ପାନିଗୁଡ଼ିକ ଟିକା ଉତ୍ପାଦନ ଆରମ୍ଭ କରିଦେବ। ଟିକା ଆବିଷ୍କାର ପ୍ରତିଯୋଗିତାରେ ବ୍ରିଟେନ୍ ଆଗରେ ରହିଛି। ନଭେମ୍ବର, ପ୍ରଥମ ସପ୍ତାହରେ ଅକ୍ସଫୋର୍ଡ ତିଆରି ଟିକା ମାନବ ଶରୀରରେ ପ୍ରୟୋଗ କରାଯିବା କଥା।

ଏଭଳି ସ୍ଥିତିରେ ବ୍ରିଟେନ୍‌ର ଭ୍ୟାକସିନ୍ ଟାସ୍କ ଫୋର୍ସ ସନ୍ଦେହ ବ୍ୟକ୍ତ କଲାଣି। କରୋନା ଭୂତାଣୁକୁ ରୋକିବା ପାଇଁ ଏହି ଟିକା କେତେ ସଫଳ ହେବ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଟାସ୍କ ଫୋର୍ସର ଅଧ୍ୟକ୍ଷ କେଟ୍ ବିଙ୍ଗହାମ୍। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଆରମ୍ଭରୁ ଏହି ନୂଆ ଟିକାଗୁଡ଼ିକ ତ୍ରୁଟିପୂର୍ଣ୍ଣ ହୋଇପାରେ। ଏପରିକି ଏହା ସମସ୍ତଙ୍କ ପାଇଁ ଉପଯୋଗୀ ହୋଇ ନ ପାରେ। ଦ ଲାନସେଟ୍ ମେଡିକାଲ୍ ଜର୍ଣ୍ଣାଲରେ ମଙ୍ଗଳବାର ପ୍ରକାଶିତ ବିଙ୍ଗହାମ୍‌ଙ୍କର ଏହି ସାକ୍ଷାତ୍‌କାର ଚିକିତ୍ସକ ମହଲରେ ଭାଳେଣି ପକାଇଲାଣି। ସୁତରାଂ ଯେତେ ଶୀଘ୍ର ଆଶା କରାଯାଉଥିଲା, ସେତେ ଶୀଘ୍ର ଅକ୍ସଫୋର୍ଡ ଟିକା ବଜାରକୁ ଆସିବ କି ନାହିଁ ଅନିଶ୍ଚିତତା ଦେଖାଦେଲାଣି।

ଆଶା ନେଇ ଆଗଉଛି ଭାରତ

ପାର୍ବଣ ଋତୁରେ ସଂକ୍ରମଣ ହାର ଊର୍ଦ୍ଧ୍ୱଗାମୀ ହୋଇପାରେ ବୋଲି ସରକାର ଆଶଙ୍କା କରୁଥିଲେ। କିନ୍ତୁ ସେଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାନାହିଁ। ଦେଶବାସୀ ଏହି ଉତ୍ସବ ଅବସରରେ ସଂଯମତା ରକ୍ଷା କରିଥିବାରୁ ଗତ କିଛି ଦିନ ଧରି ହ୍ରାସ ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅକ୍ଟୋବର ୨୮ରେ ମଧ୍ୟ ଅବ୍ୟାହତ ରହିଲା। ଶୀତ ଋତୁକୁ ଯଦିଓ ଡର ରହିଛି, ତେବେ ସରକାର ଆଶାବାଦୀ ଅଛନ୍ତି। ୨୦୨୧ ଆରମ୍ଭରୁ ସ୍ୱଦେଶୀ କରୋନା ଟିକା ବଜାରକୁ ଆସିଯିବ ବୋଲି ଆଶା କରାଯାଉଛି। ଦେଶରେ ଯେଉଁ କେତୋଟି ସଂସ୍ଥା ଟିକା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, ସେମାନେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚି ଯାଇଛନ୍ତି। ପ୍ରଥମ ୨ଟି ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବାରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପରୀକ୍ଷା ଫଳ ଉତ୍ତମ ହେବ ବୋଲି ମନେ କରାଯାଉଛି। ବଜାରକୁ ଟିକା ଆସିଗଲେ ସରକାରଙ୍କ ‘ଗୋ କରୋନା ଗୋ’ ସ୍ଲୋଗାନ୍ ଅଧିକ ଫଳପ୍ରଦ ହେବ। ସେହି ଦିନକୁ ଅପେକ୍ଷା କରାଯାଉଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment