କମଳାକାନ୍ତ ପତି

ଏତେଦିନ ଧରି ରାଜନୈତିକ ମହଲରେ ଯାହା କାନକୁ କାନ ସଞ୍ଚରି ଯାଉଥିଲା, ତାହାର ସତ୍ୟତା ପ୍ରମାଣ ମିଳୁଛି ଉତ୍ତରପ୍ରଦେଶରୁ। ବିଏସ୍‌ପି ନେତ୍ରୀ ମାୟାବତୀଙ୍କର ମନ ପରିବର୍ତ୍ତନ ଘଟିଛି। ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ମାୟା ଏବେ ବିଜେପି ଆଡ଼କୁ ଢଳିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ପୁଣି ଦେଖିବାକୁ ମିଳିବ ଏକ ନୂଆ ସମୀକରଣ।

ବିଜୟ ସମ୍ଭାବନା ନଥାଇ ବିଏସ୍‌ପି ପ୍ରାର୍ଥୀ

ମନେପଡ଼େ ୨୦୧୯ ସାଧାରଣ ନିର୍ବାଚନ ପରର କଥା। ଓଡ଼ିଶାରେ ବିଜୟର କୌଣସି ସମ୍ଭାବନା ନଥାଇ ମଧ୍ୟ ରାଜ୍ୟସଭା ପାଇଁ ବିଜେପି ଜଣେ ପ୍ରାର୍ଥୀ (ଅଶ୍ଵିନୀ ବୈଷ୍ଣବ) ଛିଡ଼ା କରାଇଥିଲା। ଶାସକ ବିଜୁ ଜନତାଦଳର ଆଶୀର୍ବାଦ (ସମର୍ଥନ)ରୁ ଅଶ୍ଵିନୀ ରାଜ୍ୟସଭାକୁ ନିର୍ବାଚିତ ହେଲେ। ରାଜ୍ୟର ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଲା ବିଜେପି- ବିଜେଡି ଗଢ଼ିଛନ୍ତି ଗୋପନ ମେଣ୍ଟ। ବିଜେଡି ସୁପ୍ରିମୋଙ୍କ ପାଇଁ ଏହା ରାଜନୈତିକ ବାଧ୍ୟବାଧକତା ଥିଲା କି ରାଜ୍ୟର ସ୍ଵାର୍ଥ ପାଇଁ ସେ ବିଜେପି ପ୍ରାର୍ଥୀକୁ ଜିତାଇଲେ, ତାହା ଏକ ଅସମାହିତ ପ୍ରଶ୍ନ। ସମାନ ପରିସ୍ଥିତି ଏବେ ଦେଖାଦେଇଛି ଉତ୍ତରପ୍ରଦେଶରେ। ସେହି ରାଜ୍ୟରେ ଏବେ ବିଜେପି ସରକାର। ଯୋଗୀ ଆଦିତ୍ୟନାଥଙ୍କ ଦଳର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରହିଛି। ଏହା ସତ୍ତ୍ଵେ କୌଣସି ବିଜୟ ସମ୍ଭାବନା ନଥାଇ ମଧ୍ୟ ଅନ୍ୟତମ ବିରୋଧୀ ଦଳ ବହୁଜନ ସମାଜ ପାର୍ଟି (ବିଏସପି) ଏଥର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଛିଡ଼ା କରାଇଛି। କୁହାଯାଉଛି ଯେ, ଆସନ୍ତା ୩ ନଭେମ୍ବରରେ ୟୁପିର ଯେଉଁ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି, ସେଠାରେ ବିଜେପିକୁ ସାହାଯ୍ୟ କରୁଛି ବିଏସପି। ତେଣୁ ବିଏସପିକୁ ଗୋଟିଏ ରାଜ୍ୟସଭା ଆସନ ଉପହାର ଦେବା ସକାଶେ ବିଜେପିର ଆଗ୍ରହ। ଏହାକୁ ବିଏସପି ବିଜେପିର ଗୋପନ ମେଣ୍ଟ ବୋଲି ଆଖ୍ୟା ଦେଲେଣି ବିରୋଧୀ।

ଦୁଇ ବର୍ଷ ପୂର୍ବର ସ୍ଥିତି ବଦଳିଲା

ଏଥର ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ସମାଜବାଦୀ ପାର୍ଟି (ଏସପି) ଗୋଟିଏ ଆସନ ଜିତିପାରିବ। ତେଣୁ ଅଖିଳେଶ ଯାଦବ ତାଙ୍କ ଦଳରୁ ଜଣେ ପ୍ରାର୍ଥୀ ଦେଇଛନ୍ତି। ଗୃହରେ ସଂଖ୍ୟା ବିଚାରରେ ଅବଶିଷ୍ଟ ୯ଟି ଆସନ ଶାସକ ବିଜେପି ପ୍ରାର୍ଥୀ ଜିତିବା ସୁନିଶ୍ଚିତ ରହିଛି। ବିଏସପିର ସଂଖ୍ୟା ନଥାଇ ମଧ୍ୟ ମାୟାବତୀ ତାଙ୍କ ଦଳର ଜଣକୁ ପ୍ରାର୍ଥୀ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ୯ଟି ବଦଳରେ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବେହେନଜୀଙ୍କୁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଦେବାକୁ ବିଜେପିର ଏହା କୌଶଳ। ୨୦୧୮ରେ ଯୋଗୀଙ୍କ ଦଳ ବିଏସପିକୁ କିନ୍ତୁ କୌଣସି ଆସନ ଛାଡ଼ିନଥିଲା। ସେତେବେଳେ ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ଚିରାଚରିତ ଭାବେ ସଂଖ୍ୟାକୁ ଦୃଷ୍ଟିରେ ରଖି ୯ଟି ଆସନରେ ପ୍ରାର୍ଥୀ ଦେଇ ବିଏସପିକୁ ଅଟକାଇ ଦେଇଥିଲା। ଦୁଇବର୍ଷ ମଧ୍ୟରେ କ’ଣ ଏମିତି ବଦଳିଗଲା ବିଏସପି-ବିଜେପି ସମୀକରଣ? କଂଗ୍ରେସର ଅଭିଯୋଗ ହାଥରସ ଘଟଣାରେ ମିଳିତ ହୋଇଥିବା ଯୋଗୀ ସରକାରଙ୍କୁ ଏଥର ବିଧାନସଭା ଉପନିର୍ବାଚନରେ ସାହାଯ୍ୟ କରିବ ବୋଲି ବିଏସପି ନେତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁଥିପାଇଁ କି ବିଜେପି ମାୟାବତୀଙ୍କ ଦଳକୁ ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଛି।

ବିଜେପିର ଦରଦ କାହିଁକି ?

ପ୍ରଶ୍ନ ଉଠୁଛି ଉପନିର୍ବାଚନରେ ବିଏସପିର ସହାୟତା କାହିଁକି ଆବଶ୍ୟକ କରୁଛି ବିଜେପି। ଏହା ପଛରେ କାମ କରୁଛି ଦଳିତ ଫ୍ୟାକ୍ଟର। ରାଜନେୈତିକ ମହଲର ବିଶ୍ଵାସ ହାଥରସ ଦଳିତ ଯୁବତୀ ଗଣବଳାତ୍କାରର ଶିକାର ହୋଇ ୧୫ ଦିନ ଜୀବନ ସହ ସଂଘର୍ଷ କରି ଆଖି ବୁଜିଥିଲେ। ଉତ୍ତର ପ୍ରଦେଶ ପୋଲିସ୍ ସମ୍ପୃକ୍ତ ଯୁବତୀଙ୍କ ମୃତଦେହକୁ ରାତାରାତି ସତ୍କାର କରିଦେବା ଘଟଣାରେ ଯୋଗୀ ସରକାର ଦଳିତ ଆକ୍ରୋଶର ଶିକାର। ଏବେ ଯେଉଁ ୭ଟି ଆସନରେ ଉପନିର୍ବାଚନ ହେଉଛି, ତନ୍ମଧ୍ୟରୁ ୬ଟି ଗତ ବିଧାନସଭା ନିର୍ବାଚନରେ (୨୦୧୭) ଜିତିଥିଲା ବିଜେପି। ଦଳିତଙ୍କ ଆକ୍ରୋଶ କାରଣରୁ ତାହା ଯଦି ହାତରୁ ଚାଲିଯାଏ, ତେବେ ଯୋଗୀଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ। ଆଉ ୨ ବର୍ଷ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏବେଠାରୁ ଦଳିତଙ୍କ କ୍ରୋଧ ଶାନ୍ତ କରିବାକୁ ବିଜେପିର ଉଦ୍ୟମ। ତେଣୁ ଦଳିତ ନେତ୍ରୀ ମାୟାବତୀଙ୍କୁ ସନ୍ତୁଷ୍ଟ କରି ଆଗାମୀ ନିର୍ବାଚନ ସକାଶେ ପ୍ରସ୍ତୁତି ନେବାକୁ ଚାହୁଁଛନ୍ତି ଯୋଗୀ ଆଦିତ୍ୟନାଥ। ଏହା ହିଁ ବିଏସପି ନେତ୍ରୀଙ୍କ ପ୍ରତି ବିଜେପିର ଦରଦର କାରଣ ବୋଲି ବିବେଚନା କରୁଛି ଲକ୍ଷ୍ନୌର ରାଜନୈତିକ ମହଲ।

ମାୟା କ’ଣ ବିଜେପିର ଅଘୋଷିତ ମୁଖପାତ୍ର!

ଏମିତି ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ କଂଗ୍ରେସର ଭାରପ୍ରାପ୍ତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ତାଙ୍କର କଟାକ୍ଷ ମାୟାବତୀ ହେଉଛନ୍ତି ବିଜେପିର ଅଘୋଷିତ ମୁଖପାତ୍ର। ଏଥର ଉପନିର୍ବାଚନରେ ବିଜେପିର ସ୍ଥିତି ଅତ୍ୟନ୍ତ ଖରାପ। ବିଏସପି ନିଜର ଭୋଟ୍ ବିଜେପି ଝୁଲାରେ ପକାଇ ଦେବ। ତେଣୁ ମାୟାବତୀ ଗୋପନରେ ମେଣ୍ଟ ଘୋଷଣା କରି ଦେଇଛନ୍ତି। ପ୍ରିୟଙ୍କା ଟୁଇଟ୍ କରି ଏହି କଥା କେବଳ କହିନାହାନ୍ତି, ବିଏସପି ନେତ୍ରୀଙ୍କର ଏକ ଭିଡିଓ କ୍ଲିପ୍ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ମାୟାବତୀ ତାଙ୍କ ଦଳର କର୍ମୀମାନଙ୍କୁ କହୁଛନ୍ତି ଯେ ସମାଜବାଦୀ ପାର୍ଟିକୁ ଯେ କୌଣସି ମୂଲ୍ୟରେ ପରାଜିତ କରିବାକୁ ପଡ଼ିବ। ସେଥିପାଇଁ ଯଦି ବିଜେପିକୁ ଭୋଟ୍ ଦେବାର ପ୍ରୟୋଜନ, ତେବେ ତାହା ହିଁ କରାଯିବ। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ୨୦୧୯ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ନରେନ୍ଦ୍ର ମୋଦୀ ଦ୍ଵିତୀୟଥର କ୍ଷମତାସୀନ ହେବାଠାରୁ ମାୟାବତୀଙ୍କ ଖେଳରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି।

କାହିଁକି ବଦଳିଛି ମାୟାବତୀଙ୍କ ଆଭିମୁଖ୍ୟ

ବେଶ୍ କିଛି ବର୍ଷ ପୂର୍ବରୁ ଉତ୍ତରପ୍ରଦେଶରେ ପରସ୍ପର ସହ ହାତ ମିଳାଇଥିଲେ ବିଜେପି-ବିଏସପି। କ୍ଷମତା ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ ତୀବ୍ର ମନୋମାଳିନ୍ୟ କାରଣରୁ ପରବର୍ତ୍ତୀ ସମୟରେ ପରସ୍ପରର ଶତ୍ରୁ ହୋଇ ଯାଇଥିଲେ ଏହି ଦୁଇ ଦଳ। ସମୟ ବିତିବା ସହ ଶତ୍ରୁ- ଶତ୍ରୁ ପୁଣି ପରସ୍ପର ନିକଟତର ହେଉଛନ୍ତି। ଏହା ଏକ ରାଜନୈତିକ ଧର୍ମରେ ପରିଣତ ହେଲାଣି। କିନ୍ତୁ ଏହା ପଛରେ ଯେ ରାଜନୈତିକ ବାଧ୍ୟବାଧକତା ରହିଛି ତାହାକୁ ଅସ୍ଵୀକାର କରାଯାଇପାରିବ ନାହିଁ। କୁହାଯାଉଛି ଯେ, ସିବିଆଇ ଚାପ ଯୋଗୁ ମାୟାବତୀ ବିଭିନ୍ନ ପ୍ରସଙ୍ଗରେ ମୋଦି ବିରୋଧୀ ଆଭିମୁଖ୍ୟକୁ ବଦଳାଇବା ପାଇଁ ବାଧ୍ୟ ହୋଇଛନ୍ତି। ନିକଟରେ ସଂସଦର ମୌସୁମୀ ଅଧିବେଶନରେ ତିନୋଟି କୃଷି ବିଲ୍‌କୁ ନେଇ ସବୁ ବିରୋଧୀ ଗୋଟିଏ ମଞ୍ଚକୁ ଆସିଯାଇଥିବା ବେଳେ, ଏପରିକି ଶାସକ ମେଣ୍ଟ ସହଯୋଗୀ ଶିରୋମଣି ଅକାଳୀ ଦଳ ଏନଡିଏ ଛାଡ଼ି ଚାଲିଯାଇଥିଲେ ମଧ୍ୟ ମୋଦୀଙ୍କ ବିଲ୍ ସପକ୍ଷରେ ବିଏସପିକୁ ଦେଖିବାକୁ ମିଳିଥିଲା।

କୁଆଡେ ଗଲା ‘ନାଗନାଥ’- ‘ସାପନାଥ’ କଟାକ୍ଷ!

ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ରାଜ୍ୟରେ ବିଏସପିକୁ ବିଜେପି ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି। ଏବେ ଉତ୍ତରପ୍ରଦେଶରେ ସେହି ସଂଖ୍ୟକ ଦାନା ବାନ୍ଧିଥିବା ଦେଖି ମାୟାବତୀଙ୍କୁ କଟାକ୍ଷ କଲେଣି ବିରୋଧୀ। ଅତୀତରେ ବିଜେପି ସହ ସମ୍ପର୍କ ଛିଣ୍ଡାଇବାରେ ମାୟାବତୀ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତି ଅନୁସରଣ କରିଥିଲେ। ସେତେବେଳେ ମାୟାବତୀ ସାମ୍ବାଦିକମାନଙ୍କ ସାମ୍ନାରେ କଂଗ୍ରେସ ଓ ବିଜେପିକୁ “ନାଗନାଥ’’ ଏବଂ ‘ସାପନାଥ’ର ଆଖ୍ୟା ଦେଇଥିଲେ। ଏପରିକି ସେମାନଙ୍କୁ ମନୁବାଦୀ ଦଳ ବୋଲି ଚିତ୍ରଣ କରିଥିଲେ। କିନ୍ତୁ ଏବେ ସମ୍ଭାବନା ସୃଷ୍ଟି ହେଲାଣି ଯେ, ବିଏସପି ପୁନର୍ବାର ଆନୁଷ୍ଠାନିକ ଭାବେ ମୋଦୀ ଅମିତ ଶାହାଙ୍କ ଦଳ ସହ ହାତ ମିଳାଇ ନେବ। ଏପରିକି ମାୟା ଏବଂ ତାଙ୍କ ପରିବାର ଉପରେ ସୃଷ୍ଟି କରାଯାଉଥିବା ଚାପରୁ ତ୍ରାହି ପାଇବା ସକାଶେ ବିଜେପି ସହ ବିଏସପିର ମିତ୍ରତା ହୋଇଯାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କଲେଣି । ଅବଶ୍ୟ ଏଭଳି ସମ୍ଭାବନାକୁ ବିଏସପି ମହଲ ଅଳିକ କଳ୍ପନା ବୋଲି କହି ଅଗ୍ରାହ୍ୟ କରିଦେଲାଣି।

ଯୋଗୀଙ୍କ ପାଇଁ ସମ୍ମାନର ପ୍ରଶ୍ନ

ରାଜ୍ୟରେ ସାତ ବିଧାନସଭା ଆସନରେ ଆସନ୍ନ ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ତେଣୁ ସେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ତୋଫାନୀ ପ୍ରଚାରରେ ବ୍ୟସ୍ତ। ବିଏସପି ଏହି ଆସନଗୁଡ଼ିକରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପ୍ରଚାର ଯୁଦ୍ଧରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ୨୦୨୨ରେ ରାଜ୍ୟର ବିଧାନସଭା ନିର୍ବାଚନ। ଯଦିଓ ସେତେବେଳକୁ ଅଯୋଧ୍ୟାରେ ଛିଡ଼ା ହୋଇ ସାରିଥିବା ଭବ୍ୟ ଶ୍ରୀରାମ ମନ୍ଦିର ଯୋଗୀଙ୍କ ପାଇଁ ସଫଳତାର ଟ୍ରମ୍ପ କାର୍ଡ ହେବ; ମାତ୍ର ଦଳିତ, ବ୍ରାହ୍ମଣ, ଠାକୁର ଆଦି ସମ୍ପ୍ରଦାୟର ଭୋଟ୍ ପାଇବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ବିଜେପି ଏବେଠାରୁ ବିଏସପି ଉପରେ ଥୋପ ପକାଇ ରଖିଲାଣି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment