ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ନିର୍ବାଚନୀ ରାଜନୀତିରେ ନେତାମାନେ ଏବେ ପରସ୍ପରକୁ ଶବ୍ଦ ତୀରରେ ବିନ୍ଧୁଛନ୍ତି।

ବିହାର ବିଧାନସଭା ନିର୍ବାଚନକୁ ନେଇ ସେଠାକାର ରାଜ୍ୟ ରାଜନୀତି ଗତ ଦୁଇ ମାସ ଧରି ସରଗରମ ରହିଛି। ବିରୋଧୀ ଦଳ ନୀତୀଶ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍‌ କରୁଥିବା ବେଳେ ନୀତୀଶ ଏବଂ ସେମାନଙ୍କ ଦଳ ଓ ମେଣ୍ଟ ଦଳ ନେତା ମଧ୍ୟ ବିରୋଧୀଙ୍କୁ ଛାଡୁନାହାନ୍ତି। ପ୍ରତ୍ୟେକ ଦିନ କାହାର ନା କାହାର ଆକ୍ଷେପ ବାଣ ଗଣମାଧ୍ୟମର ଶିରୋନାମା ପାଲଟୁଛି। ମହିଷାସୁର, ସାଇଲେଣ୍ଟ କିଲର, ମାଟ୍ରିକ ଫେଲ୍‌, ଜଙ୍ଗଲରାଜର ଯୁବରାଜ ଭଳି ଆକ୍ଷେପୋକ୍ତିକୁ ନେଇ ଚର୍ଚ୍ଚା ଏବେ ଶୀର୍ଷରେ।

ବିହାର ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସିଧାସଳଖ ଆକ୍ରମଣ କରୁଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଓ ଏଲ୍‌ଜେପି ନେତା ଚିରାଗ ପାଶ୍ୱାନ। ସୋମବାର ଚିରାଗ ପାଶ୍ୱାନ ମୁଙ୍ଗେର ଗୁଳିକାଣ୍ଡ ଘଟଣାରେ ନୀତୀଶ ସରକାରଙ୍କୁ ‘ମହିଷାସୁର’ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଗାପୂଜା ବିସର୍ଜନ ବେଳେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କେହି ଦୁର୍ଗାଭକ୍ତଙ୍କ ଉପରେ ଗୁଳି ଚଳାଇବ କି? ନୀତିଶଙ୍କ ପୋଲିସ ନୀରିହ ଲୋକଙ୍କ ଉପରେ ଗୁଳି ଚଳାଇଛି। ସେହିପରି ଜନ ଅଧିକାର ପାର୍ଟିର ମୁଖିଆ ପପ୍ପୁ ଯାଦବ ନୀତିଶଙ୍କୁ ‘ସାଇଲେଣ୍ଟ କିଲର’ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ବିଜେପିର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଗତ ଶନିବାର କହିଥିଲେ ଯେ ତେଜସ୍ୱୀ ‘କ୍ୟାବିନେଟ୍‌’ ଠିକ୍‌ରେ ଲେଖିପାରିବେ ନାହିଁ। ସେ ମାଟ୍ରିକ ଫେଲ୍‌। ସେ ନୀତିଶଙ୍କ ଭଳି ଜଣେ ଇଞ୍ଜିନିୟରିଂ ଶିକ୍ଷିତ ନେତାଙ୍କୁ ପୁଣି ପ୍ରଶ୍ନ କରିବେ? ସେହିପରି ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରଚାର ବେଳେ କହିଲେ, ବିହାରରେ ଆର୍‌ଜେଡି ସରକାର ହେଲେ କଶ୍ମୀର ଭଳି ଏଠାରେ ମଧ୍ୟ ଆତଙ୍କବାଦୀ ସୃଷ୍ଟି ହେବେ।

ପ୍ରଚାର ନିର୍ବାଚନରେ ବିହାର ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ପରୋକ୍ଷରେ ଆକ୍ଷେପ କରି ତାଙ୍କୁ ‘ଜଙ୍ଗଲରାଜର ଯୁବରାଜ’ ବୋଲି ଆଖ୍ୟା ଦେଇଥିଲେ।

Comment