ଓଡ଼ିଶାଲାଇଭ୍ ବ୍ୟୁରୋ

ମଥୁରାର ଗୋବର୍ଦ୍ଧନ ଅଞ୍ଚଳରେ ଚାରିଜଣ ଯୁବକ ମସଜିଦ୍ ଭିତରେ ହନୁମାନ ଚାଳିଶା ପଢ଼ିଛନ୍ତି। ଏହି ଯୁବକମାନେ ମସଜିଦ୍ ଭିତରେ ହନୁମାନ ଚାଳିଶା ପଢ଼ିବା ସହିତ ଜୟ ଶ୍ରୀରାମର ନାରା ମଧ୍ୟ ଲଗାଇଛନ୍ତି। ଯାହାକୁ କେନ୍ଦ୍ରକରି ପୋଲିସ ଏହି ଯୁବକମାନଙ୍କୁ ଗିରଫ କରିଛି।

ଏହାପୂର୍ବରୁ କିଛି ମୁସଲିମ୍ ଯୁବକ ନନ୍ଦବାବା ମନ୍ଦିର ଭିତରେ ନମାଜ ପାଠ କରିବାକୁ ନେଇ ଗିରଫ ହୋଇଥିଲେ। ସେହି ଘଟଣାକୁ କେନ୍ଦ୍ର କରି ଆଜି ଏହି ଯୁବକମାନେ ମସଜିଦ୍ ଭିତରେ ହନୁମାନ ଚାଳିଶା ପଢ଼ିଛନ୍ତି।

ଗୋବର୍ଦ୍ଧନ ଅଞ୍ଚଳରେ ରହୁଥିବା ସୌରଭ ଲମ୍ବରଦାର, ରାଘବ ମିତ୍ତଲ, କାହ୍ନା ଠାକୁର ଓ କୃଷ୍ଣ ଠାକୁର ଆଜି ମସଜିଦ୍ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେଠାରେ ସେମାନେ ହନୁମାନ ଚାଳିଶା ପଢ଼ିବା ଆରମ୍ଭ କରି ଜୟ ଶ୍ରୀରାମ ନାରା ଲଗାଇବା ଆରମ୍ଭ କରିଥିଲେ। ସୋସିଆଲ୍ ମିଡିଆରେ ଏହି ଖବର ସାଙ୍ଗେ ସାଙ୍ଗେ ଖେଳିଯାଇଥିଲା।ଏହାପରେ ପୋଲିସ ଏହି ଯୁବକମାନଙ୍କୁ ଗିରଫ କରିଛି। ଏତିସହିତ ମଥୁରାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ କହିଛି। ଅନ୍ୟପଟେ ମଥୁରାର ଜିଲ୍ଲାପାଳ କହିଛନ୍ତି ଯେ, ଆଇନ୍ କାନୁନଠାରୁ କେହି ବଡ଼ ନୁହେଁ। ତେଣୁ କୌଣସି ବ୍ୟକ୍ତି ଆଇନକୁ ହାତକୁ ନେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦୁଇଜଣ ମୁସଲିମ୍ ଯୁବକ ମଥୁରାର ନନ୍ଦବାବା ମନ୍ଦିର ଭିତରେ ଯାଇ ସେଠାରେ ନମାଜ ପାଠ କରିଥିଲେ। ଏହାପରେ ଏହି ନମାଜ ପାଠ ସମୟ ଫଟୋ ମଧ୍ୟ ସେମାନେ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିସାରିଛି।

Comment