ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଆଉ ଜଣେ ଅଭିନେତାଙ୍କୁ ହରାଇଛି ବଲିଉଡ। ‘ମେହେନ୍ଦୀ’, ‘ଫରେବ’ ଭଳି ଫିଲ୍ମରେ ଅଭିନୟ କରିଥିବା ଫରାଜ ଖାନ୍‌ଙ୍କ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆରେ ପୀଡ଼ିତ ଥିଲେ। ବେଙ୍ଗାଳୁରୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।

ଫରାଜ ଖାନ୍‌ ଏକ ବର୍ଷ ହେବ ଛାତିରେ କଫ ଓ ସଂକ୍ରମଣଜନିତ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ତାଙ୍କ ଚିକିତ୍ସାରେ ବାଧା ଉପୁଜିଥିଲା। ତେଣୁ ତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଗତ ଅକ୍ଟୋବର ମାସରେ ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପୂଜା ଭଟ୍ଟ ନିବେଦନ କରିଥିଲେ। ଏହି ଖବର ପାଇବା ପରେ ଅଭିନେତା ସଲମାନ୍ ଖାନ୍ ଫରାଜଙ୍କ ସମସ୍ତ ମେଡିକାଲ ବିଲ୍ ପୈଠ କରିଥିଲେ। ସେହିପରି ପ୍ରଶଂସକମାନେ ମଧ୍ୟ ଫରାଜଙ୍କୁ ସହାୟତାର ହାତ ବଢ଼ାଇଥିଲେ।

ଫରାଜଙ୍କ ମୃତ୍ୟୁରେ ତାଙ୍କ ପରିବାର, ପ୍ରଶଂସକ ଓ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତ୍ରୀ ପୂଜା ଭଟ୍ଟ ଟୁଇଟ୍ କରି ଲେଖିଛନ୍ତି ଯେ, ଫରାଜ ସବୁଦିନ ପାଇଁ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛନ୍ତି। ଏହାକୁ ପୂରଣ କରିବା କଷ୍ଟକର। ଏଥିସହ ସେ ଫରାଜଙ୍କୁ ସହାୟତା କରିଥିବା ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comment