ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ଫେବୃଆରି କିମ୍ବା ମାର୍ଚ୍ଚ ମାସ ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ ସ୍ୱଦେଶୀ କରୋନା ଟିକା। ଏନେଇ ଆଜି ଭାରତୀୟ ଭେଷଜ ଗବେଷଣା କେନ୍ଦ୍ର (icmr)ର ବୈଜ୍ଞାନିକ ରଜନୀକାନ୍ତ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନ୍ ଟିକାର ପରୀକ୍ଷଣ ସଫଳ ହେବାରେ ଲାଗିଛି। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଫେବୃଆରି କିମ୍ବା ମାର୍ଚ୍ଚ ମାସ ସୁଦ୍ଧା ଭାରତ ନିଜର ସ୍ୱଦେଶୀ କରୋନା ଟିକା ବାହାର କରିବାରେ ସଫଳ ହେବ ବୋଲି ସେ କହିଛନ୍ତି। ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ଭାରତରେ ଏବେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଗୁରୁବାର ୫୦,୧୨୧ ନୂଆ କେସ ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ପାର୍ କରିଛି। ଅନ୍ୟପଟେ ଭାରତରେ ଏବେ ସୁଦ୍ଧା ୧,୨୪,୩୧୫ ଜଣ ଲୋକ କରୋନାରେ ପ୍ରାଣ ହରାଇସାରିଲେଣି। ଆଗକୁ ଶୀତଋତୁ ଆସୁଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ତେଣୁ କରୋନା ଟିକା ଆସିଲେ ଏହି ସଂଖ୍ୟାକୁ କମ କରାଯାଇପାରିବ ବୋଲି କୁହାଯାଉଛି।

Comment