ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଏବେ ବିଶ୍ୱବାସୀ ବେଶ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଡ୍ରେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଓ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରୁ କିଏ ଆମେରିକାର ଆଗାମୀ ରାଷ୍ଟ୍ରପତି ହେବେ ତାକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି। ତେବେ ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଦରମା କେତେ ପାଇଥାନ୍ତି ଆପଣ ଜାଣିଛନ୍ତି କି?

ଆମେରିକା ରାଷ୍ଟ୍ରପତିଙ୍କ ଦରମା କେତେ?

ଆମେରିକାର ରାଷ୍ଟ୍ରପତି ବାର୍ଷିକ ମୋଟ ୪ ଲକ୍ଷ ଡଲାର ଦରମା ପାଇଥାନ୍ତି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୨.୯ କୋଟି ସହ ସମାନ। ଏଥିସହ ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ହ୍ୱାଇଟ୍ ହାଉସରେ ରହିବା ସହ ତାଙ୍କୁ ବ୍ୟକ୍ତିଗତ ବିମାନ, ହେଲିକପ୍ଟର, ଭତ୍ତା ଆଦି ସୁବିଧା ମିଳିଥାଏ।ଏହାବାଦ ଆମେରିକା ରାଷ୍ଟ୍ରପତିଙ୍କୁ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ଅନ୍ୟାନ୍ୟ ଖର୍ଚ୍ଚ ଓ ୮୦ ଲକ୍ଷ ଟଙ୍କାର ଯାତ୍ରା ଖର୍ଚ୍ଚ ବାବଦକୁ ମିଳିଥାଏ। ଏହାସହ ମନୋରଞ୍ଜନ କରିବା ପାଇଁ ମଧ୍ୟ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ୍ ପ୍ୟାକେଜ୍ ରହିଛି।

ସାଧାରଣତଃ ଆମେରିକାର ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀ ଡିଜାଇନର ମାନଙ୍କଠାରୁ ଡ୍ରେସ୍ ଗିଫ୍ଟ ଆକାରରେ ନେଇନଥାନ୍ତି। ଯଦି ସେ ଏହାକୁ ନିଅନ୍ତି ତେବେ, ଏହାକୁ ଥରେ ମାତ୍ର ପିନ୍ଧିବା ପରେ ଏହାକୁ ସେଠାକାର ଜାତୀୟ ସଂଗ୍ରହାଳୟରେ ରଖାଯାଇଥାଏ।

୨୦୦୧ ମସିହା ପୂର୍ବରୁ ଆମେରିକାର ରାଷ୍ଟ୍ରପତିଙ୍କ ଦରମା ବାର୍ଷିକ ୧.୪୫ କୋଟି ଟଙ୍କା ଥିଲା। ଏହାପରେ କଂଗ୍ରେସ (ଆମେରିକାର ସଂସଦ) ଏହି ଦରମାକୁ ବୃଦ୍ଧି କରି ଦେଇଥିଲା। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତିଙ୍କୁ ବାର୍ଷିକ ଦରମା ବାବଦରେ ୨.୯ କୋଟି ଟଙ୍କା ମିଳୁଛି।

Comment