ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ଏୟାରପୋର୍ଟରେ ଝାଡ଼ୁଦାର ଭାବେ କାମ କରୁଥିବା ଆମିର କୁତୁବ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଅଷ୍ଟ୍ରେଲିଆର ଏକ ମଲ୍ଟି ନ୍ୟାସନାଲ ଡିଜିଟାଲ ଫାର୍ମ ‘ଏଣ୍ଟରପ୍ରାଇଜ୍ ମଙ୍କି’ର ମାଲିକ ହେଉଛନ୍ତି ଉତ୍ତର ପ୍ରଦେଶ ଅଲିଗଡ଼ରେ ଜନ୍ମିତ ଆମିର କୁତୁବ। ବୟସ ମାତ୍ର ୩୧ ବର୍ଷ। ବର୍ତ୍ତମାନ ଆମିରଙ୍କ ବ୍ୟବସାୟର ଟର୍ଣ୍ଣଓଭର ହେଉଛି ୧୦ କୋଟି ଟଙ୍କା। ଅଷ୍ଟ୍ରେଲିଆ ସମେତ ୪ଟି ଦେଶରେ ସେ ତାଙ୍କ କମ୍ପାନି ଖୋଲିଛନ୍ତି। କିନ୍ତୁ ଏବେର କୋଟିପତି ଆମିର ଦିନେ ଏୟାରପୋର୍ଟରେ ଝାଡ଼ୁ ମାରୁଥିଲେ। ଖାଲି ସେତିକି ନୁହେଁ, ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ସେ ଖବରକାଗଜ ହକର୍ ଭାବେ ମଧ୍ୟ କାମ କରୁଥିଲେ।ଆମିର ଅଲିଗଡ଼ର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ମା’ ହେଉଛନ୍ତି ଗୃହିଣୀ। ଆମିରଙ୍କ ବାପା ପୁଅକୁ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ଭାବେ ଦେଖିବାକୁ ଚାହୁଁଥିଲେ। ତେଣୁ ଆମିର ଦ୍ଵାଦଶ ପାସ୍ କରିବା ପରେ ତାଙ୍କ ବାପା ବିଟେକ୍‌ରେ ତାଙ୍କ ନାଁ ଲେଖାଇଦେଲେ। କିନ୍ତୁ ଆମିର ପାଠ ପଢ଼ିବାରେ ମନ ଦେଉନଥିଲେ। ଜଣେ ସଫଳ ବ୍ୟବସାୟୀ ହେବା ତାଙ୍କର ଲକ୍ଷ୍ୟ ଥିଲା।

ତେଣୁ ବିଟେକ୍ ଦ୍ଵିତୀୟ ବର୍ଷରେ ସେ ସୋସିଆଲ ନେଟ୍‌ଓ୍ଵର୍କିଂ ଆପ୍ ତିଆରି କରିବାକୁ ଚିନ୍ତା କଲେ। ତେଣୁ ସେ କୋଡିଂ ବିଷୟରେ ଶିଖିଲେ। କୋଡିଂ ଶିଖିବା ପରେ ଆମିର ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଗୋଟିଏ ସୋସିଆଲ ନେଟ୍‌ଓ୍ଵର୍କିଂ ଆପ୍ ତିଆରି କଲେ ଓ ତାକୁ ଲଞ୍ଚ୍ କରିଦେଲେ। ସପ୍ତାହେ ଭିତରେ ଏହି ଆପ୍‌ରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ି ହେଲେ।ଇଞ୍ଜିନିୟରିଂ ପଢ଼ା ସରିବା ପରେ ଆମିରଙ୍କୁ ଦିଲ୍ଲୀର ହୋଣ୍ଡା କମ୍ପାନିରେ ଚାକିରି ମିଳିଗଲା। ତେବେ ନିଜେ ବ୍ୟବସାୟ କରିବା ଲକ୍ଷ୍ୟରେ ସେ ଏକ ବର୍ଷ ପରେ ହୋଣ୍ଡା କମ୍ପାନି ଚାକିରି ଛାଡ଼ିଦେଲେ।

ଭଲ ଭାବେ ଚିନ୍ତା କରିବା ପରେ ସେ ଅନ୍ୟ କୌଣସି ବିକଳ୍ପ ନ ପାଇ ଓ୍ଵେବ୍‌ସାଇଟ୍ ଡିଜାଇନିଂ ଓ ଫ୍ରିଲାନ୍ସିଂ କାମ ଆରମ୍ଭ କଲେ। ଫ୍ରିଲାନ୍ସିଂ କରିବା ସମୟରେ ଆମିର ଅଷ୍ଟ୍ରେଲିଆ, ୟୁଏସ୍ ଓ ୟୁକେର କିଛି ଗ୍ରାହକଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ଗ୍ରାହକଙ୍କ ମଧ୍ୟରୁ କିଛି ଲୋକ ଆମିରଙ୍କୁ ବିଦେଶରେ ଯାଇ ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଆମିର ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଯାଇ ସେଠାରେ ଏକ ଏମ୍‌ବିଏ କଲେଜରେ ନାମ ଲେଖାଇଲେ।

ଏମ୍‌ବିଏ କରିବା ସମୟରେ ସେ ଚାକିରି ସନ୍ଧାନରେ ଥିଲେ। ସେଠାରେ ପ୍ରାୟ ଶହେରୁ ଦେଢ଼ ଶହ କମ୍ପାନି ବୁଲିବା ପରେ ମଧ୍ୟ ଆମିରଙ୍କୁ କୌଣସି ଚାକିରି ମିଳିଲା ନାହିଁ। କାରଣ ସେଠାକାର କମ୍ପାନିଗୁଡ଼ିକ ଭାରତର ଅଭିଜ୍ଞତାକୁ ଗ୍ରହଣ କରୁନଥିଲେ।୩ ମାସ ବୁଲିବା ପରେ ତାଙ୍କୁ ଶେଷରେ ଏୟାରପୋର୍ଟରେ ଝାଡ଼ୁଦାର କାମ ମିଳିଲା। ଏହି କାମ ପାଇଁ ତାଙ୍କୁ ଘଣ୍ଟା ପ୍ରତି ୨୦ ଡଲାର ମିଳୁଥିଲା। ତେବେ ଏହି କାମ ଦିନରେ କରିବାକୁ ପଡ଼ୁଥିବାରୁ ପଢ଼ିବା ପାଇଁ ତାଙ୍କୁ ସମୟ ହେଉନଥିଲା। ତେଣୁ ସେ ଏହି କାମ ଛାଡ଼ି ରାତି ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ହକର୍ ଭାବେ କାମ କଲେ।

ଆମିରଙ୍କ ଏହି ଜବ୍ ବିଷୟରେ ଜାଣିବା ପରେ ଘର ଲୋକ ତାଙ୍କୁ ଭାରତ ଫେରି ଆସିବା ପାଇଁ ବାଧ୍ୟ କଲେ। କିନ୍ତୁ ଆମିର ନିଜ ସ୍ଵପ୍ନ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆରେ ହିଁ ରହିଲେ। ଅନେକ କଷ୍ଟ ପରେ ଆମିର କୌଣସି ପ୍ରକାରେ ଅଷ୍ଟ୍ରେଲିଆରେ ନିଜ କମ୍ପାନି ପଞ୍ଜିକୃତ କରାଇଲେ। କିନ୍ତୁ ଗ୍ରାହକ ବନାଇବା ଆମିରଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା। ତେବେ ସେଠାକାର ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ସହାୟତାରେ ଆମିରଙ୍କ ଏହି ଟେନ୍‌ସନ୍‌ ମଧ୍ୟ ଦୂର ହୋଇଯାଇଥିଲା।

ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଥିବା ଆମିର ଏବେ ୪ଟି ଦେଶରେ ନିଜର କମ୍ପାନି ଖୋଲିଛନ୍ତି। ତାଙ୍କ କମ୍ପାନିରେ ଏବେ ୧୦୦ ଜଣ ସ୍ଥାୟୀ କର୍ମଚାରୀଙ୍କ ସମେତ ୩୦୦ରୁ ଅଧିକ କଣ୍ଟ୍ରାକ୍ଟର କାମ କରୁଛନ୍ତି।

Comment