ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ବର୍ତ୍ତମାନ କରୋନା ବିରୋଧରେ ଯୁଦ୍ଧ କରୁଛି। ଏହି ଯୁଦ୍ଧରେ ମୁଖ୍ୟ ଅସ୍ତ୍ର ସାଜିଛି ପିପିଇ କିଟ୍‌ ଓ ମାସ୍କ। କିନ୍ତୁ ଲୋକେ ଏହାକୁ ଥରୁଟିଏ ବ୍ୟବହାର କରି ଫିଙ୍ଗି ଦେଉଛନ୍ତି। ଏହାଦ୍ୱାରା ବର୍ଜ୍ୟବସ୍ତୁ ହାର ବଢ଼ୁଛି। ଫଳରେ କରୋନାକୁ ପରାସ୍ତ କରିବା ପରେ ଏହି ବର୍ଜ୍ୟବସ୍ତୁ ଓ ପ୍ରଦୂଷଣକୁ ନେଇ ଆଉ ଏକ ସମସ୍ୟା ଉପୁଜିବ। ତେବେ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ଗୁଜୁରାଟ ବିନିଶ ଦେଶାଇ। ସେ ପିପିଇ କିଟ୍‌ ଏବଂ ମାସ୍କରୁ ଇଟା ତିଆରି କରି ଏବେ ଚର୍ଚ୍ଚାରେ ଅଛନ୍ତି। ଏହାଦ୍ୱରା ପରିବେଶରେ ପ୍ରଦୂଷଣ କମ୍‌ ହୋଇପାରିବ ବୋଲି ସେ କହିଛନ୍ତି।

ବିନେଶ ହେଉଛନ୍ତି ବିଡ୍ରିମ୍‌ ନାମକ ଏକ କମ୍ପାନିର ପ୍ରତିଷ୍ଠାତା।, ଏହା ପୂର୍ବରୁ ସେ କାଗଜରେ ପି-ବ୍ଲକ୍ ନାମକ ଇଟା ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ପି-ବ୍ଲକ୍ ୨.୦ ନାମକ ଏକ ଇଟା ନିର୍ମାଣ କରୁଛନ୍ତି। ଯେଉଁଥିରେ ପିପିଇ କିଟ, ମାସ୍କ, ଗ୍ଲୋବ୍ସ ଆଦି ଡାକ୍ତରୀ ବର୍ଜ୍ୟବସ୍ତୁ ବ୍ୟବହୃତ ହେଉଛି।

ଏନେଇ ବିନିଶ କହନ୍ତି,‘‘ ଆମ ଟିମ୍‌ ଡାକ୍ତରଖାନା, ପୋଲିସ ଷ୍ଟେସନ୍ ଏବଂ ବସ୍‌ଷ୍ଟାଣ୍ଡ୍‌ ଭଳି ବିଭିନ୍ନ ସ୍ଥାନରେ ପିପିଇ କିଟ୍‌ ଏବଂ ଫେସ୍ ମାସ୍କ ସଂଗ୍ରହ କଲେ। କରୋନା ନିୟମ ମୁତାବକ ଏହି ସାମଗ୍ରୀକୁ ସଂଗ୍ରହ କରିବାର ୭୨ ଘଣ୍ଟା ପର୍ଯ୍ୟନ୍ତ ତାକୁ ପୃଥକ ଭାବେ ରଖିଯାଏ। ଏହାପରେ ସାମଗ୍ରୀକୁ ବିଶୁଦ୍ଧ କରାଯାଏ। ତା’ପରେ ଏହାକୁ ଛୋଟ ଛୋଟ କରି କାଟି ଦିଆଯାଏ।  ଏହା ପରେ ତାହାକୁ ମିଶ୍ରଣ କରି ମଣ୍ଡ ପ୍ରସ୍ତୁତ କରାଯାଏ। ସେହି ମିଶ୍ରଣକୁ ଛାଞ୍ଚରେ ପୂରାଯାଇ ଇଟା କରାଯାଏ।’’

ଏବେ ଏହି ଇଟାର ଟେଷ୍ଟିଂ ଚାଲିଥିବା ଜଣାପଡ଼ିଛି। ଫଳାଫଳ ଭଲ ଆସିଲେ ଏହାକୁ ବ୍ୟବହାର ଉପଯୋଗୀ କରାଯାଇପାରିବ।

Comment