ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ସହରର ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଲାଣି
  • ୧୬ ନମ୍ବର ଓ୍ଵାର୍ଡରେ ସର୍ବନିମ୍ନ ୨୨ ପ୍ରତିଶତ
  • ୪୭ ନମ୍ବର ଓ୍ଵାର୍ଡରେ ସର୍ବାଧିକ ୬୭ ପ୍ରତିଶତ
  • ୨୫ଟି ଓ୍ଵାର୍ଡର ୪୧.୦୮ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି
  • ସମ୍ବେଦନଶୀଳ ଗୋଷ୍ଠୀର ୫୬.୪ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି

କଟକ ସହରର ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହେଲାଣି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ଏନେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।କଟକ ସହରରେ ମୋଟ ୨,୨୭୪ଟି ନମୁନାକୁ ନେଇ ଆର୍‌ଏମ୍‌ଆର୍‌ସି ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା। ୨୫ଟି ଓ୍ଵାର୍ଡରୁ ୧,୬୩୪ ଓ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ତେବେ ୨୫ଟି ଓ୍ଵାର୍ଡରୁ ସଂଗୃହୀତ ସାମ୍ପଲ ମଧ୍ୟରୁ ୪୧.୦୮ ପ୍ରତିଶତ ଓ ସମ୍ବେଦନଶୀଳ ଗୋଷ୍ଠୀରୁ ସଂଗୃହୀତ ସାମ୍ପଲରୁ ୫୬.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଥିବା ଜଣାପଡ଼ିଛି।

ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ, କଟକ ସହରର ୧୬ ନମ୍ବର ଓ୍ଵାର୍ଡର ସର୍ବନିମ୍ନ ୨୨ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଅନ୍ୟପଟେ ୪୭ ନମ୍ବର ଓ୍ଵାର୍ଡର ସର୍ବାଧିକ ୬୭ ପ୍ରତିଶତ ବ୍ୟକ୍ତିଙ୍କ ଦେହରେ ଆଣ୍ଟିବଡି ପ୍ରସ୍ତୁତ ହୋଇଛି। ସେହିପରି କମ୍ ବୟସ୍କଙ୍କ ଶରୀରରେ ବେଶୀ ଆଣ୍ଟିବଡି ବିକଶିତ ହୋଇଥିବା ଡାକ୍ତର ପତି ସୂଚନା ଦେଇଛନ୍ତି।

କଟକ ସହରରେ କରୋନା ସ୍ଥିତି

କଟକ ସହରରେ ୧୧ ତାରିଖ ସୁଦ୍ଧା ମୋଟ ୧୫,୩୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪,୫୪୫ ଜଣ ସୁସ୍ଥ ହୋଇଥିବା ବେଳେ ୭୬୩ଟି ଆକ୍ଟିଭ୍ କେସ୍ ରହିଛି। ଏଥିସହ ୭୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।ତେବେ ସହରରେ ପୂର୍ବାପେକ୍ଷା ସଂକ୍ରମଣ ହ୍ରାସ ପାଇଛି। ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହୁଛି। ଯଦି ଆମେ ଗତ ୭ ଦିନର ରିପୋର୍ଟ ଉପରେ ନଜର ପକାଇବା, ତେବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ତଳେ ରହିଛି। ଗତ ୫ ତାରିଖରେ କଟକ ସହରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୬ ତାରିଖରେ ୫୬ ଜଣ, ୭ରେ ୪୯ ଜଣ, ୮ରେ ୫୫ ଜଣ, ୯ରେ ୪୩ ଜଣ, ୧୦ରେ ୪୬ ଜଣ ଓ ୧୧ ତାରିଖରେ ୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା କମ୍ ରହୁଛି। ଗତ ନଭେମ୍ବର ୫ରୁ ୯ ତାରିଖ ଯାଏଁ ଦୈନିକ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୦ ତାରିଖରେ କାହାରି ମୃତ୍ୟୁ ହୋଇନାହିଁ। ତେବେ ଗତକାଲି ଅର୍ଥାତ୍ ୧୧ ତାରିଖରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସିଏମ୍‌ସି ରିପୋର୍ଟ ଦେଇଛି।

ରାଜ୍ୟରେ କମୁଛି ସଂକ୍ରମଣ, କମୁନି ମୃତ୍ୟୁସଂଖ୍ୟା

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୦୫,୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨,୯୨,୪୭୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୯୭୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ମୃତ୍ୟୁସଂଖ୍ୟା ୧,୪୮୩କୁ ବୃଦ୍ଧି ପାଇଛି।ତେବେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନାହିଁ। ଗତ ୭ ଦିନର କରୋନା ରିପୋର୍ଟ ଯଦି ଦେଖାଯାଏ ତେବେ ଦୈନିକ ସଂକ୍ରମଣ ୧୫ ଶହ ତଳେ ରହିଛି। କିନ୍ତୁ ମୃତ୍ୟୁସଂଖ୍ୟା ୧୦ ତଳକୁ ଖସୁନାହିଁ।

ଗତ ନଭେମ୍ବର ୬ ତାରିଖରେ ୧,୪୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ଆକ୍ରାନ୍ତ ଆଖି ବୁଜିଥିଲେ। ସେହିପରି ୭ ତାରିଖରେ ୧,୩୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ନଭେମ୍ବର ୮ରେ  ୧,୪୩୪ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୧୫ ଜଣ ପ୍ରାଣ ହରାଇଥିଲେ। ସେହିପରି ୯ ତାରିଖରେ ୧,୨୧୯ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ୧୦ରେ ୯୮୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ଆକ୍ରାନ୍ତ ଆଖି ବୁଜିଥିଲେ। ୧୧ରେ ୧,୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ଏଥିସହ ଆଜି ୯୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୪ ଜଣଙ୍କ ମୃତ୍ୟୁ ଘଟିଛି।

Comment