ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାନ କରି ଦେଶରେ ଦାନୀ ‘ନମ୍ବର ଓ୍ୱାନ’ ହେଲେ ଆଇଟି କମ୍ପାନିର ଚେୟାରମ୍ୟାନ ଅଜୀମ ପ୍ରେମଜୀ।

ଦିନକୁ ୨୨ କୋଟି ଦାନ। ହୁଏତ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ। ସମାଜ କଲ୍ୟାଣ ପାଇଁ ଏମିତି ଦାନ କରୁଥିବା ଜଣେ ବ୍ୟକ୍ତି ଭାରତରେ ଅଛନ୍ତି। ଯାହାଙ୍କ ନାଁକୁ ନେଇ ସାରାଦେଶରେ ଏବେ ଚର୍ଚ୍ଚା ଚାଳିଛି। ତେବେ ଏହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଆଇଟି କମ୍ପାନି ଓ୍ୱିପ୍ରୋର ଚେୟାରମ୍ୟାନ ଅଜୀମ ପ୍ରେମଜୀ।

୨୦୨୦ ବର୍ଷ ପାଇଁ ସେ ଭାରତର ସବୁଠୁ ଦାନୀ ବ୍ୟକ୍ତିଭାବେ ରେକର୍ଡ କରିଛନ୍ତି। ସମାଜ ସେବା ପାଇଁ ଦିନକୁ ସେ ପାଖାପାଖି ୨୨ କୋଟି ଟଙ୍କା ଦାନ କରୁଥିବା ଜଣାପଡ଼ିଛି। ଏ ବର୍ଷ ସମୁଦାୟ ୭ ହଜାର ୯୦୪ କୋଟି ଟଙ୍କା ଦାନ କରି ପ୍ରେମଜୀ ଏଭଳି ସୁନାମ ଅର୍ଜନ କରିଛନ୍ତି।  ହୁରୁନ୍ ରିପୋର୍ଟ ଇଣ୍ଡିଆ ଏବଂ ଏଡେଲଗିଭ୍ ଫାଉଣ୍ଡେସନର ତଥ୍ୟ ମୁତାବକ ଅଜୀମ ପ୍ରେମଜୀ ହେଉଛନ୍ତି ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି।

ରିପୋର୍ଟ ଅନୁସାରେ ଅଜିମଙ୍କ ଏଣ୍ଡୋମେଣ୍ଟ ଫଣ୍ଡ୍‌କୁ ତାଙ୍କ କମ୍ପାନି ଓ୍ୱିପ୍ରୋରୁ ୧୩.୬ ପ୍ରତିଶତ ଲାଭ ଯାଉଛି। ଯାହାକି ଦାନ ସୂତ୍ରରେ ବଣ୍ଟା ଯାଉଥିବା କୁହାଯାଉଛି। ସେହିପରି ଅଜିମ ପ୍ରେମଜୀ ଫାଉଣ୍ଡେସନ, ୱିପ୍ରୋ ଏବଂ ୱିପ୍ରୋ ଏଣ୍ଟରପ୍ରାଇଜେସ୍ କୋଭିଡ ମୁକାବିଲା ପାଇଁ ୧,୧୨୫ କୋଟି ଟଙ୍କା ଦାନ କରିଛନ୍ତି।

ଅନ୍ୟପକ୍ଷରେ ଏହି ଦାନୀ ବ୍ୟକ୍ତିଙ୍କ ତାଲିକାରେ ପ୍ରେମଜୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦାର। ସେ ଗୋଟିଏ ବର୍ଷରେ ୭୯୫ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ତୃତୀୟ ସ୍ଥାନରେ ମୁକେଶ ଅମ୍ବାନୀ ରହିଛନ୍ତି। ସେ ୪୫୮ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

କିଏ ଅଜିମ ପ୍ରେମଜୀ?

୧୯୪୫, ଜୁଲାଇ ୨୪ରେ ଅଜିମ ପ୍ରେମଜୀ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ମହମ୍ମାଦ ହାସମ ପ୍ରେମଜୀ ମଧ୍ୟ ଜଣେ ବ୍ୟବସାୟୀ ଥିଲେ। ଅଜିମ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପାଠପଢ଼ୁଥିଲେ। ୧୯୬୬ରେ ବାପାଙ୍କ ମୃତ୍ୟୁ ପରେ ସେ ପାଠ ପଢ଼ା ଛାଡ଼ ଭାରତ ଆସିଲେ। ଯେତେବେଳେ ପ୍ରେମଜୀ ବାପାଙ୍କ ବ୍ୟବସାୟର ଦାୟିତ୍ୱ ନେଲେ ସେତେବେଳେ ତାଙ୍କ କମ୍ପାନି ‘ୱେଷ୍ଟର୍ଣ୍ଣ ଇଣ୍ଡିଆ ଭେଜିଟେବଲ୍ ପ୍ରଡକ୍ଟ କମ୍ପାନି ହାଇଡ୍ରୋଜେନେଟେଡ୍ ଭେଜିଟେବୁଲ ଅଏଲ’ ତିଆରି କରୁଥିଲେ। ପରେ ଏହି କମ୍ପାନି ଓ୍ୱିପ୍ରୋର ରୂପ ନେଲା। ଆଇଟି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କଲା। ଏବେ ୱିପ୍ରୋର ବିଶ୍ୱବ୍ୟାପୀ ୧ ଲକ୍ଷ ୩୦ ହଜାର କର୍ମଚାରୀ ଅଛନ୍ତି। ଏହାର ୫୪ଟି ଦେଶରେ ଶାଖା ଅଛି। ୱିପ୍ରୋ ମୁଖ୍ୟାଳୟ ବେଙ୍ଗାଳୁରୁରେ ରହିଛି।

ଅନ୍ୟପଟେ ଆମେରିକୀୟ ପତ୍ରିକା ଫୋର୍ବସ୍ ଅନୁଯାୟୀ, ଅଜିମ୍ ପ୍ରେମଜୀ ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ଭାରତର ସବୁଠାରୁ ଧନୀ ବ୍ୟକ୍ତି ରହିସାରିଛନ୍ତି। ଅଜିମଙ୍କ ଫାଉଣ୍ଡେସନ ଗରିବ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେଇଥାଏ। ଅଜିମ ପ୍ରେମଜୀଙ୍କୁ ଭାରତର ବିଲ୍‌ ଗେଟସ୍‌ ମଧ୍ୟ କୁହାଯାଏ।

୨୦୦୫ରେ ରେ ଭାରତ ସରକାରଙ୍କ ଅଜିମ ପ୍ରେମଜୀଙ୍କୁ ସାମାଜିକ କାର୍ଯ୍ୟରେ ପ୍ରଶଂସନୀୟ ଅବଦାନ ପାଇଁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Comment