ଓଡ଼ିଶାଲାଇଭ୍ ବ୍ୟୁରୋ

ଅଳ୍ପକେ ଏନଡିଏ ହାତରେ ରହିଗଲା ବିହାର। ଏ ଖୁସି ଭିତରେ ଭୋଟରଙ୍କ ମୁଡକୁ ନେଇ କିନ୍ତୁ ସବୁ ଦଳର ଚିନ୍ତା ବଢ଼ିଛି। ବିଶେଷ କରି ବିଜେପିର; କାରଣ ଭୋଟ ରାଜନୀତିରେ ଧ୍ରୁବୀକରଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରଣନୀତି। ବିହାରରେ ବାମପନ୍ଥୀ ଏବଂ ଓ୍ୱବୈସୀଙ୍କ ସଫଳତା ବିଜେପିକୁ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ବୋଧହୁଏ ସେଥିପାଇଁ ହାଇଦ୍ରାବାଦରେ ନୂଆ ରଣନୀତିର ଟ୍ରାଏଲ କରିଛି ବିଜେପି।

ହାଇଦ୍ରାବାଦ ନିର୍ବାଚନରେ ଯଦି ୱବୈସୀଙ୍କ ଏଆଇଏମଆଇଏମକୁ ବିଜେପି ଅଟକାଇବାରେ ସଫଳ ହୁଏ, ତେବେ ପଶ୍ଚିମବଙ୍ଗରେ ବିଜେପି ମୁସଲିମ ଭୋଟକୁ ନେଇ କିଛି ଚିନ୍ତା କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଏଥର ବିହାର ନିର୍ବାଚନରେ ୱବୈସୀଙ୍କ ଦଳ ୫ଟି ଆସନ ଜିତିବା ସହ ପ୍ରମାଣିତ କରିଦେଲା ଯେ, ଭୋଟ ରାଜନୀତିରେ ଏହି ଦଳ ଆଦୌ ଅଛୁଆଁ ନୁହେଁ। ଦରକାର ପଡ଼ିଲେ ଅନ୍ୟଦଳ ପାଇଁ ଏହା ବିପର୍ଯ୍ୟୟ ମଧ୍ୟ ସୃଷ୍ଟି କରିପାରେ। ବିଶେଷକରି ପଶ୍ଚିମବଙ୍ଗ, ବିହାର ଭଳି ମୁସଲିମ ଭୋଟର ଥିବା ରାଜ୍ୟଗୁଡ଼ିକରେ, ଯେଉଁଠି ମୁସଲିମ ଭୋଟର ବହୁତ ମାତ୍ରା ନିର୍ବାଚନର ଫଳାଫଳକୁ ନିୟନ୍ତ୍ରଣ କରନ୍ତି।

ହାଇଦ୍ରାବାଦରେ ବିଜେପିକୁ ଯଦି ସଫଳତା ମିଳେ, ତେବେ ଦଳର ରାଷ୍ଟ୍ରବାଦୀ ଚେହେରା ଅଧିକ ଉଜ୍ଜଳ ହେବ ବୋଲି କୁହାଯାଉଛି। ଏପରି ହେଲେ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଏହା ଦଳ ପାଇଁ କାମ ଦେବ। ଯେଉଁଠି କଂଗ୍ରେସ ସହ ବିଜେପିର ଲଢ଼େଇ ହେବ ସେଠାରେ ଦଳ ଜିତିବାକୁ ନେଇ ବେଶ ଆଶାବାଦୀ ରହିବ। ତେବେ ଆଞ୍ଚଳିକତାକୁ ନେଇ ରାଜନୀତି କରୁଥିବା ଦଳଗୁଡ଼ିକୁ ହରାଇବା ବିଜେପି ପାଇଁ ଚ୍ୟାଲେଞ୍ଜିଂ ହେବ।ବିହାରରେ ତେଜସ୍ୱୀ ପ୍ରସାଦ ଯାଦବ ବିଜେପିକୁ ପାଣି ପିଆଇ ଦେଇଥିଲେ। ଏହାପରେ ହାଇଦ୍ରାବାଦରେ ଟିଆରଏସ୍ ମଧ୍ୟ ନିଜ ଜାଗା ଛାଡୁନାହିଁ। ଏପରି ସ୍ଥିତିରେ ପଶ୍ଚିମବଙ୍ଗରେ ମଧ୍ୟ ମମତା ବାନାର୍ଜୀ ‘କିଏ ରାଜ୍ୟର ଦଳ ଆଉ କିଏ ବାହାରର’କୁ ପ୍ରସଙ୍ଗ କରି ରାଜନୀତି ଆରମ୍ଭ କରିଦେଇଛନ୍ତି। ତେଣୁ ଟିଏମସିର ଏହି ରଣନୀତିକୁ ଚ୍ୟାଲେଞ୍ଜ କରିବା ପାଇଁ ବିଜେପିର ରାଷ୍ଟ୍ରବାଦୀ କ୍ୟାମ୍ପେନିଂ ମଡେଲ କାମ କରିବା ଦରକାର। ଏପରି ସ୍ଥିତିରେ ରାଜନୈତିକ ପଣ୍ତିତମାନେ କହୁଛନ୍ତି ଯେ, ବିହାରରୁ ମିଳିଥିବା ଶିକ୍ଷାକୁ ନେଇ ବିଜେପି ପଶ୍ଚିମବଙ୍ଗରେ ପ୍ରୟୋଗ କରିବାକୁ ଚାହିଁଛି ଆଉ ସେହି ରଣନୀତିର ଟ୍ରାଏଲ ହାଇଦ୍ରାବାଦରେ ହୋଇଛି।

ବର୍ତ୍ତମାନ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ତିନୋଟି ଫର୍ମୁଲା ଆପଣେଇଛି। ଗୋଟିଏ ହେଲେ ପଶ୍ଚିମବଙ୍ଗରେ ୱବୈସୀଙ୍କୁ ଅଟକାଇବା। ଦ୍ୱିତୀୟଟି ହେଲେ କଂଗ୍ରେସକୁ କେବଳ ଏକ ଭୋଟ ବିଭାଜନକାରୀ ଦଳ ଭାବେ ସୀମିତ ରଖିବା। ଏହାପରେ ନିଜର ରାଷ୍ଟ୍ରବାଦୀ ମଡେଲକୁ ଆଗକୁ ଆଣିବା। ତେବେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଫଳାଫଳ ଆସିଲେ ହିଁ ବିଜେପିର ଏହି ରଣନୀତି କାମ କରିଛି କି ନାହିଁ ସ୍ପଷ୍ଟ ହୋଇଯିବ।

Comment