ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ ପ୍ରଥମେ କରୋନା ଟିକା ନେବେ ରାଣୀ ଏଲିଜାବେଥ୍।

ଆମେରିକାର ତିନିଜଣ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ଡବ୍ଲ୍ୟୁ ବୁଶ୍ ଓ ବିଲ୍ କ୍ଲିଣ୍ଟନ ସାର୍ବଜନୀନ ଭାବେ କରୋନା ଟିକା ନେବାକୁ ଘୋଷଣା କରିସାରିଛନ୍ତି। ଏହାସହ ବ୍ରିଟେନର ରାଣୀ ଏଲିଜାବେଥ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ମିଶି ପ୍ରଥମେ କରୋନା ଟିକା ନେବେ ବୋଲି ସୂଚନା ମିଳିଛି। ଏଭଳି ସ୍ଥିତିରେ ବିଶ୍ୱର ଦୁଇଟି ପ୍ରମୁଖ ଦେଶର ପ୍ରତିନିଧି କାହିଁକି ପ୍ରଥମେ ଟିକା ନେବାକୁ ଆଗକୁ ଆସିଲେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

କୁହାଯାଉଛି ଯେ, କରୋନା ଟିକାକୁ ନେଇ ସାରା ବିଶ୍ୱବାସୀ ଯେତିକି ଅପେକ୍ଷାରତ ଅଛନ୍ତି ସେତିକି ଆଶଙ୍କା ଭିତରେ ମଧ୍ୟ ଅଛନ୍ତି। କରୋନା ଟିକାନେବା ଦ୍ୱାରା ସେମାନଙ୍କ ଦେହରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବ ବୋଲି ସାଧାରଣ ଲୋକେ ଚିନ୍ତା କରୁଛନ୍ତି। ପୂର୍ବରୁ ଟିକାମାନଙ୍କର ମାନବୀୟ ପରୀକ୍ଷଣ ସମୟରେ ଏଭଳି ସ୍ଥିତି ଉପୁଜିଛି। ତେଣୁ ଲୋକଙ୍କ ମନରେ କରୋନା ଟିକା ପ୍ରତି ସଚେତନତା ବଢ଼େଇବାକୁ ଏହି ଦୁଇ ଦେଶର ପ୍ରତିନିଧି ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ତା’ସହିତ ଆମେରିକାର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୪୦ ପ୍ରତିଶତ ଆମେରିକୀୟ କରୋନା ଟିକାକୁ ନେଇ ଭୟଭୀତ ଅଛନ୍ତି। ଟିକା ନେଲେ ସେମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ହେବ ବୋଲି ସେମାନେ ଭାବୁଛନ୍ତି। ଲୋକଙ୍କ ମନରେ ଥିବା ଏହି ଚିନ୍ତାଧାରା ବଦଳାଇବାକୁ ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତି କ୍ୟାମେରା ସାମ୍ନାରେ ଟିକା ନେବେ ବୋଲି ଘୋଷଣା କରିଛନ୍ତି।ବ୍ରିଟେନର ରାଣୀ ଏଲିଜାବେଥ୍ ନେବେ ପ୍ରଥମେ ଟିକା

ଡିସେମ୍ବର ୨ ତାରିଖରେ ଫାଇଜର-ବାୟୋଟେକ୍ ଟିକାକୁ ବ୍ରିଟେନରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଇଂଲଣ୍ଡର ପବ୍ଲିକ୍ ହେଲଥ ଡିପାର୍ଟମେଣ୍ଟର କହିବା ମୁତାବକ, ଖୁବଶୀଘ୍ର ସେଠାରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ତେବେ ପ୍ରଥମେ ରାଣୀ ଏଲିଜାବେଥ ଓ ତାଙ୍କ ସ୍ୱାମୀ ଫିଲିପଙ୍କୁ କରୋନା ଟିକା ଦିଆଯିବ।

ଏହାପରେ ଇଂଲଣ୍ଡରେ ପ୍ରାଥମିକତାକୁ ଦେଖି କରୋନା ଟିକାକରଣ ହେବ। ପ୍ରଥମେ କେୟାର ହୋମରେ ରହୁଥିବା ବୃଦ୍ଧମାନଙ୍କୁ ଏବଂ ସେଠାରେ କାମ କରୁଥିବା ଲୋକଙ୍କୁ ଟିକା ଦିଆଯିବ। ପରେ ପରେ ଦେଶର ଅନ୍ୟ ବୃଦ୍ଧମାନଙ୍କୁ ଏହି ଟୀକା ଦିଆଯିବ।

୧୯୫୭ରେ ବି ହୋଇଥିଲା ସମାନ କଥା

ଏହାପୂର୍ବରୁ ୧୯୫୬ ମସିହାରେ ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଥିଲା। ସେ ସମୟରେ ପୋଲିଓ ଟିକା ପ୍ରତି ଲୋକଙ୍କ ସଚେତନତା ବଢ଼େଇବାକୁ ଯାଇ ବ୍ରିଟେନର ରାଜା ଚାଲର୍ସ ଏବଂ ତାଙ୍କ ଭଉଣୀ ପ୍ରଥମେ ଟିକା ନେଇଥିଲେ। ତେଣୁ ରାଜ ପରିବାରର ଲୋକେ ପ୍ରଥମେ କରୋନା ଟିକା ନେଲେ ଲୋକମାନଙ୍କର ଏଥିପ୍ରତି ବିଶ୍ୱାସ ଜନ୍ମିବ ବୋଲି କୁହାଯାଉଛି।କ୍ୟାମେରା ସାମ୍ନାରେ ଟିକା ନେବେ ତିନି ପୂର୍ବତନ ରାଷ୍ଟ୍ରପତି

ଆମେରିକାର ତିନିଜଣ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ବୁଶ ଓ ବିଲ୍ କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ଟିକା ନେବେ ବୋଲି ଘୋଷଣା କରିଛନ୍ତି। ଏପରିକି ଏହି ତିନିଜଣଙ୍କର ଟିକାକରଣ ପକ୍ରିୟାକୁ ଆମେରିକୀୟ ଟେଲିଭିଜନରେ ମଧ୍ୟ ଦେଖାଯାଇପାରେ। ଲୋକଙ୍କୁ ଟିକାକରଣ ପ୍ରତି ସଚେତନ କରିବାକୁ ଯାଇ ଏହି ରାଷ୍ଟ୍ରପତିମାନେ ଏପରି କରିଥିବା କୁହାଯାଇଛି। ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍ ମଧ୍ୟ ସର୍ବସମ୍ମୁଖରେ ଟିକା ନେବେ ବୋଲି କହିଛନ୍ତି। ତେଣୁ କରୋନା ଟିକା ପ୍ରତି ଲୋକଙ୍କ ବିଶ୍ୱାସ ଜନ୍ମେଇବା ପାଇଁ ଆମେରିକାର ତିନି ପୂର୍ବତନ ରାଷ୍ଟ୍ରପତି ଏବଂ ବ୍ରିଟେନର ରାଣୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comment