ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଶା ରାଜନୀତିରେ ବହୁ ଓଲିଉଡ ଷ୍ଟାର ପ୍ରବେଶ କରିଛନ୍ତି। ଏହି ଷ୍ଟାରମାନେ ଅଭିନୟ କରିବା ସହିତ ରାଜନୀତିର ପଶାପାଲିରେ ଭାଗ୍ୟ ପରୀକ୍ଷା କରି ଲୋକପ୍ରିୟତା ଏବଂ ସଫଳତା ହାସଲ କରିଛନ୍ତି।

କେଉଁ ଷ୍ଟାର କେଉଁ ପାର୍ଟିରେ?

ପ୍ରଶାନ୍ତ ନନ୍ଦ: ଓଲିଉଡର ଭେଟେରାନ୍ କଳାକାର ଭାବେ ପ୍ରଶାନ୍ତ ନନ୍ଦଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ଦୀର୍ଘଦିନ ଧରି ସେ ପରଦାରେ ଅଭିନୟ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୦ ମସିହାରେ ପ୍ରଶାନ୍ତ ବିଜେପିରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ହେଲେ କିଛି କାରଣ ପାଇଁ ପ୍ରଶାନ୍ତ ବିଜେପି ଛାଡ଼ି ଏନ୍‌ସିପିରେ ସାମିଲ୍‌ ହୋଇଥିଲେ। ଏନ୍‌ସିପି ଟିକେଟରେ ମଧ୍ୟ ସେ ବିଧାୟକ ହୋଇଥିଲେ ୨୦୦୪ରେ। ଏବେ ସେ ବିଜେଡିରୁ ରାଜ୍ୟସଭା ସାଂସଦ ଅଛନ୍ତି।

ମୁନ୍ନା ଖାଁ: ଅଭିନେତା ନେତା ହୋଇଥିବା ମୁନ୍ନା ଖାଁ ଏବେ ଶାସକ ବିଜେଡିରେ। ଏବେ ସେ ରାଜ୍ୟସଭା ସାଂସଦ ଅଛନ୍ତି। ମୁନ୍ନା ଖାଁ ଅତୀତରେ ଚଳଚ୍ଚିତ୍ର ଉନ୍ନୟନ ବୋର୍ଡ ଅଧ୍ୟକ୍ଷ ରହିଥିଲେ। ଏହାସହିତ ବିଜେଡିର ସଂଖ୍ୟାଲଘୁ ସେଲ୍‌ର ସଭାପତି ଥିଲେ ମୁନ୍ନା ଖାଁ।

ସିଦ୍ଧାନ୍ତ ମହାପାତ୍ର: ପ୍ରଶାନ୍ତ ନନ୍ଦଙ୍କ ପରେ ବିଜେଡି ଆସିଥିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ପରଦାରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଘର କରିଥିବା ସିଦ୍ଧାନ୍ତ ୨୦୦୯ରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବି ସିଦ୍ଧାନ୍ତ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଆକାଶ ଦାସନାୟକ: ୨୦୧୪ ନିର୍ବାଚନରେ ଯାଜପୁର ଜିଲ୍ଲା କୋରାଇ ନିର୍ବାଚନମଣ୍ଡଳୀରୁ ବିଜେଡିରୁ ବିଧାୟକ ଟିକେଟ ପାଇଥିଲେ ଆକାଶ ଦାସନାୟକ। ସେ ଜିତିଥିଲେ ମଧ୍ୟ। ଆକାଶ ବିଜେଡିର ଷ୍ଟାର କ୍ୟାମ୍ପେନର ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳିଥାଏ।

ଅନୁଭବ ମହାନ୍ତି: ୨୦୧୩ରେ ବିଜେଡିରେ ସାମିଲ୍ ହୋଇଥିବା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ କେନ୍ଦ୍ରପଡ଼ା ସାଂସଦ ଅଛନ୍ତି। ଏହାପୂର୍ବରୁ ସେ ରାଜ୍ୟସଭା ସାଂସଦ ଥିଲେ। ୨୦୧୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାସହ ଅନୁଭବ ବିଜେଡିର ଷ୍ଟାର କ୍ୟାମ୍ପେନର ଭାବେ ବିଭିନ୍ନ ପ୍ରଚାରରେ ପ୍ରଚାର କରିଛନ୍ତି। ଯୁବ ଏବଂ ଛାତ୍ର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଭବ ଆଗରେ ଥାଆନ୍ତି।

ତତ୍ତ୍ୱ ପ୍ରକାଶ ଶତପଥୀ: ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣାଶୁଣା ହାସ୍ୟଭିନେତା ଭାବେ ସୁନାମ ଅର୍ଜନ କରିଥିବା ପପୁ ପମ୍‌ ପମ୍‌ ଓରଫ୍ ତତ୍ତ୍ୱ ପ୍ରକାଶ ଶତପଥୀ ୨୦୧୪ରେ ବିଜେଡି ଟିକେଟ ପାଇଥିଲେ। କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ନିର୍ବାଚନରେ ପରାଜିତ ହୋଇଥିଲେ।

ନିର୍ବାଚନରେ ହାରିବା ପରେ ପପୁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଥିଲେ। ଷ୍ଟାର ପ୍ରଚାରକ ଭାବେ ସେ ବିଭିନ୍ନ ନିର୍ବାଚନରେ ପ୍ରଚାର କରୁଥିଲେ। ବିବାଦୀୟ ହୋଇ ପଡ଼ିବା ପରେ ପପୁ ବିଜେଡିରୁ ନିଲମ୍ବିତ ହୋଇଥିଲେ।

ଅପରାଜିତା ମହାନ୍ତି: ୨୦୧୪ ଭୋଟରେ ଭେଟେରାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କଠାରୁ ଅପରାଜିତା ହାରି ଯାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟରୁ ଭୁବନେଶ୍ୱର-ଉତ୍ତର ଆସନରୁ ଲଢ଼ି ହାରି ଯାଇଥିଲେ।

ଶ୍ରୀତମ ଦାସ: ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଅଭିନେତା ଶ୍ରୀତମ ଦାସ। ତାଙ୍କୁ ବିଜେପି ଟିକେଟ ଦେଇ ନଥିଲେ ମଧ୍ୟ ସେ ବିଜେପିର ଷ୍ଟାର କ୍ୟାମ୍ପେନର ଭାବେ ତାଙ୍କୁ ଆଗରେ ଦେଖିବାକୁ ମିଳିଥିଲା

ପିଙ୍କି ପ୍ରଧାନ: ଉପସ୍ଥାପିକା ଭାବେ ଜଣାଶୁଣା ପିଙ୍କି ପ୍ରଧାନ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ। ଶ୍ରୀତମ ଦାସଙ୍କ ଭଳି ପିଙ୍କି ଦଳର ଷ୍ଟାର ପ୍ରଚାରକର ମଙ୍ଗ ଧରିଥିଲେ। ପଞ୍ଚାୟତ ନିର୍ବାଚନରେ ପିଙ୍କି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ନଜିର ରହିଛି। ୨୦୧୯ ନିର୍ବାଚନରେ ପିଙ୍କି ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିଥିଲେ।

ଅନୁ ଚୌଧୁରୀ : ୨୦୧୮ରେ ବିଜେପିରେ ସାମିଲ ହୋଇଥିଲେ ଅନୁ ଚୌଧୁରୀ। ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ସେତେବେଳେ ଅନୁ କହିଥିଲେ।

ମିହିର ଦାସ : ମିହିର ଦାସ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ୍‌ ହୋଇଥିଲେ। ନିର୍ବାଚନରେ ଦଳ ପାଇଁ ପ୍ରଚାର ବି କରିଥିଲେ। କିନ୍ତୁ ତାହା ପର ଠାରୁ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ମିହିରଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାପରେ ୨୦୧୮ରେ ସେ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।

ଅରିନ୍ଦମ ରାୟ – ଅଭିନେତା ଅରିନ୍ଦମ ରାୟ ଏବେ ବିଜେଡିରେ ଅଛନ୍ତି। ଦଳର ଷ୍ଟାର ପ୍ରଚାରକ ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି। ନିକଟରେ ତିର୍ତ୍ତୋଲ ଉପନିର୍ବାଚନ ସମୟରେ ସେ ସଭା କରିବା ସହିତ ରୋଡ ସୋ’ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା।

କୁନା ତ୍ରିପାଠୀ –  ବହୁ ବର୍ଷରୁ ବିଜେଡିରେ ଅଛନ୍ତି ଅଭିନେତା କୁନା ତ୍ରିପାଠି। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଦଳରେ ମିଶିବା ପରେ ବହୁ ନିର୍ବାଚନରେ ପ୍ରଚାର କରିଛନ୍ତି କୁନା ତ୍ରିପାଠୀ।

ବିଜୟ ମହାନ୍ତି:  ୨୦୧୪ରେ ରାଜନୀତିରେ ଯୋଗ ଦେଇଥିଲେ ବିଜୟ ମହାନ୍ତି। ସେ କଂଗ୍ରେସ ଟିକେଟରେ ଭୁବନେଶ୍ୱର ଲୋକସଭା ଆସନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳତା ପାଇନଥିଲେ। ପରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ।

ମହେଶ୍ୱତା ରାୟ – ଅଭିନେତ୍ରୀ ମହେଶ୍ୱତା ରାୟ ୨୦୧୮ରେ ବିଜେପିରେ ସାମିଲ ହୋଇଥିଲେ। ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଥିଲେ। ମହେଶ୍ୱତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ।

Comment