ଓଡ଼ିଶାଲାଇଭ୍ ବ୍ୟୁରୋ

  • ଟିକାକରଣ ପାଇଁ ଗାଇଡଲାଇନ ଧାର୍ଯ୍ୟ
  • ଦୈନିକ ୧୦୦ରୁ ୨୦୦ ଲୋକଙ୍କୁ ମିଳିବ ଟିକା
  • ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକୃତ ହେବା ଜରୁରୀ

ଦେଶରେ ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଟିକା ପାଇବା ପାଇଁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ କେବଳ ପୂର୍ବ ପଞ୍ଜୀକୃତ ବ୍ୟକ୍ତିମାନଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ ସ୍ଵତନ୍ତ୍ର ଆପ୍‌ Co-WINରେ ୧୨ ପ୍ରକାର ପରିଚୟପତ୍ର ଦେଖାଇ ପଞ୍ଜୀକୃତ ହେବାକୁ ପଡ଼ିବ।

ଏହି ପରିଚୟପତ୍ର ମଧ୍ୟରେ ରହିଛି ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପେନସନ୍ ଡକ୍ୟୁମେଣ୍ଟ ଇତ୍ୟାଦି। ଗାଇଡଲାଇନ ଅନୁସାରେ ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ସେହିପରି ପ୍ରତି କେନ୍ଦ୍ରରେ ଦୈନିକ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ।

ଜଣେ ଟିକା ନେଲା ପରେ ୩୦ ମିନିଟ ପର୍ଯ୍ୟନ୍ତ ତାଙ୍କୁ ଅନୁଧ୍ୟାନରେ ରଖାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୫୦ ବର୍ଷରୁ ଅଧିକ ବୟସଧାରୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

Comment