ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ଏ ବିଷୟରେ ଅଧିକ ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ।

୨୦୨୦ରେ ଚର୍ଚ୍ଚିତ ଚେହେରାମାନଙ୍କ କଥା ଯଦି ବିଚାର କରାଯାଏ ତେବେ ଅଭିନେତା ସୋନୁ ସୁଦଙ୍କ ନାଁ ସବୁଠୁ ଆଗରେ ଆସିବ। କରୋନା ସଙ୍କଟ ସମୟରେ ଅସହାୟ ପ୍ରବାସୀ ତଥା ଗରିବ ଲୋକଙ୍କୁ ସାହାଯ୍ୟ କରି ସେ ଚର୍ଚ୍ଚା ସାଉଁଟିଥିଲେ। ତାଙ୍କର ମହାନତା ଓ ପରୋପକାରିତା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା। ଖାଲି ସେତିକି ନୁହେଁ ବ୍ରିଟେନ ସ୍ଥିତ ଇଷ୍ଟର୍ଣ୍ଣ ଆଇ ଖବରକାଗଜ ଦ୍ୱାରା ପ୍ରକାଶିତ ଏସିଆର ୫୦ ଜଣ ଲୋକପ୍ରିୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ ଶୀର୍ଷରେ ରହିଥିଲେ।sonu sood-6ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ

କରୋନା ମହାମାରୀର ସଙ୍କଟ ସମୟରେ ସୋନୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେବଦୂତ ସାଜିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଲକଡାଉନ୍ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ସୋନୁ ସୁଦ। ବସ୍, ଟ୍ରେନ୍ ଯୋଗେ ଲୋକଙ୍କୁ ସେମାନଙ୍କ ଘରକୁ ପଠାଇବାଠାରୁ ଆରମ୍ଭ କରି ସେମାନଙ୍କ ଖାଇବା ପିଇବା ପର୍ଯ୍ୟନ୍ତ ସବୁକିଛି ବନ୍ଦୋବସ୍ତ କରିଥିଲେ। ତାଙ୍କର ଏହି ବଦାନ୍ୟତା ପାଇଁ ଅନେକ ଲୋକ ସୋନୁଙ୍କୁ ଭଗବାନ ଭଳି ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଓଡ଼ିଆ ଯୁବତୀଙ୍କୁ ଓଡ଼ିଶା ପଠାଇଥିଲେ

ଲକଡାଉନ୍ ସମୟରେ ୧୭୭ ଜଣ ଓଡ଼ିଆ ଯୁବତୀ କେରଳରେ ଫସି ରହିଥିଲେ। ସେମାନେ ଯେଉଁ କମ୍ପାନିରେ କାମ କରୁଥିଲେ କରୋନା ଯୋଗୁ ତାହା ବନ୍ଦ ହୋଇଗଲା। ଫଳରେ ଘରକୁ ଆସିନପାରିବାରୁ ସେମାନେ ସୋନୁଙ୍କୁ ଏ ବାବଦରେ ଜଣାଇଥିଲେ। ଏହି ଖବର ମିଳିବା ପରେ ସୋନୁ ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରାଇଥିଲେ। ସୋନୁଙ୍କର ଏହି ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଥିଲେ।sonu sood-2ଧାନବାଦର ୫୦ ଯୁବତୀଙ୍କୁ ଚାକିରି

କରୋନା ଯୋଗୁ ଜୀବିକା ହରାଇଥିବା ଲୋକଙ୍କୁ ରୋଜଗାର ଯୋଗାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ। ଲକଡାଉନ୍ ଫଳରେ ଝାଡ଼ଖଣ୍ଡ ଧାନବାଦର ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ବେକାର ହୋଇ ବସିଥିବା ଏହି ଯୁବତୀମାନେ ସୋନୁଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏହାପରେ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଚାକିରି ଯୋଗାଇବାକୁ ସୋନୁ ପ୍ରତିଶ୍ରୁତି ଦେଇଥିଲେ।୩୫ ଜଣ ଝିଅଙ୍କୁ ସାଇକେଲ

ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ରହିଥିବା ସୋନୁ ଗତ ଅକ୍ଟୋବର ମାସରେ ଗୋଟିଏ ଗାଁର ୩୫ ଜଣ ଝିଅଙ୍କୁ ସାଇକେଲ ବାଣ୍ଟିବାକୁ ଘୋଷଣା କରିଥିଲେ। ସନ୍ତୋଷ ଚୌହାନ ନାମକ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଯେ, ୩୫ ଜଣ ଝିଅ ପଢ଼ିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କୁ ୮ରୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ହେଲେ ସେମାନଙ୍କ ପାଖରେ କୌଣସି ସାଇକେଲ୍ ନାହିଁ। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ପାଠପଢ଼ା ବନ୍ଦ କରିଦେବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ସାଇକେଲ୍ ମିଳିଲେ ସେମାନେ ଉପକୃତ ହେବେ।

ଏହାର ଜବାବରେ ଖୁବଶୀଘ୍ର ସେହି ଝିଅମାନଙ୍କ ପାଖରେ ସାଇକେଲ ପହଞ୍ଚିଯିବ ବୋଲି ସୋନୁ ଘୋଷଣା କରିଥିଲେ ଆଉ ପୂରଣ ମଧ୍ୟ କରିଥିଲେ।ଚା ବିକାଳିଙ୍କ ପିଲାଙ୍କୁ ସ୍ମାର୍ଟଫୋନ୍

ଗତ ନଭେମ୍ବର ମାସରେ ସୋନୁ ଦିଲ୍ଲୀର ରାଧୁ ପ୍ୟାଲେସ ସ୍ଥିତ ରାସ୍ତାକଡ଼ରେ ଚା ବିକ୍ରି କରୁଥିବା ଅମିତଙ୍କ ଦୁଇ ପୁଅଙ୍କୁ ଅନଲାଇନ୍ ପାଠପଢ଼ା ପାଇଁ ସ୍ମାର୍ଟଫୋନ୍ ପ୍ରଦାନ କରିଥିଲେ। ଅମିତଙ୍କ ଦୁଇ ପୁଅ ସ୍ମାର୍ଟଫୋନ୍ ଅଭାବରୁ ପାଠ ପଢ଼ି ପାରୁନଥିଲେ। ଏହା ଜାଣିବା ପରେ ସୋନୁ ଅମିତଙ୍କ ଦୁଇ ପୁଅଙ୍କ ପାଇଁ ସ୍ମାର୍ଟଫୋନ୍ କିଣି ଦେବା ସହ ଅମିତଙ୍କ ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସାହାଯ୍ୟ କରିଥିଲେ।

ମେରୁଦଣ୍ଡ ଚିକିତ୍ସା ପାଇଁ ଯୁବକଙ୍କୁ ସାହାଯ୍ୟ

ଡିସେମ୍ବର ମାସରେ ସୋନୁଙ୍କ ମହାନ କାମ ତାଲିକାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଥିଲା। ସୋନୁଙ୍କ ସହାୟତା ପାଇଁ ଦୀର୍ଘ ୧୨ ବର୍ଷ ଧରି ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ଛତିଶଗଡ଼ ଭିଲାଇର ଯୁବକ ଅମନଜିତ ସିଂହ ନୂଆ ଜୀବନ ପାଇଥିଲେ। ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ ଅମନ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁନଥିଲେ। ତେଣୁ ଗତ ୧୨ ବର୍ଷ ହେଲା ସେ ବିଛଣାରେ ପଡ଼ି ରହୁଥିଲେ। ଅମନ ପୁଣି ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଦରକାର ହୋଇଥିଲା ଅପରେସନ। କିନ୍ତୁ ଏଥିପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ଅମନଙ୍କ ପରିବାର ଲୋକେ ଅସହାୟ ହୋଇପଡ଼ିଥିଲେ।ଏପରି ସ୍ଥିତିରେ ବନ୍ଧୁବାନ୍ଧବ ମଧ୍ୟ ହାତ ଟେକିଦେଲେ। ତେଣୁ ଶେଷରେ ଅଭିନେତା ସୋନୁ ସୁଦଙ୍କ ସାହାଯ୍ୟ ଲୋଡ଼ିଥିଲେ ଅମନ। ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରି ଅମନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହାପରେ ଅମନଙ୍କ ଚିକିତ୍ସା ପାଇଁ ଆଗେଇ ଆସିଥିଲେ ସୋନୁ ସୁଦ୍। ସୋନୁଙ୍କ ସହାୟତାରେ କର୍ଣ୍ଣାଲର ଓ୍ଵିର୍କ ହସ୍ପିଟାଲରେ ନ୍ୟୁରୋସର୍ଜନ ଡାକ୍ତର ଅଶ୍ଵିନୀ ଅମନଙ୍କ ଚିକିତ୍ସା କରିଥିଲେ। କିଛି ଦିନ ପରେ ଅମନ ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ।

ଇ-ରିକ୍ସା ବାଣ୍ଟିବାକୁ ଘୋଷଣା

କରୋନା ଓ ଲକଡାଉନ୍ କାରଣରୁ ଜୀବିକା ହରାଇଥିବା ଗରିବ ଲୋକଙ୍କୁ ଇ-ରିକ୍ସା ବାଣ୍ଟିବାକୁ ସୋନୁ ସୁଦ ଘୋଷଣା କରିଛନ୍ତି। ‘ନିଜେ କମାଅ ଘର ଚଳାଅ’ ଅଭିଯାନ ଜରିଆରେ ସୋନୁ ଏହି ରିକ୍ସା ବାଣ୍ଟିବେ।

ଏନେଇ ସୋନୁ କହିଛନ୍ତି, “ଗତ କିଛି ମାସ ହେଲା ମୋତେ ଲୋକଙ୍କ ପ୍ରବଳ ଭଲପାଇବା ମିଳିଛି। ଯାହା ମୋତେ ସେମାନଙ୍କ ପାଇଁ କିଛି କରିବାକୁ ପ୍ରେରଣା ଦେଇଛି। ଏଥିପାଇଁ ମୁଁ ଏହି ଅଭିଯାନ ଆରମ୍ଭ କରିଛି। ଲୋକମାନେ ଏହାଦ୍ୱାରା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ରୋଜଗାରକ୍ଷମ ହୋଇପାରିବେ।”

ଖାଲି ଏତିକି ନୁହେଁ, ଆହୁରି ଅନେକ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ସୋନୁ ସୁଦ। କେବେ କୌଣସି ରୋଗରେ ପୀଡ଼ିତ ଲୋକଙ୍କ ଚିକିତ୍ସା ହେଉ କି ଜୀବିକା ହରାଇଥିବା ଲୋକଙ୍କୁ ରୋଜଗାର, ସବୁ କ୍ଷେତ୍ରରେ ସୋନୁ ସୁଦ ଦେବଦୂତ ପରି ସାହାଯ୍ୟ କରିଛନ୍ତି, ଆଉ ବ୍ୟାଡ୍ ବୟରୁ ବନି ଯାଇଛନ୍ତି ରିୟଲ ଲାଇଫ୍ ହିରୋ।

Comment