ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମୟରେ ଅଭିନବ ଉପାୟରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ଦୁଇ ଶିକ୍ଷକ।

କରୋନା ମହାମାରୀର ସଙ୍କଟ ସମୟରେ ଆମ ଶିକ୍ଷା ବ୍ୟବସ୍ଥା ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଆଉ କିଛି ପିଲା ଇଣ୍ଟରନେଟ୍ ଓ ମୋବାଇଲ ଅଭାବରୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥିତିରେ କିଛି ଶିକ୍ଷକ ପିଲାଙ୍କ ପାଠପଢ଼ା ପାଇଁ ଅଭିନବ ପ୍ରୟାସ କରି ବେଶ୍ ଚର୍ଚ୍ଚିତ ହୋଇଛନ୍ତି। କିଏ କଳାପଟାକୁ ବାଇକ ପଛରେ ବାନ୍ଧି ପିଲାଙ୍କ ପାଖକୁ ଯାଉଛନ୍ତି ତ ଆଉ କିଏ ଗଛରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।ବାଇକରେ କଳାପଟା ବାନ୍ଧି ପିଲାଙ୍କୁ ପଢ଼ାଇଲେ ରୁଦ୍ର

କରୋନା ଯୋଗୁ ସ୍କୁଲ ବନ୍ଦ ହେବା ପରେ ଛତିଶଗଡ଼ର ଅନେକ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। କାରଣ କାହା ଘରେ ମୋବାଇଲ ନଥିଲା ତ ଆଉ କାହା ଘରେ ବିଜୁଳି ସୁବିଧା ନଥିଲା। ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଛତିଶଗଡ଼ କୋରିଆ ଜିଲ୍ଲାର ସରକାରୀ ଶିକ୍ଷକ ରୁଦ୍ର ରଣା। ବହୁତ ଭାବିବା ପରେ ସେ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ପାଖକୁ ନେଇଯିବାକୁ ନିଷ୍ପତ୍ତି ନେଲେ।ଏହାପରେ ସେ ନିଜ ବାଇକ୍ ପଛରେ କଳାପଟା ବାନ୍ଧି ଗୋଟେ ସାହିରୁ ଆଉ ଗୋଟେ ସାହିକୁ ବୁଲି ପିଲାଙ୍କୁ ପାଠ ପଢ଼ାଇଲେ। ସ୍କୁଲର ରୁଟିନ ଅନୁସାରେ ଯେମିତି ପଢ଼ାଯାଏ, ସେ ଠିକ୍ ସେମିତି ହିଁ ପାଠ ପଢ଼ାଉଛନ୍ତି। ପ୍ରଥମେ ପ୍ରଥମେ ପିଲା ସେତେ ଆଗ୍ରହରେ ଆସୁନଥିଲେ ମଧ୍ୟ ଏବେ ସାରଙ୍କ ବେଲ୍ ବାଜିବା କ୍ଷଣି ଛାତ୍ରଛାତ୍ରୀମାନେ ତାଙ୍କ ପାଖରେ ହାଜର ହୋଇଯାଉଛନ୍ତି। ରୁଦ୍ରଙ୍କ ଏହି ସୁନ୍ଦର ପ୍ରୟାସ ପାଇଁ ଅନଲାଇନ କ୍ଲାସରୁ ବଞ୍ଚିତ ପିଲାମାନେ ପାଠ ପଢ଼ିପାରୁଛନ୍ତି।ଗଛ ସାଜିଛି କଳାପଟା

ପିଲାଙ୍କୁ ପଢ଼ାଇବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁରର ଲଖମରା ସିଆରସିସି ସୁବାସ ସାହୁ ଏକ ଅଭିନବ ଉପାୟ ଆପଣେଇଛନ୍ତି। ସେ ନିଜ ଗାଁ ପୂଝାରିପାଲିରେ ଖୋଲା ଆକାଶ ତଳେ ଏକ ଗଛର ସାହାଯ୍ୟ ନେଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ଗାଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛକୁ ବିଭିନ୍ନ ରଙ୍ଗ କରି ଗଣିତ, ଇଂରାଜୀ, ଭୂଗୋଳ, ସାହିତ୍ୟ ଆଦି ବିଷୟ ପଢ଼ାଇଥାନ୍ତି। ଏହି ଭଳି ପ୍ରାୟ ୨୨ଟି ଗଛ ସାହାଯ୍ୟରେ ସେ ପ୍ରତିଦିନ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇଥାନ୍ତି। ନୂଆ ଢଙ୍ଗରେ ପାଠ ପଢ଼ା ହେଉଥିବାରୁ ପିଲାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି। ସୁବାସଙ୍କର ଏହି ନିଆରା ପ୍ରୟାସ ପାଇଁ ବିଭିନ୍ନ ଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

Comment