ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଆଇନ ବିରୋଧ ଆନ୍ଦୋଳନକୁ ଗୋଟିଏ ମାସ ବିତିଲାଣି। ସରକାର ଦାବି ପୂରଣ କରିନଥିବାରୁ ପଞ୍ଜାବ, ହରିୟାଣା ସମେତ ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ସୀମାରେ ଏବେ ବି ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ଯାଏଁ ଚାଷୀ ଏଠାରେ ରହିବାକୁ ଯୋଜନା କରିଛନ୍ତି। ଏପରିସ୍ଥଳେ ସେମାନେ ସମୟର ଉପଯୋଗ କରିବା ପାଇଁ ଫସଲ ଲଗାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀ ସୀମା ନିକଟ ନିରାଙ୍କରି ସମାଗମ ଗ୍ରାଉଣ୍ଡରେ ଚାଷୀମାନେ ପିଆଜ ଚାଷ କରୁଥିବା ଦେଖିବାକୁ ମିଳିଛି।

‘‘ଆମେ ଦୀର୍ଘ ଦିନ ଧରି ଏଠାରେ ରହିଛୁ ଏବଂ ଅଧିକ ସମୟ ରହିବାକୁ ଆମର ଯୋଜନା ଅଛି, ସେଥିପାଇଁ ଆମେ ଏଠାରେ ଚାଷ କରିବା ଆରମ୍ଭ କରିଛୁ। ଯାହାଦ୍ୱାରା ଆମେ ଏଠାରୁ ଉତ୍ପନ୍ନ ପିଆଜକୁ କାମରେ ଲଗାଇପାରିବୁ’’, କହିଛନ୍ତି ଆନ୍ଦୋଳନରେ ବସିଥିବା ଚାଷୀ।

ଗତ ଏକ ମାସ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଧାରଣରେ ବସିଥିବା ହଜାର ହଜାର ଚାଷୀଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଲଙ୍ଗର ମଧ୍ୟ ତିଆରି କରାଯାଉଛି। ଅନ୍ୟପକ୍ଷରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ବାରମ୍ବାର ଏନେଇ ଆଲୋଚନା ହେଉଛି। ଏହି ଆଇନରେ କିଛି ସଂଶୋଧନ କରିବାକୁ ସରକାର ରାଜି ହୋଇଥିବାବେଳେ କୃଷକମାନେ ତିନୋଟି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ବୋଲି ଜିଦରେ ଅଟଳ ଅଛନ୍ତି।

Comment