ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବିନା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ କାହିଁକି ଅନୁମତି ଦିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କୋଭାକ୍ସିନର ନିରାପତ୍ତାକୁ ନେଇ ସ୍ପଷ୍ଟୀକରଣ ରଖିଛି ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ। ପୂର୍ବରୁ ହୋଇଥିବା ଦୁଇ ପରୀକ୍ଷଣରେ ସକାରାତ୍ମକ ଫଳାଫଳ ମିଳିଛି। ତେଣୁ ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଭାରତ ବାୟୋଟେକର ନିର୍ଦ୍ଦେଶକ ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି ଯେ, ଏହି ଟିକା ଦୁଇ ଶହ ପ୍ରତିଶତ ନିରାପଦ। ସରକାର ମଧ୍ୟ ଏହି ଟିକାର ନିରାପତ୍ତାକୁ ନେଇ ନିଶ୍ଚିତ ଅଛନ୍ତି। କାରଣ ପୂର୍ବରୁ ଏହି ସଂସ୍ଥାର ବିଶ୍ୱସନୀୟତା ବାରମ୍ବାର ପ୍ରମାଣିତ ହୋଇଛି। ଏହାଛଡ଼ା କୋଭାକ୍ସିନ ମୃତ ଭାଇରସ ଆଧାରିତ ହୋଇଥିବାରୁ ଏହାକୁ ନେଇ କୌଣସି ବିପଦ ନାହିଁ।ଭାରତ ବାୟୋଟେକ ୧୬ଟି ଗୁରୁତ୍ୱପୂର୍ଣ୍ଣ ଟିକା ବିକାଶ କରିଥିବା ବେଳେ  ୧୨୩ଟି ଦେଶକୁ ଏହି ଟିକା ପ୍ରଦାନ କରୁଛି। ଭାରତ ବାୟୋଟେକ୍ ପାଖରେ ୨୪ ବର୍ଷର ଅଭିଜ୍ଞତା ଅଛି। ରୋଟାଭାଇରସ, ଚିକନଗୁନିଆ, ଜାପାନୀ ଏନସେଫାଲିଟିସ ଟିକା ମଧ୍ୟ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ନ ଥିଲେ ମଧ୍ୟ, ଏହାକୁ ହଜାର ହଜାର ଲୋକଙ୍କ ଦେହରେ ପରୀକ୍ଷା କରାଯାଇଛି।

ଏହା ସହିତ ତୃତୀୟ ପର୍ଯ୍ୟାୟରେ ୨୬ ହଜାର ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୨୪ ହଜାର ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ ହୋଇସାରିଛି। ଫେବ୍ରୁଆରି ସୁଦ୍ଧା ଏହାର ପ୍ରଭାବକୁ ନେଇ ରିପୋର୍ଟ ଆସିଯିବ। କିନ୍ତୁ ୨ଟି ପର୍ଯ୍ୟାୟରେ ଏହାର ପ୍ରଭାବକୁ ନେଇ ସକାରାତ୍ମକ ରିପୋର୍ଟ ମିଳିବା ଓ ମୃତ ଭାଇରସ ଆଧାରିତ ଟିକା ହୋଇଥିବାରୁ ଏଥିରେ କିଛି ନିରାପତ୍ତାକୁ ନେଇ ପ୍ରଶ୍ନ ନାହିଁ ବୋଲି ଯୁକ୍ତିରେ ଦର୍ଶାଯାଇଛି। ଏହି ଟିକା ନିରାପଦ ହୋଇଥିବାରୁ ଭାରତ ବାୟୋଟେକ୍ ପକ୍ଷରୁ ୨ କୋଟି ଡୋଜ୍ ପ୍ରସ୍ତୁତ କରାସରିଛି। ଏହା ସହିତ ବର୍ଷ ଶେଷ ସୁଦ୍ଧା ୭୦ କୋଟି ଡୋଜ୍ ପ୍ରସ୍ତୁତ ହୋଇଯିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି।corona vaccine-1ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ ସଂକ୍ରମିତ ଦେଶ। ଭାରତୀୟ ଅର୍ଥନୀତିକୁ କରୋନା ବିଗାଡ଼ିଦେଇଛି। ଅର୍ଥନୀତିକୁ ସୁଧାରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଆସନ୍ତା ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ କୋଭିସିଲ୍ଡକୁ ମଞ୍ଜୁରି ମିଳିଛି। ତେଣୁ ଦେଶୀ ଟିକା କୋଭାକ୍ସିନକୁ ମଞ୍ଜୁରି ଦେବା ପାଇଁ ଅପେକ୍ଷା କରିବାର ଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଅପରପକ୍ଷରେ କୋଭାକ୍ସିନକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ, ଭାରତ ବାୟୋଟେକର ଇତିହାସ ଟିକା ସପକ୍ଷରେ ବିଶ୍ୱାସ ସୃଷ୍ଟି କରିଛି।

ନିରାପତ୍ତା ଓ ପ୍ରଭାବକୁ ନେଇ ସନ୍ତୁଷ୍ଟି ମିଳିବା ପରେ ହିଁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବ। ବିଜ୍ଞାନ ଓ ବିଶ୍ୱାସକୁ ନେଇ ସମସ୍ତ ଉଦବେଗକୁ ଗୁରୁତ୍ୱ ଦିଆଯାଉଛି। ତେବେ ଆମକୁ ଦିଆଯାଇଥିବା ଅସ୍ତ୍ରକୁ ଅବିଶ୍ୱାସ କଲେ ଏହି ଯୁଦ୍ଧ ଜିତିବା ସମ୍ଭବ ନୁହେଁ ବୋଲି ପବ୍ଲିକ ହେଲଥ ଫାଉଣ୍ଡେସନର ସଭାପତି କେ ଶ୍ରୀନାଥ ରେଡ୍ଡି କହିଛନ୍ତି।

Comment