ଶୁଭଶ୍ରୀ ନାୟକ

ଏଣିକି ବ୍ରେଲ ଲିପି ସାହାଯ୍ୟରେ ଦୃଷ୍ଟିବାଧିତ ପଢ଼ିପାରିବେ ‘ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ’।

ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ, ଓଡ଼ିଶାର ଘରେ ଘରେ ପରିଚିତ। ଗୁରୁବାର ଓଷା ହେଲେ ପ୍ରତି ଘରେ ଘରେ ଶୁଭେ ମା’ ଲକ୍ଷ୍ମୀଙ୍କ ମହିମା। ଘରର ଝିଅ, ବୋହୂ ଏହି ପୁରାଣ ପଢ଼ି ଅନ୍ୟମାନଙ୍କୁ ଶୁଣାଇ ଥାଆନ୍ତି। କିନ୍ତୁ ଦୃଷ୍ଟିବାଧିତ ଝିଅ ବା ବୋହୂଙ୍କ ପାଇଁ ଏହି ବହି ପଢ଼ିବା ଲାଗି କିଛି ସୁବିଧା ନଥିଲା, ଯେଉଁଥିପାଇଁ ସେମାନଙ୍କ ମନରେ ଦୁଃଖ ଥିଲା। ତେବେ ଏବେ ଦୃଷ୍ଟିବାଧିତ ଝିଅ କି ବୋହୂଟିଏ ମଧ୍ୟ ଲକ୍ଷ୍ମୀ ପୁରାଣ ପଢ଼ିପାରବେ। ସେମାନଙ୍କ ପାଇଁ ବ୍ରେଲ ଲିପିରେ ଲକ୍ଷ୍ମୀ ପୁରାଣ ଛପାଯାଇଛି। ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସନ୍ନ୍ୟାସ ବେହେରା।

ଏହି ବ୍ରେଲ୍‌ ଲିପିରେ ଲକ୍ଷ୍ମୀ ପୁରାଣ ଛାପିବାରେ ସହାୟତା କରିଛି ଶାନ୍ତା ମେମୋରିଆଲ ପୁନର୍ବାସ କେନ୍ଦ୍ର।  ଓଡ଼ିଶା ଦୃଷ୍ଟିହୀନ ସଂଘ ପରିସରରେ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ବହିର ଉନ୍ମୋଚନ କରାଯିବ।

‘‘ବଳରାମ ଦାସଙ୍କ ମାଣବସା ଲକ୍ଷ୍ମୀ ପୁରାଣ ହେଉଛି ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଲୋକକଥାର ଏକ ବଳିଷ୍ଠ ପରିପ୍ରକାଶ। ଏଥିରେ ଜଣେ ସାଧାରଣ ଲୋକର ଜୀବନ ଓ ଓଡ଼ିଆ ପାରିବାରିକ ଜୀବନର ଚିତ୍ରକୁ ନିଖୁଣ ଭାବେ ଚିତ୍ରିତ କରାଯାଇଛି। ଗୁରୁବାର ଓସା ହେଲେ ପ୍ରତି ଘରୁ ଝିଅ, ବୋହୂଙ୍କ କଣ୍ଠରୁ ଭାସି ଆସେ ମା’ ଲକ୍ଷ୍ମୀଙ୍କ ମହିମା। ହେଲେ ଜଣେ ଦୃଷ୍ଟି ବାଧିତ ଝିଅ ଟିଏ କି ବୋହୂଟିଏ ଗୁରୁବାର ଓସାରେ ଲକ୍ଷ୍ମୀପୁରାଣ ପଢ଼ିବାକୁ ସକ୍ଷମ ନଥିଲେ। କାରଣ ତାଙ୍କ ପାଖରେ ବ୍ରେଲ ଲିପିରେ ଲକ୍ଷ୍ମୀ ପୁରାଣ ଉପଲବ୍ଧ ନଥିଲା। ତେବେ ଏବେ ସେମାନେ ବ୍ରେଲ ଲିପିରେ ଲକ୍ଷ୍ମୀ ପୁରାଣ ପଢ଼ିପାରିବେ। ଯାହାଫଳରେ ସେମାନେ ମଧ୍ୟ ନିଜକୁ ଅନ୍ୟମାନଙ୍କ ସହ ସମକକ୍ଷ ଅନୁଭବ କରିପାରିବେ’’, କହିଛନ୍ତି ସନ୍ନ୍ୟାସ ବେହେରା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଶ୍ରୀମଦ ଭାଗବତ ଓ ଅନ୍ୟାନ୍ୟ ପୁରାଣକୁ ମଧ୍ୟ ବ୍ରେଲ ଲିପରେ ଛାପିବାକୁ ତାଙ୍କର ଲକ୍ଷ୍ୟ ରହିଛି।

‘‘ଲକ୍ଷ୍ମୀ ପୁରାଣ ଏମିତି ଏକ ପୁରାଣ, ଯେଉଁଥିରେ ନାରୀ ସଶକ୍ତିକରଣ ଓ ଜାତିପ୍ରଥା କଥା ଚିତ୍ରିତ କରାଯାଇଛି। ସେଥିପାଇଁ ବ୍ରେଲ୍‌ ଲିପିରେ ଲକ୍ଷ୍ମୀ ପୁରାଣ ଛପାଇବା ପାଇଁ ଆମେ ଚିନ୍ତା କଲୁ। ଏହାଦ୍ୱାରା ସମାଜକୁ ମଧ୍ୟ ବାର୍ତ୍ତା ଯିବ ଯେ ଦୃଷ୍ଟିବାଧିତ ଭିନ୍ନ ନୁହଁନ୍ତି, ସେମାନେ ଅନ୍ୟମାନଙ୍କ ସହିତ ସମାନ’’, କହିଛନ୍ତି ଶାନ୍ତା ମେମୋରିଆଲ ପୁନର୍ବାସ କେନ୍ଦ୍ରର ସଭାପତି ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ଅଧ୍ୟାପିକା ପ୍ରଫେସର ଆଶା ହଂସ।

‘‘ପିଲାବେଳୁ ଘରେ ମା’ ଲକ୍ଷ୍ମୀ ପୁରାଣ ପଢ଼ିବା ବେଳେ ମୁଁ ଖାଲି ଶୁଣୁଥିଲି। ମତେ ବି ବହୁତ ଇଚ୍ଛା ହୁଏ। ହେଲେ ନିଜେ ଗାଇବାକୁ ସକ୍ଷମ ନଥିବାରୁ ମନରେ ବହୁତ ଦୁଃଖ ଥିଲା। ଏବେ ବ୍ରେଲ ଲିପିରେ ଲକ୍ଷ୍ମୀ ପୁରାଣ ଆସିଥିବାରୁ ଏବେ ବହୁତ ଖୁସି ଲାଗୁଛି। ମୁଁ ମଧ୍ୟ ଅନ୍ୟମାନଙ୍କ ଭଳି ଏବେ ଲକ୍ଷ୍ମୀ ପୁରାଣ ପଢ଼ିପାରିବି ଓ ଅନ୍ୟମାନଙ୍କୁ ଶୁଣାଇ ପାରିବି’’, କହିଛନ୍ତି ଜଣେ ଦୃଷ୍ଟିବାଧିତ ଛାତ୍ରୀ ସ୍ନେହପ୍ରଭା ଲେଙ୍କା।

‘ମା’ ଗାଇଲା ବେଳେ ମତେ ବି ଇଚ୍ଛା ହୁଏ। ସେତେବେଳେ ମୁଁ ଭାବୁଥିଲି ମୁଁ କେମିତି ଗାଇବି। କାରଣ ଏତେବଡ଼ ଲକ୍ଷ୍ମୀ ପୁରାଣ ମନେ ରଖି ଗାଇବା ଏକ ପ୍ରକାର ଅସମ୍ଭବ। କିନ୍ତୁ ଏବେ ମୁଁ ବହୁତ ଖୁସି। ମୁଁ ବି ଅନ୍ୟମାନଙ୍କ ଭଳି ଲକ୍ଷ୍ମୀ ପୁରାଣ ପଢ଼ିପାରିବ’’, କହିଛନ୍ତି ଅନ୍ୟ ଜଣେ ଦୃଷ୍ଟିବାଧିତ ଛାତ୍ରୀ କାନ୍ତିଲତା ସାହୁ।

Comment