ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। କିଛି ସପ୍ତାହପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟମରେ ପଶ୍ଚିମବଙ୍ଗ ନିର୍ବାଚନ ତାତି ବାରମ୍ବାର ସାମ୍ନାକୁ ଆସୁଛି। ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ବିଜେପି ଦଳର ପୂର୍ବତନ ଟାଣୁଆ ନେତା ଯଶବନ୍ତ ସିହ୍ନାଙ୍କ ଟିଏମସିରେ ଯୋଗଦାନ, ଦଳରେ ବିଜୟର ଆଶା ସଞ୍ଚାର ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ଶାସନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ଯଶବନ୍ତ ସିହ୍ନା। ଏବେ ସେ ୮୨ ବର୍ଷ ବୟସରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି।

ରାଜନୀତି ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ଓ ଇତିହାସରେ ସ୍ନାତକ କରିଥିବା ଯଶବନ୍ତ ସିହ୍ନା ୧୯୬୦ ବ୍ୟାଚର ଆଇଏଏସ ଅଫିସର ଥିଲେ। ପରେ ସେ ସରକାରୀ ଚାକିରି ଛାଡ଼ି ୧୯୮୪ ମସିହାରେ ନିଜର ରାଜନୈତିକ କାରିଅର ଆରମ୍ଭ କରିଥିଲେ।

ରାଜନୀତିରେ ସିହ୍ନା

୧୯୯୮ ମସିହାରେ ଯଶବନ୍ତ ସିହ୍ନା ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ରହିଆସିଛନ୍ତି। ତିନିଥର ସାଂସଦ ପ୍ରାର୍ଥୀ ହୋଇ ଲୋକସଭାରେ ପହଞ୍ଚିଥିଲେ। ପୂର୍ବରୁ ୧୯୯୦-୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସରକାର ସମୟରେ ମଧ୍ୟ ସେ ଅର୍ଥମନ୍ତ୍ରୀ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ତାଙ୍କର ସ୍ଥିତି ଏତେଟା ଦେଖାଯାଇନାହିଁ।

ବିଧାନସଭା ନିର୍ବାଚନ ପୂର୍ବରୁ ସିହ୍ନାଙ୍କ ଟିଏମସିରେ ଯୋଗଦେବା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ହେଉଛି ପଡ଼ୋଶୀ ରାଜ୍ୟ। ଏହି କାରଣରୁ ପଶ୍ଚିମବଙ୍ଗର ରାଜନୀତି ଓ ସାମାଜିକ ପ୍ରଭାବ ଆଗକୁ ଝାରଖଣ୍ଡରେ ପ୍ରଭାବ ପକାଇପାରେ। ମମତା ବାନାର୍ଜୀଙ୍କ ଦଳରେ ସାମିଲ ହେବାପରେ ବିଜେପି ଉପରେ ଇମୋସନାଲ ଆକ୍ରମଣ କରିଛନ୍ତି ସିହ୍ନା।

“ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଭୟାନକ ସଂଘର୍ଷ ହେବାକୁ ଯାଉଛି। କୌଣସିବି ପ୍ରକାରରେ ପଶ୍ଚିମବଙ୍ଗ ଜିତିବା ହେଉଛି ବିଜେପିର ଏକମାତ୍ର ଲକ୍ଷ୍ୟ। ତେଣୁ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରେ ଯୋଜନା ବଦ୍ଧ ଆକ୍ରମଣ କରାଯାଇଥିବା”, କହି ବିଜେପିକୁ ଦାୟୀ କରିଛନ୍ତି ଯଶବନ୍ତ ସିହ୍ନା।

ବିଜେପିରେ ସିହ୍ନାଙ୍କ ୨୫ ବର୍ଷ

୨୪ ବର୍ଷ ଆଇଏଏସ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବାପରେ ୧୯୮୪ ମସିହାରେ ରାଜନୀତିରେ ପାଦ ଥାପିଥିଲେ ଯଶବନ୍ତ ସିହ୍ନା। ପ୍ରଥମଥର ପାଇଁ ସେ ୧୯୯୩ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଦଳରେ ୨୫ ବର୍ଷ ରହିବାପରେ ୨୦୧୮ରେ ଦଳରୁ ଇସ୍ତଫା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଚଳିତ ନୋଟବନ୍ଦୀ ଓ ଜିଏସଟିକୁ ବିରୋଧ କରି, ଶେଷରେ ସେ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦଳ ଛାଡ଼ିବା ସମୟରେ ସେ କହିଥିଲେ, “ଏବେ ଲୋକତନ୍ତ୍ର ବିପଦରେ ଅଛି। ମୁଁ ରାଜନୀତିରୁ ସନ୍ୟାସ ନେଉଛି। କିନ୍ତୁ ଆଜିବି ଦେଶପ୍ରେମ ମୋ ହୃଦୟରେ ରହିଛି । ଯଦି ଆମେ ପ୍ରତିବାଦର ସ୍ୱର ନଉଠାଇବା, ତେବେ ଆଗାମୀ ପିଢ଼ି ଆମକୁ କେବେ କ୍ଷମା ଦେବେନାହିଁ”।

ଏବେବି ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ବିଜେପି ସଦସ୍ୟ ତଥା ଝାଡ଼ଖଣ୍ଡର ହଜାରିବାଗର ସାଂସଦ ଅଛନ୍ତି। ୨୦୧୮ରେ ବିଜେପିରୁ ଇସ୍ତଫା ନେଇ ରାଜନୀତିରୁ ସନ୍ୟାସ ନେଉଛି କହିଥିବା ଯଶବନ୍ତ ସିହ୍ନା, ୨ବର୍ଷର ବ୍ୟବଧାନ ପରେ ପୁଣିଥରେ ରାଜନୀରେ ପାଦ ଦେବା କଥା ରାଜନୀତିକ ମହଲରେ ହଟଚମଟ ସୃଷ୍ଟି କରିଛି।

Comment