ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟରେ ରବିବାର ଓ ଛୁଟିଦିନମାନଙ୍କରେ କରୋନା ଟିକାକରଣ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଦିଆଯିବ ଟିକା।

“ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ସୁବିଧା ପାଇଁ ଟିକାକରଣ ସେଣ୍ଟର ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟର ୭୦୦ ସେଣ୍ଟରରେ ଟିକା ଦିଆଯାଉଛି। ଦରକାର ପଡ଼ିଲେ ଆଗକୁ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ। ପ୍ରତିଦିନ ୧ଲକ୍ଷ ବୟସ୍କଙ୍କୁ ଟିକାକରଣ ସରକାରଙ୍କ ଲକ୍ଷ୍ୟ। ଏବେସୁଧା ୯୦ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ୮୦ପ୍ରତିଶତ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆସରିଛି। ବୟସ୍କ ବ୍ୟକ୍ତିଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି”, କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ମାର୍ଚ୍ଚ ପହିଲାରୁ ଦେଶବ୍ୟାପୀ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତି ଏବଂ ୪୫ ରୁ ୬୦ ବର୍ଷ ଭିତରେ ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ଟିକାକରଣର ବ୍ୟବସ୍ଥା ରହିଥିଲା। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା କଟକଣାକୁ ପୁଣିଥରେ କଡ଼ାକଡ଼ି କରାଯାଇଛି। ରେଳ ଷ୍ଟେସନଠାରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ, ସବୁଠାରେ ଯାତ୍ରୀମାନଙ୍କର ସ୍କ୍ରିନିଂ କରାଯାଇ ବାହାରକୁ ଛଡ଼ାଯାଉଛି।

Comment