ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ନୂଆ ଷ୍ଟ୍ରେନକୁ କିପରି ଚିହ୍ନିବେ ଏବଂ ଏଥିପାଇଁ କେମିତି ସତର୍କ ରହିବେ ଜାଣନ୍ତୁ।

ଭାରତରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ପରେ ଏବେ ପୁଣି ସଂକ୍ରମଣର ଡର ଦେଶବାସୀଙ୍କୁ ଭୟଭୀତ କଲାଣି। କରୋନାର ନୂଆ ଷ୍ଟ୍ରେନ୍ ପାଇଁ ଲଗାତାର କିଛି ଦିନ ହେବ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେବେ ଏହି ନୂଆ ଷ୍ଟ୍ରେନର ଲକ୍ଷଣ କ’ଣ? କିପରି ଏଥିପାଇଁ ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ, ସେନେଇ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି।ନୂଆ ଷ୍ଟ୍ରେନରେ ଦେଖାଯାଉଥିବା ଲକ୍ଷଣ

ପୂର୍ବରୁ କରୋନାର ଯେଉଁସବୁ ଲକ୍ଷଣମାନ ଦେଖାଯାଉଥିଲା, ନୂଆ ଷ୍ଟ୍ରେନରେ ମଧ୍ୟ ସେଭଳି କିଛି ସମାନ ଲକ୍ଷଣ ରହିଛି। ସାଧାରଣତଃ ଜ୍ଵର, ଶୁଖିଲା କାଶ, ସ୍ଵାଦ ଏବଂ ବାସ୍ନା ବାରି ନ ପାରିବା ଭଳି ସମାନ ଲକ୍ଷଣ କୋରନାର ନୂଆ ଷ୍ଟ୍ରେନରେ ଦେଖିବାକୁ ମିଳୁଛି। ଏଥିସହ ଆଉ ୭ଟି ନୂଆ ଲକ୍ଷଣ ଏହି ଷ୍ଟ୍ରେନରେ ଦେଖାଯାଉଛି। ଏହି ଲକ୍ଷଣଗୁଡ଼ିକ ହେଲା;

  • ଛାତିରେ ଯନ୍ତ୍ରଣା ହେବା
  • ଗଳା ବା ତଣ୍ଟି ଦରଜ ହେବା
  • ଡାଇରିଆ ବା ତରଳ ଝାଡ଼ା ହେବା
  • ଆଖି ଧରିବା ବା ଆଖି ଲାଲ୍ ପଡ଼ି ଲୁହ ଗଡ଼ିବା
  • ମୁଣ୍ଡବିନ୍ଧା ହେବା
  • ଦେହ ହାତ କୁଣ୍ଡେଇ ହେବା
  • ନଖର ରଙ୍ଗ ପରିବର୍ତ୍ତନ ହୋଇଯିବା

ନୂଆ ଷ୍ଟ୍ରେନରୁ କିପରି ରହିବେ ସତର୍କ?

ଯଦି ଆପଣଙ୍କ ପାଖରେ ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ବି ଦେଖାଯାଉଛି, ତେବେ ଏଥିପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ।

  • ଲକ୍ଷଣ ଦେଖାଯିବା ପରେ ତୁରନ୍ତ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ
  • କକ୍ଷରୋଧ ବା ଆଇସୋଲେଟେଟ ହୋଇ ରୁହନ୍ତୁ
  • ସଭା, ସମିତି କିମ୍ଵା ଜନ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ
  • ଯଦି ଆପଣଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ତେବେ କରୋନା ପାଇଁ ଆବଶ୍ୟକୀୟ ସମସ୍ତ ସତର୍କତା ଅବଲମ୍ଵନ କରନ୍ତୁ

ନୂଆ ଷ୍ଟ୍ରେନକୁ ମୁକାବିଲା କରିପାରିବ କି କରୋନା ଟିକା?

କରୋନା ମହାମାରୀର ଦମନ ପାଇଁ ବିକଶିତ ହୋଇଥିବା ବିଭିନ୍ନ ଟିକା ନୂଆ ଷ୍ଟ୍ରେନର ମୁକାବିଲା କରିପାରିବ କି ନାହିଁ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ନୂଆ ଷ୍ଟ୍ରେନ ପୂର୍ବ କରୋନାଠାରୁ ଅପେକ୍ଷାକୃତ ଭୟଙ୍କର ଅଟେ। ଏହା ଦ୍ରୁତ ବେଗରେ ସଂକ୍ରମିତ ମଧ୍ୟ ହୋଇଥାଏ। ତେଣୁ କରୋନା ଟିକା ଏହାର ମୁକାବିଲା କରିପାରେ ଅଥବା ନ କରିପାରେ ମଧ୍ୟ। ଯଦିଓ ଏହା ଉପରେ ଗବେଷଣା ଜାରି ରହିଛି ତଥାପି ଏ ବାବଦରେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ଏବେ କେବଳ ଗୋଟିଏ ହିଁ ଉପାୟ, ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Comment