ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ରେକର୍ଡ ଭାଙ୍ଗିଲାଣି କରୋନା ଭାଇରସ। ଦୈନିକ ସଂକ୍ରମଣ ମଧ୍ୟ ଏବେ ଲକ୍ଷେ ପାର୍‌ କରିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ କାର୍ଯ୍ୟସ୍ଥଳରେ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ବା ବେସରକାରୀ ଯେକୌଣସି କାର୍ଯ୍ୟସ୍ଥଳରେ ଯଦି ୧୦୦ ପାଖାପାଖି କର୍ମଚାରୀ କୋଭିଡ ଟିକା ନେବାକୁ ଆଗ୍ରହୀ ଥିବେ ଏବଂ ହିତାଧିକାରୀ ହେବାକୁ ଯୋଗ୍ୟ ବିବେଚିତ ହେଉଥିବେ ସେଠାରେ ଟିକାକରଣ କେନ୍ଦ୍ର କରାଯାଇପାରିବ।

ଏପ୍ରିଲ ୬ରେ ଏଭଳି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲାଗି ଏଭଳି ଟିକାକରଣ କରିବାକୁ ଚିନ୍ତା କରାଯାଇଛି। ଏପ୍ରିଲ ୧୧ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ।  କାର୍ଯ୍ୟସ୍ଥଳରେ ଟିକାକରଣ ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି।

ଦେଶରେ ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏବେ ଟିକାକରଣ କରାଯାଉଛି। ସରକାରଙ୍କ କହିବା କଥା ୪୫-୫୯ ବୟସ ବର୍ଗର ଲୋକ ପ୍ରାୟତଃ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଚାକିରି କରନ୍ତି। ସେମାନେ ବାହାରକୁ ନଯାଇ କେମିତି ନିଜ କାର୍ଯ୍ୟସ୍ଥଳରେ ଟିକା ନେଇପାରିବେ ସେଥିପାଇଁ ସରକାର ଏହି ପ୍ରକାର ପଦକ୍ଷେପ ନେଇଛନ୍ତି। ଟିକାକରଣ ପାଇଁ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ କୋଓ୍ୱିନ ପ୍ଲାଟଫର୍ମରେ ପଞ୍ଜିକୃତ ହେବାକୁ ପଡ଼ିବ।

Comment