ଓଡ଼ିଶାଲାଇଭ୍ ବ୍ୟୁରୋcorona test

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇମାମୀ ପେପର୍ ମିଲ୍‌ରୁ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ମିଲ୍‌ର ଗୋଟିଏ ୟୁନିଟ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସିଡିଏମ୍‌ଓ ଦୁଲାଲସେନ ଜଗଦେବ।

ସୂଚନା ଅନୁସାରେ ଏପ୍ରିଲ ୧୧ରେ ଜିଲ୍ଲାରୁ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୧୦ରେ ୧୭ ଜଣ, ୯ରେ ୧୦ଜଣ ଓ ୮ ତାରିଖରେ ୨୨ଜଣ ଚିହ୍ନଟ ହୋଇଥିଲେ। ପୂର୍ବରୁ ବାଲେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ, ଅଚାନକ ଗୋଟିଏ ପେପର୍ ମିଲ୍‌ରୁ ଏତେ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହେବା, ପ୍ରଶାସନ ମୁଣ୍ଡବିନ୍ଧାର କାରଣ ହୋଇଛି।

ଅନ୍ୟପକ୍ଷରେ ଆଜି ରାଜ୍ୟରୁ ସମୁଦାୟ ୧୭୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟରେ ଟିକାର ଅଭାବ ଯୋଗୁଁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି।

Comment