ସରୋଜ ମହାପାତ୍ର

କରୋନାର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ବେଗରେ ମାଡ଼ି ଚାଲିଛି। ଭାରତର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରେ ରହିଛି। ଗତ ତିନି ଦିନ ହେଲା ୧୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମସ୍ତଙ୍କର ଚିନ୍ତା ବଢ଼ିଛି। ଗତ ବର୍ଷ କରୋନା ମୁକାବିଲାରେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଥିବା ରାଜ୍ୟ ସରକାର ଏଥର କରୋନାର ଦ୍ଵିତୀୟ ଲହରୀକୁ କେମିତି ନିୟନ୍ତ୍ରଣ କରିବେ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

କେତେ ପ୍ରସ୍ତୁତ ସରକାର?

୨୦୨୦ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚାହୁଁ ଚାହୁଁ ୩୦ଟି ଜିଲ୍ଲାକୁ ଏହି ମହାମାରୀ ବ୍ୟାପି ଯାଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଥିଲେ। ଚଳିତ ବର୍ଷ କରୋନାର ଦ୍ୱତୀୟ ଲହରୀ ଚିନ୍ତା ବଢ଼ାଇଥିବା ବେଳେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କରୋନା ନିୟନ୍ତ୍ରଣ ପାଇଁ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ସେ ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ କରିଛନ୍ତି। ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ଜରିମାନା ଦେବାକୁ ମୁଖ୍ୟମନ୍ତ୍ରୀ ନିୟମ କରିଛନ୍ତି। ଏହି ନିୟମ ସ୍ୱାଗତଯୋଗ୍ୟ। ହେଲେ କେବଳ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରିଦେଲେ ଯେ, କରୋନା ନିୟନ୍ତ୍ରଣ ହୋଇଯିବ ତାହା ଆକଳନ କରିବା ଠିକ୍‌ ନୁହଁ। ଏଥିପାଇଁ ବ୍ୟାପକ ସଚେତନତା କରିବା ମଧ୍ୟ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

କରୋନାଠାରୁ ଦୂରେଇ ରହିବା ପାଇଁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ବ୍ୟାପକ ସଚେତନ କରୁଥିଲେ। ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ସଚେତନତା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ, ସରକାର ଏଯାଏଁ କରୋନାର ଦ୍ୱିତୀୟ ଲହରୀକୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି। ପିପିଲି ଉପନିର୍ବାଚନ ପାଇଁ ବୋଧ ହୁଏ ସରକାର କରୋନା ମୁକାବିଲା ଭୁଲି ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଲକଡାଉନ୍‌ ବିକଳ୍ପ ନୁହେଁ

କରୋନା ମୁକାବିଲା ପାଇଁ ଲକଡାଉନକୁ ବଡ଼ ଅସ୍ତ୍ର କରିଥିଲେ ରାଜ୍ୟ ସରକାର। ୨୦୨୦ ମାର୍ଚ୍ଚ ୨୩ରୁ ପ୍ରାୟ ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଲକଡାଉନ୍‌ ରହିଥିଲା ଓଡ଼ିଶା। ଯେଉଁଠୁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟ କରାଯାଉଥିଲା। ଲକ୍‌ଡାଉନ୍‌ ପରେ ସପ୍ତାହନ୍ତ ସଟଡାଉନ୍‌ କରିଥିଲେ ସରକାର। ସାମାଜିକ ଦୂରତା ରକ୍ଷା ପାଇଁ କଟକରା ମଧ୍ୟ କଡ଼ାକଡ଼ି କରାଯାଇଥିଲା। ଗତ ୬ ମାସ ହେଲା ଏସବୁ କଟକଣା କୋହଳ ହେଲା ବେଳକୁ ଦ୍ଵିତୀୟ ଲହରୀ ଛନକା ସୃଷ୍ଟି କରିଛି। ଏପ୍ରିଲ ଶେଷ ବେଳକୁ ସରକାର ଲକଡାଉନ୍‌ ରାସ୍ତା ଆପଣାଇ ପାରନ୍ତି ବୋଲି ଆଲୋଚନା ହେଉଛିା ହେଲେ ଲୋକଙ୍କ ଜୀବନ ଜୀବିକା ପାଇଁ ଲକଡାଉନ୍‌ ଓ ସଟଡାଉନ କରୋନା ମୁକାବିଲାର ବିକଳ୍ପ ନୁହେଁ ବୋଲି କୁହାଯାଉଛି। ଗତ ଥର ଲକଡାଉନ ଏବଯ ସଟଡାଉନ ବେଳେ ଅନେକ ଲୋକ ଜୀବିକା ହରାଇଥିଲେ। ରାଜ୍ୟର ଆର୍ଥିକ ସ୍ଥିତି ଦେହଲି ଯାଇଥିଲା। ତେଣୁ ଏବେ ଦ୍ଵିତୀୟ ଲହରୀ ଭୟାନକ ରୂପ ଧାରଣ କରିଥିବାରୁ ସରକାର ଆଉ କି ନୂଆ ପଦକ୍ଷେପ ନେଉଛନ୍ତି ତା’ଉପରେ ନଜର ରହିଛି।

ଶିକ୍ଷାନୁଷ୍ଠାନ ଉପରେ ନଜର

କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ରେ ସ୍କୁଲ, କଲେଜ ବନ୍ଦ ରହିଥିଲା। କେବଳ ଅନଲାଇନ କ୍ଲାସ ହିଁ ଭରସା ପାଲଟିଥିଲା। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ବି ବାତିଲ ହୋଇଥିଲା। ଫଳରେ ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ରହିଥିଲେ। ୨୦୨୧ ଆରମ୍ଭରୁ କରୋନାର କାୟା କମିବାରୁ ସରକାର ସ୍କୁଲ, କଲେଜ ଖୋଲିଥିଲେ। କିନ୍ତୁ ନିକଟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ପିଲା ଓ ଅଭିଭାବକଙ୍କ ମନରେ ଭୟ ଖେଳି ଯାଇଥିଲା। କିଛି ଶିକ୍ଷାନୁଷ୍ଠାନକୁ ପ୍ରଶାସନ ମଧ୍ୟ ସିଲ୍‌ କରିଥିଲା। ଏବେ ପରିସ୍ଥିତି ଅଣାୟତ୍ତ ହେବାରୁ ନବମ ଓ ଏକାଦଶ ଶ୍ରେଣୀକୁ ପୁଣି ସରକାର ବନ୍ଦ କରିଛନ୍ତି। ଚଳିତ ବର୍ଷ ସ୍କୁଲ, କଲେଜ ଆଉ ଖୋଲିବ କି ନାହିଁ ତାହା ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

କେବେ ଖୋଲିବ କୋଭିଡ୍‌ ହସ୍ପିଟାଲ?

ଗତ ଦୁଇ ମାସ ହେଲାଣି କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେଲାଣି। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାରଙ୍କ ପାଇଁ ଚାଲେଞ୍ଜ ମଧ୍ୟ ବଢ଼ିଛି। ହେଲେ ଗତ ବର୍ଷ ଭଳି ଏଥର ସରକାର କରୋନା ମୁକାବିଲା ପାଇଁ ତତ୍ପରତା ଦେଖାଇ ନାହାନ୍ତି। ଯଦି ତତ୍ପରତା ଦେଖାଇ ଥାନ୍ତେ  ତାହାଲେ ଆଜି ଓଡ଼ିଶାରୁ ୨ ହଜାର ଆକ୍ରାନ୍ତ ଚିହ୍ନଟ ହେଉ ନଥାନ୍ତେ।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଗତବର୍ଷ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମଧ୍ୟ ସମସ୍ତେ ପ୍ରଶଂସା କରିଥିଲେ। ସରକାର କଟକ, ଭୁବନେଶ୍ୱର ସମେତ ପ୍ରତି ଜିଲ୍ଲାରେ ସହଭାଗିତାରେ ହସ୍ପିଟାଲ ଖୋଲିଥିଲେ। ହେଲେ ଅଧିକାଂଶ ଜିଲ୍ଲାରେ ଏହି ହସ୍ପିଟାଲ ବନ୍ଦ ହୋଇଯାଇଛି। ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଇଥିବା ବେଳେ କେବେ ଏହି ହସ୍ପିଟାଲ ଚାଲୁ ହେବ ତାହା ମଧ୍ୟ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ବିରାଟ ଭିତ୍ତିଭୂମି ତିଆରି କରି ଅନ୍ୟମାନଙ୍କ ପାଇଁ ମଡେଲ ପାଲଟିଥିଲେ ସେଠି ଆଜି ପଛଘୁଞ୍ଚା କାହିଁକି ବୋଲି ଚର୍ଚ୍ଚା ହେଉଛି।

ପୁଣି ଖୋଲିବ ଅସ୍ଥାୟୀ କ୍ୟାମ୍ପ

ଲକଡାଉନ୍‌ ଘୋଷଣା ହେବା ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ନିଜ ଘରକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ କରିଥିଲେ। ସ୍ୱତନ୍ତ୍ର ଟ୍ରେନ୍‌ ଓ ବସ୍‌ ଯୋଗେ ଲୋକେ ନିଜ ଭିଟାମାଟିକୁ ଫେରିଥିଲେ। ସେମାନଙ୍କୁ ପରିଚାଳନା କରିବା ସରକାରଙ୍କ ବଡ଼ ଆହ୍ୱାନ ଥିଲା। ହେଲେ ସରକାର ଏହାକୁ ସୁରୁଖୁରୁରେ ପରିଚାଳନା କରିଥିଲେ। ପ୍ରତି ପଞ୍ଚାୟତରେ ଅସ୍ଥାୟୀ କ୍ୟାମ୍ପ କରି ପ୍ରବାସୀମାନଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ। ଏହି କ୍ୟାମ୍ପରେ ଖାଇବା ବ୍ୟବସ୍ଥା ସହ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ଏଠାରେ ସ୍ଵାସ୍ଥ୍ୟ ପରୀକ୍ଷାର ମଧ୍ୟ ବ୍ୟବସ୍ଥା ରହିଥିଲା। ଏବେ ପୁଣି ସ୍ଥିତି ଅଣାୟତ୍ତ ହେଉଥିବାରୁ ଅଧିକାଂଶ ଲୋକ ରାଜ୍ୟ ବାହାରୁ ଫେରୁଛନ୍ତି। ସେମାନଙ୍କ ପାଇଁ ସରକାର ଏଥର କ’ଣ ବ୍ୟବସ୍ଥା କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଗତ ଥର ପ୍ରତି ସ୍କୁଲରେ ଏହି କ୍ୟାମ୍ପ କରାଯାଇଥିଲା। ଯଦି ଏଥର କ୍ୟାମ୍ପ ଖୋଲନ୍ତି ତାହାଲେ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଯେମିତି ବ୍ୟାହତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।covid testing centers-2

ଟେଷ୍ଟିଂ, ଟ୍ରାକିଂ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ

କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ପ୍ରଥମ ଲହରୀ ବେଳେ ଏହାକୁ ଅଧିକ ଗୁରୁତ୍ୱ ଦେଇଥିଲେ ସରକାର। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରି ଏହି କାମ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଟେଷ୍ଟିଂ, ଟ୍ରାକିଂ ଉପରେ ସରକାର ସେମିତି ଗୁରୁତ୍ଵ ଦେଉ ନଥିବା କୁହାଯାଉଛି। ଏହାକୁ ପ୍ରାଥମିକତା ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

କରୋନା ଏବେ ମାଡ଼ି ଚାଲିଛି। ଗତ ଏପ୍ରିଲ ପହିଲାରୁ ୧୪ ତାରିଖ ଭିତରେ ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୯ରୁ ଦିନକୁ ୧ ହଜାର ପରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଶେଷକରି ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲା କରୋନାର ହଟସ୍ପଟ ପାଲଟିଛି। ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଛନ୍ତି। ହେଲେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁଭଳି ସଚେତନତାମୂଳକ ପଦକ୍ଷେପ ନେବା କଥା ତାହା ସରକାର ନେଇ ନଥିବାରୁ ଚିନ୍ତା ବଢ଼ି ଚାଲିଛି। କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ନଜର ରହିଛି।

Comment