ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା
  • ୧୦ ଜିଲ୍ଲାରେ ବଦଳିଲା ନାଇଟ କର୍ଫ୍ୟୁ ସମୟ
  • ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ‌
  • ବାହାଘରରେ ୫୦, ଶୁଦ୍ଧକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ସୋମବାରଠାରୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ
  • ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ରାଜ୍ୟରେ କଡ଼ାକଡ଼ି ହେଲା କରୋନା କଟକଣା। ସାରାରାଜ୍ୟରେ ନାଇଟ କର୍ଫ୍ୟୁ ଓ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ବଦଳିବା ସହିତ ଲାଗୁ ହେଲା ସପ୍ତାହନ୍ତ ସଟ୍‌ଡାଉନ‌। ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

୧୦ ଜିଲ୍ଲାରେ ବଦଳିଲା ନାଇଟ କର୍ଫ୍ୟୁ ସମୟ

ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିର ମ୍ୟୁନିସିପାଲଟି ଓ ଏନଏସି ଅଞ୍ଚଳରେ ଆସନ୍ତାକାଲିଠାରୁ ନାଇଟ କଫ୍ୟୁ ପରବର୍ତ୍ତନ ହେବ। ଏବେ ଏହି ସବୁ ସ୍ଥାନମାନଙ୍କରେ ସନ୍ଧ୍ୟା ୬ଟାରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ରାତି ୧୦ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଥିଲା।

ସେହିପରି ଅନ୍ୟ ୨୦ ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି ସବୁ ସ୍ଥାନମାନଙ୍କରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଜାରି ରହିବ।

ଜରୁରୀସେବା ସ୍ୱାଭାବିକ

ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ସ୍ୱାଭାବିକ ରହିବ। ବିଦ୍ୟୁତ ସେବା, ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। ସେହିପରି ଫୁଡ ହୋମ୍‌ ଡେଲିଭରିକୁ ମଧ୍ୟ ଅନୁମତି ଦିଆଯିବ। ଏହାସହିତ ଅତ୍ୟାବଶ୍ୟକୀୟ ମାଲ ପରିବହନ ସେବା ମଧ୍ୟ ସ୍ୱାଭବିକ ରହିବ।

ସୀମନ୍ତବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ

ଛତିଶଗଡ଼ରେ କରୋନା ସ୍ଥିତି ଭୟାନକ ଥିବାରୁ ଏହାର ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍‌ କରାଯିବ। ଆସନ୍ତା ଶନିବାରଠାରୁ ଏହି କଟକଣା ଲାଗୁ ହେବ। ଏହାଦ୍ୱାରା କରୋନା ସଂକ୍ରମଣକୁ ରୋକା ଯାଇପାରିବ।

କୋଚିଂ ସେଣ୍ଟରରେ ଅଫଲାଇନ୍‌ କ୍ଲାସ ବନ୍ଦ

କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ କୋଚିଂ ସେଣ୍ଟରରେ ଚାଲିଥିବା ଅଫଲାଇନ୍‌ କ୍ଲାସ ବନ୍ଦ ରହିବ। କୋଚିଂ ସେଣ୍ଟରମାନେ ଏବେ ଅନଲାଇନ୍‌ କ୍ଲାସ କରିବେ। ମେଡିକାଲ ଓ ପାରାମେଡିକାଲ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିବେ।

ବିବାହରେ ୫୦, ଶୁଦ୍ଧକ୍ରିୟାରେ ୨୦ ଜଣଙ୍କୁ ଅନୁମତି

କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ବିବାହ ଉତ୍ସବ ଓ ଶୁଦ୍ଧକ୍ରିୟାରେ ୫୦୦ ଜଣଙ୍କୁ ଅନୁମତି ମିଳିଥିଲା। ହେଲେ ଏବେ ଏହି ସଂଖ୍ୟାକୁ ହ୍ରାସ କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ବିବାହରେ ୫୦ ଜଣ ଓ ଶୁଦ୍ଧକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯିବ। ସମସ୍ତେ କରୋନା କଟକଣା ମାନିବାକୁ ବାଧ୍ୟତାମୂଳକ। ଏହସହିତ ସମସ୍ତ ଧାର୍ମକି କାର୍ଯ୍ୟକ୍ରମ, ସଭା ସମିତି ମଧ୍ୟ ଅନୁମତି ହେବ ନାହିଁ। ସବୁ ଜିଲ୍ଲାର ଜିଲ୍ଲାପାଳମାନେ କରୋନା ସ୍ଥିତି ଉପରେ ନଜର ରଖିବେ।Bus-kolkata bus

ସବୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ

ବର୍ଦ୍ଧିତ କରୋନା ସଂକମ୍ରଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ସବୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ସୋମବାରଠାରୁ କେବଳ ରାଜ୍ୟ ଭିତରେ ବସ୍‌ ଚଳାଚଳ ହେବ। ବସ୍‌ରେ ଯେତିକି ସିଟ ଥିବ ସେତିକି ହିଁ ଯାତ୍ରୀ ଯିବା ଆସିବା କରିବେ। ଅଟୋ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇପାରିବେ।

୫୦ ପ୍ରତିଶତ କର୍ମଚାରଙ୍କୁ ନେଇ ଚାଳିବ ସରକାରୀ ଅଫିସ୍‌

୫୦ ପ୍ରତିଶତ କର୍ମଚାରଙ୍କୁ ନେଇ ଚାଳିବ ସରକାରୀ ଅଫିସ୍‌। ବେସରକାରୀ ଅଫିସଗୁଡ଼ିକରେ ମଧ୍ୟ କର୍ମଚାରୀ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ। ଯାତ୍ରାରେ ୨ ହଜାର ଜାଗାରେ ଏଣିକି ୧ ହଜାର ଦର୍ଶକ ବସିପାରିବେ।

Comment