ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା। ବିଭିନ୍ନ ଜିଲ୍ଲାକୁ ଫେରିଥିବା କୁମ୍ଭମେଳା ଫେରନ୍ତା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏମାନଙ୍କ ପାଇଁ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିନ୍ତୁ କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବ୍ୟାପିବାରେ ଲାଗିଛି। କଟକ ମହାନଗର ନିଗମର ସୂଚନା ଅନୁସାରେ, କଟକରୁ ୧୩ଜଣ କୁମ୍ଭମେଳା ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀର କିଛି ସେବାୟତ ମଧ୍ୟ କୁମ୍ଭମେଳାରୁ ଫେରିଛନ୍ତି।

କୁମ୍ଭମେଳାରୁ ଫେରିଥିବା ୩୦ଜଣ ବ୍ୟକ୍ତିଙ୍କର କଟକ ରେଳଷ୍ଟେସନରେ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସିଏମସି ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ଟ୍ରେନ ଯୋଗେ କୁମ୍ଭମେଳା ଫେରନ୍ତା ଆସି କଟକ ରେଳଷ୍ଟେସନରେ ପହଞ୍ଚିବେ। ତା’ପୂର୍ବରୁ କଟକ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୭୨ ଘଣ୍ଟା ମଧ୍ୟରେ ଯେଉଁମାନେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବେ, ସେମାନଙ୍କୁ ବାହାରକୁ ଛଡ଼ାଯିବ। ଯେଉଁମାନେ କରିନଥିବେ, ଷ୍ଟେସନରେ ସେମାନଙ୍କର କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଡିସିପି ପ୍ରତୀକ ସିଂ ଷ୍ଟେସନରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ କୁମ୍ଭମେଳା ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ପୁରୀ ଜିଲ୍ଲାରୁ ସମୁଦାୟ ୩୫ଜଣ କୁମ୍ଭମେଳାକୁ ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨୨ଜଣ ପୁରୀକୁ ଫେରିଥିବାବେଳେ, ୨ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଦ୍ୱିତୀୟ ଲହର କରୋନାରେ ଏଯାବତ୍ ୫୦ଜଣ ସେବାୟତ, ତାଙ୍କ ପରିବାର ସଦସ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି। ଏତେମାତ୍ରାରେ ସଂକ୍ରମଣ ଚିହ୍ନଟ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢ଼ାଇଛି। ଯଦି ଏବେଠାରୁ ସଂକ୍ରମଣ ଚେନ୍‌କୁ ଭଙ୍ଗାନଯାଏ, ତେବେ ଆଗକୁ ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ବେଶି ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment