ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ଏହି ଲହରରେ ବିଭନ୍ନ ପ୍ରକାରର ନୂଆ ଷ୍ଟ୍ରେନ ଚିହ୍ନଟ ହେଉଛନ୍ତି। ଦୁଇ ଦିନ ହେବ ରାଜ୍ୟରୁ ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୬୨୧୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୩୬୦୪ଜଣ ହୋଇଥିବାବେଳେ, ୨୬୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜି ସର୍ବାଧିକ ୯୫୦ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ସୁନ୍ଦରଗଡ଼ରୁ ୬୮୪ ଜଣ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୯୪ହଜାର ୬୯୪ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୨୧୬୫ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୫୩ହଜାର ୫୫୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୩୯ହଜାର ୧୧୭ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର, ବଲାଙ୍ଗୀର, ଭୁବନେଶ୍ୱର, କନ୍ଧମାଳର ଜଣେ ଲେଖାଏଁ ଥିବାବେଳେ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ରହିଛନ୍ତି। ଏହି ମୃତକ ମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭୩ରେ ପହଞ୍ଚିଛି।

Comment