ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୬୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୮୫୫ ଜଣ ହୋଇଥିବାବେଳେ, ୨୭୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସବୁବେଳେ ସର୍ବଧିକ ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, ଆଜିର ତଥ୍ୟ ଅନୁସାରେ ରେକର୍ଡ ସଂଖ୍ୟକ ୧୧୮୯ କରୋନା ପଜିଟିଭ୍ ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୮୮, ନୂଆପଡ଼ାରୁ ୫୫୯, କଳାହାଣ୍ଡିରୁ ୩୬୧, ଝାରସୁଗୁଡ଼ାରୁ ୩୪୩ ଓ କଟକରୁ ୩୩୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୪ଲକ୍ଷ ୦୧ହଜାର ୩୪୧ ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୨୪୫୨ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୫୬ହଜାର ୦୦୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ରାଜ୍ୟରେ ୪୩ ହଜାର ୩୦୪ ସକ୍ରିୟ ମାମଲା ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଆଜି ରାଜ୍ୟରେ କରୋନାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଓ ନୂଆପଡ଼ାରୁ ଜଣଙ୍କର ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି।

ରାଜ୍ୟରେ ଜାରି ରହିଛି ଟିକାକରଣ। କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଛି। ସବୁଠାରେ ମାସ୍କ ଚେକିଂକୁ ଜୋରଦାର୍ କରାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ସଜାଗ ରହିଛି।

Comment