ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୬୯୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୦୫୪ ଜଣ ହୋଇଥିବାବେଳେ, ୨୯୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର ତଥ୍ୟ ଅନୁସାରେ ସର୍ବାଧିକ ୯୧୯ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ଝାରସୁଗୁଡ଼ାରୁ ୩୯୬, ନବରଙ୍ଗପୁରରୁ ୨୫୫, ବଲାଙ୍ଗୀରରୁ ୨୩୬, ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୪ଲକ୍ଷ ୩୫ହଜାର ୫୧୩ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୪୫୨୧ ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୭୫ହଜାର ୭୨୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୫୭ହଜାର ୭୧୦ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ଭୁବନେଶ୍ୱରରୁ ୨ଜଣ, କଟକରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ, କେଉଁଝରରୁ ଜଣେ, ପୁରୀରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସୁନ୍ଦରଗଡ଼ରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୨୯ ରେ ପହଞ୍ଚିଛି।

Comment