ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

“କରୋନା ସଂକ୍ରମଣର ମୁକାବିଲା ପାଇଁ ଏବେ ଲକଡାଉନ୍ କରାଯାଉଛି। ଏହି ସମୟରେ ଅତି ଜରୁରୀ ଆବଶ୍ୟକ ନହେଲେ ଆପଣମାନେ ଘରୁ ବାହାରକୁ ଆସନ୍ତୁ ନାହିଁ। ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ କାର୍ଯ୍ୟ ଜାରି ରହିବ। ସେହିପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ଲାଗି ସୁବିଧା କରାଯାଉଛି। ତେଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆପଣମାନେ ବାରମ୍ବାର ବାହାରକୁ ଆସନ୍ତୁ ନାହିଁ କିମ୍ବା କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ”, ଅନୁରୋଧ କରିଛନ୍ତି ଜିଲ୍ଲାପାଳ।ଲକଡାଉନ୍ ବେଳେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ କେବଳ ଟେକଆୱେ ଅନୁମତି ରହିଛି। ବିଭିନ୍ନ ସାମଗ୍ରୀର ହୋମ ଡେଲିଭରି ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ତେଣୁ କୌଣସି ଦୋକାନରେ କିଣାବିକା ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ କେତେକ ଗ୍ରୋସରି, ପନିପରିବା ଏବଂ ଔଷଧ ଦୋକାନୀଙ୍କ ସହ ପ୍ରଶାସନ ଯୋଗାଯୋଗ କରିଛି। ରାଉରକେଲା, ବଣାଇଁ, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନ ପାଇଁ ଏଭଳି ନମ୍ବରକୁ ଏକାଠି କରି ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଉଛି।ଲକଡାଉନ୍ ବେଳେ ବିଭିନ୍ନ ଜରୁରୀକାଳୀନ ସେବା ଜାରି ରହିବ। ଏହି ସମୟରେ କେଉଁ କାର୍ଯ୍ୟ ଚାଲୁ ରହିବ ଏବଂ କେଉଁ କାର୍ଯ୍ୟ ବନ୍ଦ ରହିବ ସେ ବାବଦରେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହି ନିୟମକୁ ସାଧାରଣ ଜନତା, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଘରୋଇ ସଂସ୍ଥା ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଅନୁଷ୍ଠାନ ଓ ବ୍ୟକ୍ତି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

ଲକଡାଉନ୍ ବେଳେ ବିଭିନ୍ନ କେନ୍ଦ୍ରରେ କୋଭିଡ୍ ଟେଷ୍ଟିଂ ଚାଲିବା ସହ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ। ଏହି ସମୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, କୋଭିଡକୁ ନେଇ ଜିଲ୍ଲାବାସୀ ଭୟଭୀତ ହୁଅନ୍ତୁ ନାହିଁ। କୋଭିଡ୍ ମୁକାବିଲା ଲାଗି ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି। କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡର ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ଜିଲ୍ଲାର ସବୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍ ସୁବିଧା କରାଯାଇଛି।ଲକଡାଉନ୍ ସମୟରେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ। ସେହିପରି ଅନ୍ୟ ସମସ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଜାରି ରହିବ। ଆବଶ୍ୟକ ମନେହେଲେ ଜଣେ ବ୍ୟକ୍ତି ଜିଲ୍ଲା ହେଲ୍ପଲାଇନ୍ (୧୮୦୦ ୩୪୫ ୭୪୬୧) ନମ୍ବରରେ ଯୋଗାଯୋଗ କରିପାରିବେ। ତା’ଛଡ଼ା ଜିଲ୍ଲା ପ୍ରଶାସନର ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଲୋକେ ବିଭିନ୍ନ ବିଷୟରେ ପ୍ରଶାସନର ଧ୍ୟାନ ଆକର୍ଷଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଲକଡାଉନ୍ ସମୟରେ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କଳକାରଖାନାର କର୍ମଚାରୀଙ୍କୁ ଅଫିସ ଯିବା ଆସିବା ଲାଗି ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ଲାଠିକଟା, ବିଶ୍ରା, କଲୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଟାଉନସିପ୍‌, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ବେଦବ୍ୟାସ ଭଳି ଅଞ୍ଚଳ ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ସେହିପରି ଅନ୍ୟ ଅଞ୍ଚଳରେ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ମିଳିପାରିବ। ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପାଖକୁ ଆସୁଥିବା ଆବେଦନଗୁଡ଼ିକୁ ତୁରନ୍ତ ବିଚାର କରି ପଦକ୍ଷେପ ନିଆଯାଉଛି।

Comment