ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ଦିନରେ ୩ ଥର ପ୍ଲାଜମା ଦାନ କରି ଏବେ ‘ପ୍ଲାଜମା ମ୍ୟାନ’ ଭାବେ ପରିଚିତ ହୋଇଛନ୍ତି ରାୟଗଡ଼ାର ବି ଭେଙ୍କଟେଶ।

କରୋନା ଚିକିତ୍ସା କ୍ଷେତ୍ରରେ ଏବେ ପ୍ଲାଜମା ଥେରାପିର ବହୁଳ ବ୍ୟବହାର ଚାଲିଛି। ଏପରି ସମୟରେ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ରାୟଗଡ଼ାର ବି. ଭେଙ୍କଟେଶ। ନିଜେ ପ୍ଲାଜମା ଦାନ କରିବା ସହିତ ଅନ୍ୟ କରୋନା ରୋଗୀଙ୍କୁ ଏକାଠି କରି ପ୍ଲାଜମା ଦେବାକୁ ସେ ପ୍ରେରିତ କରୁଛନ୍ତି। ତାଙ୍କର ଏଭଳି କାମ ପାଇଁ ଏବେ ସେ ‘ପ୍ଲାଜମା ମ୍ୟାନ୍‌’ ନାମରେ ପରିଚତ ହୋଇଛନ୍ତି।

ବି.ଭେଙ୍କଟେଶ ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ ମହାବିଦ୍ୟାଳୟରେ ପ୍ରଶିକ୍ଷଣ ଓ ନିଯୁକ୍ତି ଅଧିକାରୀ (Training and placement officer) ଭାବେ କାର୍ଯ୍ୟରତ ଅଛନ୍ତି। କିଛି ଦିନ ତଳେ ଭେଙ୍କଟଶଙ୍କ ମାମୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଚିକିତ୍ସା ଲାଗି ପ୍ଲାଜମା ଦରକାର ହୋଇଥିଲା। ପ୍ଲାଜମା ପାଇଁ ବାରଦ୍ୱାର ସାହାଯ୍ୟ ମାଗି ନିରାଶ ହୋଇଥିଲେ ଭେଙ୍କଟେଶ। ସେବେଠାରୁ ଅନ୍ୟକୁ ଏଭଳି ସଂଙ୍କଟ ମୁହୂର୍ତ୍ତରୁ ଉଦ୍ଧାର କରିବାକୁ ସେ ମନସ୍ତ କରିଥିଲେ।

ଏବେ ସେ ସୋସିଆଲ ମିଡିଆ ହ୍ୱାଟ୍‌ସଆପ୍‌ ଓ ଫେସବୁକ ଜରିଆରେ ବିଭିନ୍ନ ଲୋକଙ୍କୁ ଏକତ୍ରିତ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ତାଙ୍କ ସମ୍ପର୍କୀୟ ଓ ଚିହ୍ନା ବ୍ୟକ୍ତିଙ୍କୁ ସେ ଏହି ଗ୍ରୁପ୍‌ରେ ଯୋଡ଼ିଛନ୍ତି। ଏହାସହିତ କରୋନାକୁ ପରାସ୍ତ କରି ଆରୋଗ୍ୟ ହୋଇଥିବା ବ୍ୟକ୍ତମାନଙ୍କ ସମେତ ଡାକ୍ତର, ଛାତ୍ରଛାତ୍ରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି।

ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଆବଶ୍ୟକ ହୋଇଥିଲେ ସୂଚନା ମୁତାବାକ ଗ୍ରୁପରେ ଥିବା ସୁସ୍ଥ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ରୋଗୀଙ୍କ ନିକଟକୁ ପଠାଇ ପ୍ଲାଜମା ପ୍ରଦାନ କରୁଛନ୍ତି ଭେଙ୍କେଟେଶ। ତେବେ ଜରୁରୀ ପରିସ୍ଥିତି ପଡ଼ିଲେ ନିଜେ ମଧ୍ୟ ଆଗକୁ ଆସି ପ୍ଲାଜମା ଦାନ ପାଇଁ ଆଗଭରା ହୋଇଥାନ୍ତି ସେ।

ଅନ୍ୟପଟେ ଜଣେ କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ବ୍ୟକ୍ତି ମାସକରେ ଦୁଇ ଥର ପ୍ଲାଜମା ଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଥିବାବେଳେ ଭେଙ୍କଟେଶଙ୍କ ସେବା ମନଭାବ ଆଗରେ ଏହି ସତର୍କତା କାମ ଦେଇନି। ନିଜସ୍ଵ ଖର୍ଚ୍ଚରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ବିଶାଖାପଟାଣାକୁ ଯାଇ ରୋଟାରୀ ରକ୍ତ ଭଣ୍ଡାରରେ ୧୦ ଦିନ ମଧ୍ୟରେ ୩ ଥର ପ୍ଲାଜମା ଦାନ କରି ୩ ଜଣ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି। ଭେଙ୍କେଟେଶଙ୍କ ଏଭଳି ମହାନତା ସେବା ମନୋଭାବ ଯୋଗୁଁ ସାରା ଜିଲ୍ଲାକୁ ସେ ଗୌରାନ୍ୱିତ କରିଛନ୍ତି। ତାଙ୍କର ଏଭଳି ମହତ ପ୍ରଚେଷ୍ଟା ଯୋଗୁଁ କରୋନା ଆକ୍ରାନ୍ତ ଲୋକଙ୍କୁ ପ୍ଲାଜମା ଥେରାପି ଜରିଆରେ ସେ ଚିକିତ୍ସା ସେବା ଯୋଗାଇ ପାରିଛନ୍ତି।

‘‘ଯେଉଁଦିନ ଯାଏଁ ଆମ ଦେଶ ଭାରତ କରୋନା ମୁକ୍ତ ହୋଇନାହିଁ, ସେହିଦିନ ଯାଏଁ ଏ କାର୍ଯ୍ୟ କାର୍ଯ୍ୟ ଚାଲିବ। ଲୋକଙ୍କୁ ଠିକ୍‌ ସମୟରେ ପ୍ଲାଜମା ଦେବାକୁ ଆମେ କାମ କରିବୁ। ଏ ସମୟ ଏକାଠି ହୋଇ ଅନ୍ୟକୁ ସାହାଯ୍ୟ କରିବାର’’, କହିଛନ୍ତି ବି ଭେଙ୍କେଟେଶ।

ଅନ୍ୟପଟେ ଅଭିଯାନରେ ସେ କେବଳ ଏକୁଟିଆ ନରହି ତାଙ୍କ ସହିତ ସମଗ୍ର ଦେଶର ଲୋକ ଯୋଡ଼ି କରୋନା ରୋଗୀଙ୍କୁ ସେବା ଯୋଗାଇବାରେ ଆଗଭରା ହୋଇଛନ୍ତି। ତେବେ ତାଙ୍କର ମହାମାରୀ କାଳରେ ଏଭଳି ମହତ ଚିନ୍ତାଧାରକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

‘‘କରୋନା ଏବେ ମାରାତ୍ମକ ପରିସ୍ଥିତିରେ ପହଞ୍ଚିଛି। ତେଣୁ ସମସ୍ତେ ଘରେ ରହନ୍ତୁ। ଯେଉଁମାନେ ବି ଜରୁରୀ କାମରେ ବାହାରକୁ ଯାଉଛନ୍ତି ସେମାନେ କୋଭିଡ୍‌ ଉପଯୋଗୀ ବ୍ୟବହାର ଅବଲମ୍ବନ କରନ୍ତୁ। ମାସ୍କ ପିନ୍ଧନ୍ତୁ। ଦୂରତା ରକ୍ଷା କରନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ’’, କରୋନା ସଚେତନତା ନେଇ ଲୋକଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ଭେଙ୍କଟେଶ।

Comment