ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ଲକ୍‌ଡାଉନ ଓ ସଟ୍‌ଡାଉନ୍ ସତ୍ତ୍ୱେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୦ ହଜାର ୦୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୬୨୩ ଜଣ ହୋଇଥିବାବେଳେ, ୩୪୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼। ସେଠାରୁ ୮୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୨୦, ଝାରସୁଗୁଡ଼ାରୁ ୪୧୮, ନବରଙ୍ଗପୁରରୁ ୩୦୬, ବଲାଙ୍ଗୀରରୁ ୨୭୪, ବରଗଡ଼ରୁ ୪୫୦, ଅନୁଗୁଳରୁ ୪୫୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୫ଲକ୍ଷ ୪୪ହଜାର ୮୭୩ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮୫୪୧ ଜଣଙ୍କୁ ମିଶାଇ ସମୁଦାୟ ୪ଲକ୍ଷ ୪୭ହଜାର ୮୬୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୯୪ହଜାର ୭୬୦ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବଲାଙ୍ଗିର, ଢ଼େଙ୍କନାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ, ଭୁବନେଶ୍ୱରରୁ ଦୁଇ ଜଣ, କଳାହାଣ୍ଡିରୁ ତିନି ଜଣ, ପୁରୀରୁ ୨ଜଣ, ରାୟଗଡ଼ାରୁ ୩ଜଣ, ସୁନ୍ଦରଗଡ଼ରୁ ତିନି ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯୭ ରେ ପହଞ୍ଚିଛି।

Comment