ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ସୋମବାର ବାତ୍ୟାର ରୂପ ନେଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି। ୨୬ ତାରିଖ ସନ୍ଧ୍ୟାରେ ୟାସ୍ ଓଡ଼ିଶାର ପାରାଦୀପଠାରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଲ୍ୟାଣ୍ଡଫଲ ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ୟାସର ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦ କିମି ରହିଛି। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତାକାଲିଠାରୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ। ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏବେ ବାତ୍ୟା ୟାସ୍ ପାରାଦୀପଠାରୁ ୫୪୦କିମି ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ୬୫୦କିମି ଓ ପଶ୍ଚିମବଙ୍ଗର ଦିଘାଠାରୁ ୬୩୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ। ତେଣୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରେଡ୍ଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Comment