ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ତଳେ ରହୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ସଚେତନମୂଳକ ପଦକ୍ଷେପ ନେଉଥିଲେ ହେଁ ଡଙ୍ଗରିଆ ସମ୍ପ୍ରଦାୟ ଲୋକେ ଆଧୁନିକ ପଦ୍ଧତିରେ ଚିକିତ୍ସି କିମ୍ଵା ଟିକା ନେବାକୁ ରାଜି ହେଉନାହାନ୍ତି। ଫଳରେ ପ୍ରଶାସନର ସବୁ ଉଦ୍ୟମ ଫସର ଫାଟୁଛି।

କରୋନାର ପ୍ରଥମ ପର୍ଯ୍ୟାୟରେ ଭୂତାଣୁ ନିୟମଗିରି ଅଞ୍ଚଳକୁ ସ୍ପର୍ଶ କରି ପାରିନଥିଲା। କିନ୍ତୁ ଦ୍ଵିତୀୟ ଲହରରେ ସ୍ଥିତି ଅସମ୍ଭାଳ ହୋଇଛି। ମେ’ ମାସ ଅଧାବେଳକୁ ପ୍ରଥମ ଥର ଡଙ୍ଗରିଆ ସଂମ୍ପ୍ରଦାୟର ୪ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରଠାରୁ ସେଠାରେ ସଂକ୍ରମଣ ବଢ଼ି ଚାଲିଛି। ଏବେ ସୁଦ୍ଧା ଡଙ୍ଗରିଆ ସଂମ୍ପ୍ରଦାୟର ୧୨୭ ଜଣ ଆଦିବାସୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇସାରିଛି।କରୋନା ବିରୋଧୀ ଲଢ଼େଇରେ ଏବେ ଟିକା ଏକମାତ୍ର ଅସ୍ତ୍ର ହୋଇଛି। ତେଣୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମଗିରି ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଟିକା ନେବାକୁ ରାଜି ହେଉ ନାହାନ୍ତି ସେଠାକାର ଲୋକେ। ମାତ୍ର ହାତଗଣତି କେଇଜଣ ଟିକା ନେଉଛନ୍ତି। ଅନ୍ୟପଟେ କୋଭିଡ୍ ପଜିଟିଭ୍ ହୋଇଥିବା ଲୋକେ ସଙ୍ଗରୋଧର ନିୟମ ମାନୁ ନଥିବା ଦେଖିବାକୁ ମିଳୁଛି। ସଂକ୍ରମିତ ଥାଇ ମଧ୍ୟ ଗୋଷ୍ଠୀ ହୋଇ ସେମାନେ ରହୁଛନ୍ତି।

ନିୟମଗିରିର ସମନ୍ୱୟିତ ଆଦିବାସୀ ଉନ୍ନୟନ ଅଧିକାରୀ ଟୁକୁ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଷମକଟକ ଓ କଲ୍ୟାଣସିଂପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୈନିକ କରୋନା ପ୍ରଭାବିତ ଡଙ୍ଗରିଆ ଗାଁ ପାର୍ସାଲି, ଗନ୍ଦିଲି, କାଡ୍ରାକା ବଣ୍ଡିଲି, କୁର୍ଲି, ଚେଞ୍ଚେଡାଗୁଡା ଆଦିକୁ ଯାଇ ସଂକ୍ରମଣ ସ୍ଥିତି ସମୀକ୍ଷା କରିବା ସହ ସଂକ୍ରମିତଙ୍କୁ ଘର ନ ରହି ସଙ୍ଗରୋଧ କେନ୍ଦ୍ରରେ ରହି ଚିକିତ୍ସା ହେବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଲୋକମାନେ ପ୍ରଶାସନର କଥା ଶୁଣୁ ନାହାନ୍ତି।ସରକାରଙ୍କ ପକ୍ଷରୁ ନିୟମଗିରିର ପାର୍ସାଲି ଓ କୁର୍ଲି ପଞ୍ଚାୟତ କାର୍ଯ୍ୟାଳୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ ସଙ୍ଗରୋଧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ନିୟମଗିରି ଅଞ୍ଚଳରେ ମୋଟ୍ ୧୨୭ ଜଣ କୋଭିଡ୍ ପଜିଟିଭ୍ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ମାତ୍ର ୨୦ରୁ ୨୫ ଜଣ ରହି ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ସଂକ୍ରମଣ ଶିକାର ହୋଇ ଡଙ୍ଗରିଆ ଆଦିବାସୀମାନେ ଜୀବିକା ପାଇଁ ଜଙ୍ଗଲକୁ ଯାଇପାରୁ ନାହାନ୍ତି। ତେଣୁ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ୧୪ ଦିନ ପାଇଁ ରାସନ ସାମଗ୍ରୀ ମାଗଣାରେ ପ୍ରଦାନ କରାଯାଉଛି।

Comment