ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍‌ପନ ବନ୍ଦୋପାଧ୍ୟାୟ। ତାଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ବିବାଦ ଉପୁଜିବା ପରେ ସୋମବାର ସେ ତାଙ୍କ ପଦରୁ ଅବସର ନେଇଛନ୍ତି। ପଦରୁ ବିଦାୟ ନେବା ନେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ ଦେଇଛନ୍ତି।

ଏବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ୩ ବର୍ଷ ପଦରେ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ଅଲ୍‌ପନଙ୍କ ଅବସର ପରେ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ନିଯୁକ୍ତି ମିଳିଛି।

ନିକଟରେ ବାତ୍ୟା ‘ୟାସ୍’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଯାଇଥିଲେ। କିନ୍ତୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ୩୦ ମିନିଟ୍ ବିଳମ୍ଵରେ ଯୋଗଦେଇଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଧରାଇ ବୈଠକ ଅଧାରୁ ଚାଲିଆସିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା ବୈଠକ ସାରି ଦିଲ୍ଲୀ ପହଞ୍ଚିବାର କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍‌ପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଆସିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ମମତା ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିବାର ଏକ ଫଟୋ ଗଣମାଧ୍ୟମରେ ପ୍ରଚାର ହେଲା, ଯାହା ଫଳରେ ତାଙ୍କୁ ବିଭିନ୍ନ ନେତାମାନେ ମମତାଙ୍କ ଏପରି ଆଚରଣ ପାଇଁ ତାଙ୍କୁ ସମୋଲୋଚନା କରିଥିଲେ। ଏହାପରେ ସାମ୍ଵାଦିକ ସମ୍ମିଳନୀ କରି ସେଦିନର ପ୍ରକୃତ ଘଟଣା ବିଷୟରେ କହିଥିଲେ ମମତା।

Comment