ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ-୧୯ ଦ୍ଵିତୀୟ ଲହରରେ ଓଡ଼ିଶାରେ ୨୮ଜଣ ଡାକ୍ତରଙ୍କ ଜୀବନ ଯାଇଛି। କରୋନା କାଳରେ ଓଡ଼ିଶାରେ କେତେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା ସଂଘ (ଓମସା) ନିରବ ରହିଥିବାବେଳେ ଭାରତୀୟ ମେଡିକାଲ ସଂଘ (ଆଇଏମଏମ) ପକ୍ଷରୁ ଏହି ଉଦ୍‌ବେଗଜନକ ସୂଚନା ଦିଆଯାଇଛି।ସମଗ୍ର ଦେଶରେ କୋଭିଡ ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୭୧୯ଡାକ୍ତର ପ୍ରାଣ ହରାଇଛନ୍ତି। ଆଇଏମଏ ପକ୍ଷରୁ ଜାରି ସୂଚନା ଅନୁସାରେ କୋଭିଡ୍‌ ଦ୍ୱିତୀୟ ଲହରରେ ବିହାରରେ ୧୧୧ ଜଣ, ଦିଲ୍ଲୀରେ ୧୦୯ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ପଶ୍ଚିମବଙ୍ଗରେ ୬୩ ଜଣ, ରାଜସ୍ଥାନରେ ୪୩ ଜଣ, ଝାଡଖଣ୍ଡରେ ୩୯ ଜଣ, ଗୁଜୁରାଟରେ ୩୭ ଜଣ ଡାକ୍ତର ପ୍ରାଣ ହରାଇଥିବାବେଳେ କୋଭିଡ୍‌ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ୨୩ ଜଣ ଡାକ୍ତର ମୃତ୍ୟୁର ଶିକାର ହୋଇଛନ୍ତି। କୋଭିଡ୍‌ ପ୍ରଥମ ଲହରରେ ଦେଶର ମୋଟ ୭୪୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା ବୋଲି ଆଇଏଏମ୍‌ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଓଡ଼ିଶାରେ ପ୍ରଥମ ଲହରରେ କେତେ ସଂଖ୍ୟକ ଡାକ୍ତର ପ୍ରାଣ ହରାଇଥିଲେ ସେ ନେଇ ଓମସା କିମ୍ବା ଆଇଏମଏ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନଥିଲା।

Comment