ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର ୫ ପ୍ରତିଶତ ଟିକା ଯଦି ଘରୋଇ ହସ୍ପିଟାଲଗୁଡ଼ିକରେ ରହେ, ତାହା ଢ଼େର ବୋଲି ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି। ସୋମବାର ଦିନ ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୨୧ତାରିଖରୁ ସମଗ୍ର ଦେଶରେ ନୂଆ ଟିକା ନୀତି ଲାଗୁ ହେବ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପାଖକୁ ଲେଖିଥିବା ଚିଠିରେ କହିଛନ୍ତି ଯେ, “ଓଡ଼ିଶା ସରକାର ଓ ଘରୋଇ ହସ୍ପିଟାଲ ପାଇଁ ଟିକା ଯୋଗାଣ ଅନୁପାତ ୭୫:୨୫ ନହୋଇ ୯୫:୫ କରାଯାଉ।”ସେ ଆଉ ମଧ୍ୟ କହିଛନ୍ତି ଯେ, “ଦେଶର ବଡ଼ ବଡ଼ ମେଟ୍ରୋ ଭଳି ଓଡ଼ିଶାରେ ଘରୋଇ ହସ୍ପିଟାଲ ଏତେ ସଂଖ୍ୟାରେ ନାହିଁ। ତା’ଛଡ଼ା ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇ ହସ୍ପିଟାଲର ଉପସ୍ଥିତି ମାତ୍ର ୫ପ୍ରତିଶତ ହୋଇଥିବାରୁ ୨୫ ପ୍ରତିଶତ କରୋନା ଟିକା ସେମାନଙ୍କ ପାଇଁ ଗଛିତ ରଖିବାର  କୌଣସି କାରଣ ନାହିଁ। ଯଦି ଏହି ଟିକା ଓଡ଼ିଶା ସରକାରଙ୍କ ପାଖକୁ ଆସିଯାଏ ରାଜ୍ୟରେ ଟିକାକରଣ ଆହୁରି ମଜଭୁତ ହେବ।”

ସୂଚନା ଅନୁଯାୟୀ, ଖୁବ କମ ଲୋକ ଟିକା ପାଇଁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏହା କଟକ ଓ ଭୁବନେଶ୍ୱର ଭଳି ସହରରେ ହିଁ ସୀମିତ। ଅନ୍ୟପକ୍ଷରେ ଏବେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି। ବିଏମସି ଓ ସିଏମସି ପକ୍ଷରୁ ଭୁବନେଶ୍ୱର ଏବଂ କଟକ ସହରରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଏଥିସହ ଭୁବନେଶ୍ୱରରେ ଏକ ସ୍ଵତନ୍ତ୍ର ଡ୍ରାଇଭ ଜରିଆରେ କିନ୍ନରମାନଙ୍କୁ ଟିକାକରଣ କରାଯାଇଛି।

Comment