ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ ରାଜନୀତିରେ ଯେଉଁ ଅସ୍ଥିରତା ଲାଗି ରହିଥିଲା ତାହା ଶେଷ ହୋଇଛି। ଯାହା ଆଶା କରାଯାଉଥିଲା ତାହାହିଁ ଘଟିଛି। ପୁଣିଥରେ ଜଣେ ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିଛି ବିଜେପି। ମଙ୍ଗଳବାର ଦିନ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ଓ  ବରିଷ୍ଠ ନେତା ବାସବରାଜ ବୋମ୍ମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୋମ୍ମାଇ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି। ଦଳର କେନ୍ଦ୍ରୀୟ ନେତୃତ୍ୱ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୨୬ ତାରିଖରେ ବି.ଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ନେଇ ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା। ୟେଦ୍ୟୁରପ୍ପାଙ୍କ ଦ୍ଵାରା ହିଁ  ବୋମ୍ମାଇଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ରଖାଯାଇଥିଲା ଓ  ସର୍ବସମ୍ମତିକ୍ରମେ ବୋମ୍ମାଇଙ୍କ ନାଁ ଉପରେ ମୋହର ବାଜିଥିଲା।ବୋମ୍ମାଇଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ଫଳରେ କର୍ଣ୍ଣାଟକରେ ସମ୍ପ୍ରଦାୟ ରାଜନୀତି ପରିପୁଷ୍ଟ ହୋଇଛି ବୋଲି ଧରିନେବାକୁ ହେବ। ୧୯୫୬ରେ କର୍ଣ୍ଣାଟକ ରାଜ୍ୟ ଘୋଷିତ ହେବା ପରଠାରୁ ଯେଉଁ ୨୦ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮ଜଣ ମୁଖ୍ୟମନ୍ତ୍ରୀ ଏହି ଲିଙ୍ଗାୟତ ସମ୍ପ୍ରଦାୟର। ରାଜ୍ୟର ମୋଟ ୨୨୪ଟି ନିର୍ବାଚନ ମଣ୍ଡଳୀରୁ ୧୪୦ଟିରେ ଲିଙ୍ଗାୟତଙ୍କ ଉପସ୍ଥିତି ରହିଆସିଛି। ପ୍ରାୟ ୯୦ଜଣ ଲିଙ୍ଗାୟତ ସମ୍ପ୍ରଦାୟର ବ୍ୟକ୍ତିମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାର ୧୭ପ୍ରତିଶତ ହେଉଛନ୍ତି ଲିଙ୍ଗାୟତ। ତେଣୁ ସେମାନଙ୍କୁ ବିଜେପି ହାତଛଡ଼ା କରିବାକୁ ଚାହୁଁନଥିଲା। ଏଥିପାଇଁ ସ୍ୱାଭାବିକ ଭାବରେ ଜଣେ ଲିଙ୍ଗାୟତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦେଇଛି।ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାରେ କୌଣସି ତିକ୍ତତା ସାମ୍ନାକୁ ଆସିନଥିଲା। ୬୧ବର୍ଷୀୟ ବୋମ୍ମାଇ ହେଉଛନ୍ତି ସଦାରା ଲିଙ୍ଗାୟତ ସମ୍ପ୍ରଦାୟର। ସେ ୟେଦ୍ୟୁରପ୍ପାଙ୍କ ଅତ୍ୟନ୍ତ ଘନିଷ୍ଠ ଓ ଜନତା ପରିବାରରୁ ଆସିଛନ୍ତି। ୟେଦ୍ୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ଗୃହ ଓ ଆଇନ ମନ୍ତ୍ରୀଭାବେ କାର୍ଯ୍ୟ ତୁଲାଉଥିଲେ। ଏଥିସହ ବାପା ଏସ୍‌.ଆର ବୋମ୍ମାଇଙ୍କଠାରୁ ରାଜନୀତିକୁ  ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ବାସବରାଜ।

୨୦୦୮ରେ ବିଜେପିରେ ଯୋଗ ଦେଇଥିବା ବୋମ୍ମାଇଙ୍କ ପରିଶ୍ରମକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ  ଗୁରୁତ୍ୱ ଦେଇଆସିଛି। ସବୁଠାରୁ ବଡ଼ କଥା ହେଲା, ବୋମ୍ମାଇ ଜଣେ ଇଞ୍ଜିନିୟର ଓ ଟାଟା ଗ୍ରୁପରୁ ନିଜର ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ।

Comment